ରଜ ପୂର୍ବରୁ କାର୍ଯ୍ୟକାରୀ ହେବ ତୃତୀୟ ଫୁଟ୍‌ ଓଭରବ୍ରିଜ୍‌

ଚନ୍ଦ୍ରଶେଖରପୁର : ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ଯାତ୍ରୀ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ତୃତୀୟ ଫୁଟ୍‌ ଓଭରବ୍ରିଜ୍‌ କାର୍ଯ୍ୟ ତ୍ୱରାନ୍ଵିତ ହୋଇଛି। ମାତ୍ର ଦୁଇ ମାସ ଆସନ୍ତା ରଜ ମଧ୍ୟରେ ଏହି ଫୁଟ୍‌ ଓଭର ବ୍ରିଜ୍‌ କାର୍ଯ୍ୟକାରୀ କରାଯିବ ବୋଲି ପୂର୍ବତଟ ରେଳ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି କ୍ରମରେ ୨୪ମିଟର ଲମ୍ବ ଓ ୬ ମିଟର ଚଉଡ଼ା ବିଶିଷ୍ଟ ୪ଟି ଗାଡର୍‌କୁ ସଂଯୋଗ କରାଯାଇଛି। ୩୦୦ଟନ୍‌ ରୋଡ୍‌ କ୍ରେନ୍‌ ସହାୟତାରେ ଏହି କାର୍ଯ୍ୟ ସଂପାଦିତ ହୋଇଥିଲା। କ୍ରମବର୍ଦ୍ଧିଷ୍ଣୁ ଯାତ୍ରୀ ଭିଡ଼କୁ ଲକ୍ଷ୍ୟ କରି ଏହି ରେଳ ଷ୍ଟେସନକୁ ସଂପ୍ରସାରଣ କରାଯିବାର ପ୍ରକ୍ରିୟା ଆଗେଇ ଚାଲିଛି। ଏହି ଫୁଟ୍‌ ଓଭରବ୍ରିଜ ପ୍ଲାଟଫର୍ମ ନଂ ୬ ସହ ପ୍ଲାଟଫର୍ମ ୪ ଓ ୫କୁ ଯୋଡ଼ିବ। ଏହା ଫଳରେ ଯାତ୍ରୀ ଭିଡ଼କୁ ନିୟନ୍ତ୍ରଣ କରାଯିବା ସହ ଅଯଥା ଅଘଟଣକୁ ମଧ୍ୟ ରୋକା ଯାଇପାରିବ। ବିଗତ ଦିନରେ ଦେଶର ବିଭିନ୍ନ ରେଳ ଷ୍ଟେସନ୍‌ରେ ଘଟିଥିବା ଦଳାଚକଟା ଭଳି ଘଟଣାକୁ ନଜରରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ରେଳ ବିଭାଗ ପକ୍ଷରୁ ଉପଯୁକ୍ତ ଯୋଜନା ଓ ସମନ୍ଵୟର ଏବଂ ଦକ୍ଷ ମାନବସମ୍ବଳର ଉପଯୋଗ କରି ମାତ୍ର ଦୁଇ ଘଣ୍ଟା ମଧ୍ୟରେ ଏହି କାର୍ଯ୍ୟ ସଂପାଦିତ ହୋଇଥିଲା। ଏହି କାର୍ଯ୍ୟ ନିମନ୍ତେ ରେଳ ସେବାରେ କୌଣସି ବ୍ୟାହତ ଘଟି ନଥିଲା। ଆସନ୍ତା ରଜ ପୂର୍ବରୁ ଏହି ଫୁଟ୍‌ ଓଭର ବ୍ରିଜ୍‌ କାର୍ଯ୍ୟକାରୀ ହେଲେ ଯାତ୍ରୀ ସେବାରେ ଏହା ବେଶ୍‌ ଉପଯୋଗ ହୋଇପାରିବ ବୋଲି ପ୍ରକାଶ।

ସମ୍ବନ୍ଧିତ ଖବର