ବାରଙ୍ଗ : ବାରଙ୍ଗରୁ ପଟିଆ ରେଳ ଷ୍ଟେସନ ମଧ୍ୟରେ ଥିବା ପଦାସହି ଗ୍ରାମ ମୁଣ୍ଡ ରେଳ ଫାଟକ ଆଜି ଅଚଳ ହେବା କାରଣରୁ ଆଉ ଖୋଲିନଥିଲା। ଫଳରେ ଫାଟକ ଉଭୟ ପାର୍ଶ୍ୱରେ ୩୫ ମିନିଟ୍‌ କାଳ ପଥଚାରୀ ଅଟକି ରହିଥିଲେ। ପୂର୍ବାହ୍ନ ୧୦ଟା ବେଳେ ଏକ ମାଲବାହୀ ରେଳ ଭୁବନେଶ୍ୱର ଷ୍ଟେସନ୍‌ ପଟରୁ ବାରଙ୍ଗ ଅଭିମୁଖେ ଯାତ୍ରା କରୁଥିଲା। ରେଳଟି ଆସୁଥିବା କାରଣରୁ ଫାଟକ ପକାଇ ଦିଆଯାଇଥିଲା। ରେଳଟି ଫାଟକ ଅତିକ୍ରମ କରିବା ପରେ ସିଗ୍‌ନାଲ ପରିଚାଳନା ଦାୟିତ୍ୱରେ ଥିବା କର୍ମଚାରୀ କଣ୍ଟ୍ରୋଲ ରୁମର ନିର୍ଦ୍ଦେଶ ମୁତାବକ ଫାଟକ ଉଠାଇବାକୁ ଚେଷ୍ଟା କରିଥିଲା। ଯେତେ ଚେଷ୍ଟା କଲେ ମଧ୍ୟ ଡିଜିଟାଲ ଲକ୍‌ କାମ ନ କରିବାରୁ ଫାଟକ ଉଠିନଥିଲା। ପଦାସାହି ଗ୍ରାମ ପାଖ ଫାଟକଟିକୁ ବାଡ଼େଇ ବାଡ଼େଇ ଖୋଲିବାକୁ ଉଦ୍ୟମ କଲା ବେଳେ ଅଧାରୁ ଭାଙ୍ଗି ପଡ଼ିଥିଲା। ରେଳ ଫାଟକର ଉଭୟ ପାର୍ଶ୍ୱରେ ବହୁ ପଥଚାରୀ ଦୀର୍ଘ ସମୟ ଧରି ଅଟକି ରହିବା କାରଣରୁ ଅତିଷ୍ଠ ହୋଇ ପଡ଼ିଥିଲେ। ୩୫ମିନିଟ୍‌ ପରେ ଫାଟକ ଉଠିବାରୁ ଅପେକ୍ଷାରତ ପଥଚାରୀ ଗନ୍ତବ୍ୟସ୍ଥଳକୁ ଗସ୍ତ କରିଥିଲେ। ଫାଟକ ଆଉ ମରାମତି ହୋଇ ନପାରିବାରୁ ରେଳ ଆସିବା ବେଳେ ଲୁହା କଡି ପକାଇ ଫାଟକ ନିୟନ୍ତ୍ରଣ କରାଯାଉଛି।