ଚନ୍ଦ୍ରଶେଖରପୁର: କଳାରାହାଙ୍ଗ ଏବଂ ପଟିଆରେ ନିର୍ମାଣ ହେବ ରେଳ ଓଭରବ୍ରିଜ। ୧୪୦ କୋଟି ଟଙ୍କାର ବ୍ୟୟ ଅଟକଳରେ ଏହି ଦୁଇଟି ରେଳ ଓଭରବ୍ରିଜ ନିର୍ମାଣ ହେବ। ଫଳରେ ପଟିଆ ଓ କଳାରାହାଙ୍ଗ ଅଞ୍ଚଳରେ ଟ୍ରାଫିକ୍ ସମସ୍ୟା ଦୂର ହେବ। ଆଜି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ପଟିଆ ଏବଂ କଳାରାହାଙ୍ଗ ରେଳ ଷ୍ଟେସନ ଅଞ୍ଚଳକୁ ଗସ୍ତ କରି ଅଧିକାରୀଙ୍କ ସହିତ ସ୍ଥିତି ସମୀକ୍ଷା କରିଛନ୍ତି। କଳାରାହାଙ୍ଗ ରେଳ ଓଭରବ୍ରିଜ ପାଇଁ ୮୦ କୋଟି ଏବଂ ପଟିଆ ରେଳ ଓଭରବ୍ରିଜ ପାଇଁ ୬୦ କୋଟି ଟଙ୍କା ମଞ୍ଜୁର ହୋଇଥିବା ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ଖୁବ୍‌ଶୀଘ୍ର ଏହି ପ୍ରକଳ୍ପ ପାଇଁ ଟେଣ୍ଡର ହେବ ବୋଲି ସାଂସଦ କହିଛନ୍ତି।  ପୂର୍ବରୁ ଏହି ରେଳ ଓଭରବ୍ରିଜ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ବଡ଼ ସମସ୍ୟା ଭାବେ ଉଭା ହୋଇଥିଲା। ଫଳରେ ପ୍ରକଳ୍ପ କାମ ଆଗେଇ ପାରୁନଥିଲା।