ଚନ୍ଦ୍ରଶେଖରପୁର: ରେଳବାଇ ପକ୍ଷରୁ ଜମି ଯୋଗାଇ ଦିଆଯାଇଛି। ବିଲ୍‌ଡିଂ ନିର୍ମାଣ ହୋଇଛି। ବିଦ୍ୟୁତ୍‌ ଓ ପାଣି ସଂଯୋଗ ଓ ବିଲ୍‌ ପୈଠ ବି ରେଳବାଇ କରୁଛି। ତା’ସ‌ତ୍ତ୍ବେ ମଧ୍ୟ କାହା ସ୍ବାର୍ଥରେ ରେଲୱେ କଲୋନି ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରାଯାଉଛି। ଗଣଶିକ୍ଷା ବିଭାଗର ଅଧିକାରୀମାନେ କାହା ପାଇଁ କାମ କରୁଛନ୍ତି? ‘ସଭିଏଁ ପଢ଼ିବେ’ ନାରା ଦେଇ ରାଜ୍ୟ ସରକାର ଗୋଟିଏ ପଟେ ପ୍ରବେଶ ଓ ଖଡ଼ିଛୁଆଁ ଉତ୍ସବ ପାଳନ କରୁଥିବା ବେଳେ ଅନ୍ୟପଟେ ୧୩୦ ପିଲାଙ୍କ ପାଠରେ ଡୋରି ଲଗାଇବା ପଛରେ କାହାର ଉଦ୍ଦେଶ୍ୟ ସାଧିତ ହେଉଛି? ବିଧାୟକଙ୍କଠାରୁ ଆରମ୍ଭ କରି ଗ୍ରାମବାସୀ, ଅଭିଭାବକ, ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପର୍ଯ୍ୟନ୍ତ; ସମସ୍ତେ ବିଦ୍ୟାଳୟ ଚାଲିବା ସପକ୍ଷରେ ମତ ଦେଉଛନ୍ତି। ହେଲେ କେଉଁ ଅଦୃଶ୍ୟ ଶକ୍ତି ଚାପରେ ଶିକ୍ଷା ବିଭାଗର ଅଧିକାରୀମାନେ ବିଦ୍ୟାଳୟକୁ ବନ୍ଦ କରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲୁଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠିଛି।

Advertisment

ପ୍ରାଥମିକ ବିଦ୍ୟାଳୟକୁ ଉନ୍ନୀତ କରାଯାଉନାହିଁ କାହିଁକି
ପିଲାଙ୍କ ଭବିଷ୍ୟତକୁ ନେଇ ଆଶଙ୍କାରେ ଅଭିଭାବକ

ସ୍କୁଲ ଆସିବାକୁ ଛାତ୍ରଛାତ୍ରୀଙ୍କୁ ବାରଣ କରାଯିବା, କ୍ଲାସରୁମ୍‌ରେ ତାଲା ପକାଯିବା, ପିଲାଙ୍କ ମଧ୍ୟାହ୍ନଭୋଜନ ବନ୍ଦ ପରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏଭଳି ନିଷ୍ପତ୍ତି ପ୍ରତିବାଦରେ ଉତ୍କଳ ଅଭିଭାବକ ସଂଘ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିବା ସହ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି। ସଂଘ ସଭାପତି କୃଷ୍ଣଚନ୍ଦ୍ର ପତି କହିଛନ୍ତି ଯେ ଓଡ଼ିଶାର ସରକାରୀ ଶିକ୍ଷା ବ୍ୟବସ୍ଥା ବୁଡ଼ାଇବାକୁ ରାଜ୍ୟ ସରକାର ସତେ ଯେମିତି ପଣ କରିଛନ୍ତି। କ୍ଷମତାକୁ ଆସିବାର ୯ ମାସ ମଧ୍ୟରେ ସହରର ୩ଟି ସରକାରୀ ସ୍କୁଲ ବନ୍ଦ କରିବାକୁ ଯୋଜନା କରିଛନ୍ତି। ସୈନିକ ସ୍କୁଲକୁ ସ୍ଥାନାନ୍ତର ନିଷ୍ପତ୍ତିରୁ ଏପର୍ଯ୍ୟନ୍ତ ଓହରୁ ନାହାନ୍ତି। ବରଂ ସୁବିଧା ଦେଖି ସେଥିରେ ତାଲା ପକାଇବା ଯୋଜନାରେ ଅଛନ୍ତି। ସେ ବିବାଦ ଥମି ନ ଥିବା ବେଳେ ରେଲୱେ କଲୋନି ଉଚ୍ଚପ୍ରାଥମିକ ବିଦ୍ୟାଳୟ ଓ ୟୁନିଟ୍‌-୯ରେ ଥିବା ଭାରତୀୟ ଉଚ୍ଚପ୍ରାଥମିକ ବିଦ୍ୟାଳୟ (ହିନ୍ଦୀ ମାଧ୍ୟମ) ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦୁଇଟି ଯାକ ବିଦ୍ୟାଳୟ ଅନୁଦାନପ୍ରାପ୍ତ। ଶିକ୍ଷକମାନେ ଅବସର ଗ୍ରହଣ ପରେ ସେଠାରେ ନୂଆ ଶିକ୍ଷକ ନିଯୁକ୍ତି ନଦେଇ ସ୍କୁଲ ବନ୍ଦ କରିବା କେତେଦୂର ଯୁକ୍ତିଯୁକ୍ତ। ଏହାଦ୍ବାରା ପାଖାପାଖି ୨୦୦ ପିଲା ପ୍ରଭାବିତ ହେବେ। ସେମାନଙ୍କ ଭବିଷ୍ୟତ କ’ଣ ହେବ? ରାଜ୍ୟ ସରକାର ପିଲାଙ୍କ ଭବିଷ୍ୟତ କଥା ଚିନ୍ତା କରନ୍ତୁ।

