ଚନ୍ଦ୍ରଶେଖରପୁର: ବିଏମ୍ସି ୯ ନମ୍ବର ୱାର୍ଡ ଅନ୍ତର୍ଗତ ରେଲୱେ ମାର୍କେଟ୍ ଛକ ବର୍ତ୍ତମାନ ମରଣଯନ୍ତା ପାଲଟିଛି। ଏହି ମାର୍କେଟ୍ ବା ଛକ ଦେଇ ଯାଇଥିବା ପ୍ରାୟ ଦୁଇ ଶହ ମିଟର ରାସ୍ତା ଅବସ୍ଥା ବଡ଼ କଦର୍ଯ୍ୟ ହୋଇପଡ଼ିଛି। ରାସ୍ତା ନବୀକରଣ ପାଇଁ ପଡ଼ିଥିବା ମାଟିରୁ ଖରା ବେଳେ ପ୍ରବଳ ଧୂଳି ଉଡ଼ୁଥିବା ବେଳେ ବର୍ଷା ସମୟରେ କାଦୁଅ ପଚପଚ ହେଉଥିବାରୁ ଲୋକେ ବଡ଼ ଦୟନୀୟ ଅବସ୍ଥାରେ ଯାତାୟାତ କରୁଛନ୍ତି। ୨୦୨୦ ମସିହାରୁ ଆରମ୍ଭ ହୋଇଥିବା ଏହି ରାସ୍ତା କାମ ସରିପାରିନଥିବା ବେଳେ ବିଭାଗୀୟ ଅଧିକାରୀମାନେ ଏଥିପ୍ରତି ଧ୍ୟାନ ଦେଉନଥିବା ଅଭିଯୋଗ ହେଉଛି।
ସୂଚନାନୁସାରେ ରେଳ ଷ୍ଟାଡିୟମ୍ରୁ ଗୁରୁ କେଳୁଚରଣ ପାର୍କ ପର୍ଯ୍ୟନ୍ତ ରାସ୍ତାର ନବୀକରଣ କାମ ଅଧାରୁ ବନ୍ଦ ହୋଇଯାଇଛି। ଏଥିପାଇଁ ୬ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା। ମାତ୍ର କୌଣସି କାରଣରୁ ଠିକାଦାର ଏହି କାମରୁ ଅଧାରୁ ଓହରିଯାଇଛନ୍ତି। ଏଣେ ରେଲୱେ ମାର୍କେଟ୍ ଛକରେ ଗଛ କଟା ହୋଇ ନବୀକରଣ ଅପେକ୍ଷାରେ ପଡ଼ିରହିଛି। ଗଛ କାଟିବା ପରେ ରାସ୍ତା ପ୍ରଶସ୍ତ ହୋଇଗଲା ସିନା ବର୍ଷ ବର୍ଷ ଧରି କେବଳ ମାଟି ପଡ଼ି ରହିବାରୁ ସମସ୍ୟା ଉପୁଜିଲା। ଖରା ଦିନେ ପ୍ରବଳ ଧୂଳି ଉଡ଼ିଲା। ଏତେ ଧୂଳି ଉଡ଼ିଲା ଯେ କୁହୁଡ଼ିର ଭ୍ରମ ସୃଷ୍ଟି କଲା। ଆଖି, ନାକ, କାନ ସବୁ ରୁନ୍ଧି ହୋଇଗଲା। ଖାଲଖମା ସାଙ୍ଗକୁ ପ୍ରବଳ ଧୂଳିରେ ରୁନ୍ଧି ହୋଇ ଲୋକେ ଦୁର୍ଘଟଣାର ଶିକାର ହେଲେ।
ଏବେ ବର୍ଷା ଦିନ ଆରମ୍ଭ ହେବା ପରେ ସମସ୍ୟା ଆହୁରି ସଂଗିନ୍ ହୋଇପଡ଼ିଛି। ରାସ୍ତା ସାରା କାଦୁଅ ପଚପଚ ହେଉଥିବା ବେଳେ ଖାଲଖମାରେ ପାଣି ଭର୍ତ୍ତି ହୋଇଯିବା ଦ୍ବାରା ଲୋକେ ବେଶି ଦୁର୍ଘଟଣାର ଶିକାର ହେଉଛନ୍ତି। ବେଶି ସମସ୍ୟାରେ ପଡ଼ୁଛନ୍ତି ମହିଳା, ବରିଷ୍ଠ ନାଗରିକ ଓ ସ୍କୁଲ ପିଲାମାନେ। ସେହିଭଳି ଉକ୍ତ ମାର୍କେଟ୍ର ବ୍ୟବସାୟୀମାନେ ମଧ୍ୟ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହେଉଥିବା କହିଛନ୍ତି। ଖରାଦିନେ ପ୍ରବଳ ଧୂଳି ଯୋଗୁଁ ହୋଟେଲ ଓ ଜଳଖିଆ ଦୋକାନୀମାନେ ହାତବାନ୍ଧି ବସିରହିଲେ। ସେହିଭଳି ଏବେ ଆଣ୍ଠୁଏ ଆଣ୍ଠୁଏ କାଦୁଅ ଯୋଗୁଁ ବି ଲୋକେ ମାର୍କେଟ୍କୁ ଆସିବା କମିଯାଉଛି। ସନ୍ଧ୍ୟା ହେଲେ ଏହି ରାସ୍ତା ଏକପ୍ରକାର ବନ୍ଦ ହୋଇଯିବା ଭଳି ଅବସ୍ଥା ସୃଷ୍ଟି ହେଉଛି। ତେଣୁ ମାର୍କେଟ୍ ବି ବନ୍ଦ ହୋଇଯାଉଛି। ଏନେଇ ସ୍ଥାନୀୟ ଜନପ୍ରତିନିଧିମାନଙ୍କୁ ବାରମ୍ବାର ଅଭିଯୋଗ କରାଯାଇଛି। ସେହିଭଳି ବିଡିଏ କର୍ତ୍ତୃପକ୍ଷଙ୍କୁ ମଧ୍ୟ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। କିନ୍ତୁ କୌଣସି ସୁଫଳ ମିଳିନାହିଁ। ତୁରନ୍ତ ଏହି ସମସ୍ୟାର ସମାଧାନ ନହେଲେ ସ୍ଥାନୀୟ ଲୋକେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/28-4.jpg)