ହାତୀ ମୃତ୍ୟୁ ରୋକିବାକୁ ସୁଦୃଢ଼ ହେବ ରେଳ ବିଭାଗ ନିୟନ୍ତ୍ରଣ କକ୍ଷ

ଭୁବନେଶ୍ବର : ହାତୀ ଚଳପ୍ରଚଳ କରୁଥିବା ଅଞ୍ଚଳରେ ସୁଦୃଢ଼ ହେବ ରେଳ ବିଭାଗର ନିୟନ୍ତ୍ରଣ କକ୍ଷ। ଅଧିକ ହାତୀ ଚଳପ୍ରଚଳ କରୁଥିବା ସ୍ଥାନଗୁଡିକ ଚିହ୍ନଟ କରାଯିବା ସହ ରେଳଧାରଣା ପାର୍ଶ୍ବରେ ବାଡ଼ା ଲାଗିବ। ଏଥିସହ ରେଳ ଧାରଣା ପାର୍ଶ୍ବରେ ବଡ଼ ଖାତ ଖୋଳାଯିବ। ସେହିପରି ହାତୀଗୁଡ଼ିକ ରେଳଧାରଣା ପାର ହେବା ସମୟରେ ଦୁର୍ଘଟଣାର ଶିକାର ଅଧିକ ଅଣ୍ଡରପାସ୍‌ ତିଆରି କରାଯିବ ବୋଲି ଆଜି ରେଳ ବିଭାଗର ଅଧିକାରୀ ଓ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ୍)ଙ୍କ ମଧ୍ୟ‌ରେ ବସିଥିବା ସମନ୍ବୟ ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି। ଏଥିସହ ଖୋର୍ଧା ରୋଡ୍‌ ରେଲୱେ ଅଫିସ୍‌ ଓ ସମ୍ବଲପୁର ରେଲୱେ ଅଫିସ୍‌ ବନ ବିଭାଗ ଅଧିକାରୀଙ୍କ ସହ ସମନ୍ବୟ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ରେଳ ବିଭାଗ ପକ୍ଷରୁ ଚିଫ୍‌ ପାସେଞ୍ଜର ଟ୍ରାନ୍ସପୋର୍ଟେସନ୍‌ ମ୍ୟାନେଜର ‌ଶୈଳେନ୍ଦ୍ର କପିଲ୍‌ ଓ ଚିଫ୍‌ ଜେନେରାଲ ଇଞ୍ଜିନିୟର ଭିକ୍ଟର ‌ଯୋଶେଫ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ ୨୦୧୮ ମସିହା ଅକ୍ଟୋବର ୨୬ରେ ଢେଙ୍କାନାଳ କମଳାଙ୍ଗ ଅଞ୍ଚଳରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୭ଟି ହାତୀର ମୃତ୍ୟୁ ହୋଇଥିଲା। ସେହିପରି କେତେବେଳେ ରେଳ ଧକ୍କାରେ ହାତୀ ମରୁଛନ୍ତି ତ ଆଉ କେତେବେଳେ ରେଳ ବିଦ୍ୟୁତ୍‌ ତାର ସଂଯୋଗରେ ହାତୀଙ୍କ ଜୀବନ ଯାଉଛି। ତେଣୁ ଆଗାମୀ ଦିଗରେ ଟ୍ରେନ୍‌ ଦ୍ବାରା ଓ ରେଳଧାରଣାରେ କିଭଳି ହାତୀ ମୃତ୍ୟୁକୁ ରୋକାଯାଇପାରିବ ସେନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି।

ସମ୍ବନ୍ଧିତ ଖବର