ଶିକ୍ଷାବିତ୍‌ ପ୍ରମୋଦ କୁମାର ମହାରଣାଙ୍କ ମତରେ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ନିୟମିତ ଶିକ୍ଷକ ନଥିବାରୁ ସ୍କୁଲ ବନ୍ଦ କରାଯିବା ଆଦୌ ଠିକ୍‌ ନୁହେଁ। ଶୂନ ପିଲା କିମ୍ବା ଶୂନ ଶିକ୍ଷକ ଥିଲେ ସ୍କୁଲ ବନ୍ଦ କରିବାର ଯେଉଁ ନିୟମ ରହିଛି, ସେଥିରେ ସଂଶୋଧନ ଅଣାଯାଉ। ତା’ମାନେ ନୁହେଁ ‌ଯେ ସ୍କୁଲକୁ ସମ୍ପୂର୍ଣ୍ଣ ବନ୍ଦ କରି ପିଲାଙ୍କ ପାଠପଢ଼ାରେ ଡୋରି ଲଗାଇବା। ରେଲୱେ କଲୋନି ଉଚ୍ଚପ୍ରାଥମିକ ବିଦ୍ୟାଳୟ ଯେଉଁ କ୍ୟାମ୍ପସରେ ରହିଛି ସେଠାରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ଚାଲିଛି। ତେଣୁ ପ୍ରାଥମିକ ବିଦ୍ୟାଳୟକୁ ସରକାରୀ ଉନ୍ନୀତ ପ୍ରାଥମିକ ବିଦ୍ୟାଳୟରେ ପରିଣତ କରିବାରେ ରାଜ୍ୟ ସରକାରଙ୍କର କୌଣସି ଅସୁବିଧା ନାହିଁ। ଭିତ୍ତିଭୂମି ଯେହେତୁ ରହିଛି ବିଶେଷ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ନାହିଁ। ଓସେପା କାର୍ଯ୍ୟାଳୟଠାରୁ ମାତ୍ର ୫ କିମି ଦୂରରେ ଏହି ବିଦ୍ୟାଳୟ ଥିବାରୁ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ସେଠାକାର ଭିତ୍ତିଭୂମି ଯାଞ୍ଚ କରିପାରିବେ। ଲୋକସେବା ଭବନଠାରୁ ବହୁ ନିକଟରେ ବିଦ୍ୟାଳୟ ଥିବାରୁ ଗଣଶିକ୍ଷା ମନ୍ତ୍ରୀ ଓ ସଚିବ ସ୍କୁଲକୁ ଗସ୍ତ କରି ଛାତ୍ରଛାତ୍ରୀଙ୍କ ସ୍ବାର୍ଥରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରନ୍ତୁ।