ଭୁବନେଶ୍ବର: ଦୁଇ ଘଣ୍ଟା ବାଇକ୍ ପାର୍କିଂ କଲେ ଗଣିବାକୁ ପଡ଼ିବ ୧୨ ଟଙ୍କା। ୨ରୁ ୬ ଘଣ୍ଟା ଯଦି ପାର୍କିଂ କରୁଛନ୍ତି ତେବେ ଦେବାକୁ ହେବ ୨୪ ଟଙ୍କା। ଅନୁରୂପ ଭାବେ ୬ରୁ ୧୨ ଘଣ୍ଟା ପାଇଁ ୩୬ ଟଙ୍କା, ୧୨ରୁ ୨୪ ଘଣ୍ଟା ଯାଏଁ ଗାଡ଼ି ପାର୍କିଂ ସ୍ଥଳରେ ରହିଲେ ଦେବାକୁ ପଡ଼ିବ ୪୭ ଟଙ୍କା। ଯଦି ଗାଡ଼ିଟି ୨୪ ଘଣ୍ଟାରୁ ଅଧିକ ସମୟ କିମ୍ବା ଗୋଟିଏ ଦିନ ରହିବ ତାହା ହେଲେ ୯୪ ଟଙ୍କା ପାର୍କିଂ ଫି ବାବଦରେ ଦେବାକୁ ପଡ଼ିବ। କୌଣସି ପ୍ରକାର ରିହାତି ମିଳିବ ନାହିଁ। ପୂର୍ବତଟ ରେଳପଥ ପକ୍ଷରୁ ଭୁବନେଶ୍ବର ରେଳ ଷ୍ଟେସନର ପାର୍କିଂ ଟାରିଫ୍ ଏଭଳି ଧାର୍ଯ୍ୟ ହୋଇଛି।
କେବଳ ବାଇକ୍ ନୁହେଁ, ସାଇକେଲ୍ ପାର୍କିଂ କଲେ ଘଣ୍ଟା ପ୍ରତି ହାରାହାରି ଏକ ଟଙ୍କା ଲେଖାଏଁ ଦେବାକୁ ପଡ଼ିବ। ଅର୍ଥାତ୍ ଦୁଇ ଘଣ୍ଟାକୁ ଦୁଇ ଟଙ୍କା, ୨ରୁ ୬ ଘଣ୍ଟା ପାଇଁ ୫ ଟଙ୍କା, ୬ରୁ ୧୨ ଘଣ୍ଟା ପାଇଁ ୭ ଟଙ୍କା, ୧୨ରୁ ୨୪ ଘଣ୍ଟା ମଧ୍ୟରେ ୧୨ ଟଙ୍କା ଓ ୨୪ ଘଣ୍ଟାରୁ ଅଧିକ ସମୟ ସାଇକେଲ୍ ରହିଲେ ପାର୍କିଂ ଫି’ ବାବଦରେ ୨୪ ଟଙ୍କା ଗଣିବେ। ପୂର୍ବରୁ ୨୪ ଘଣ୍ଟା ପାଇଁ ୧୨ ଟଙ୍କା ଦେବାକୁ ଦେବାକୁ ପଡ଼ୁଥିଲା। ଏବେ ହଠାତ୍ ଫାର୍କିଂ ଦର ୮ ଗୁଣ ବୃଦ୍ଧି ହୋଇଥିବାରୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପାର୍କିଂ ସମୟରେ ଯୁକ୍ତିତର୍କ ହେଉଥିବା ଦୃଶ୍ୟ ଆଜି ସାମ୍ନାକୁ ଆସିଛି। ସାମାଜିକ ଗଣମାଧ୍ୟମରେ ଏହାକୁ ନେଇ ଭିନ୍ନ ଭିନ୍ନ ମତପ୍ରକାଶ ପାଇଛି। କିଏ କେନ୍ଦ୍ର ସରକାରଙ୍କୁ ତ ଆଉ କିଏ ରେଳବିଭାଗର ଜୁଲ୍ମକୁ ଦର୍ଶାଇଛନ୍ତି।
ରେଳ ଯାତ୍ରୀ ପ୍ରଭାକର ମହାଳି କହିଛନ୍ତି ଯେ କେନ୍ଦ୍ର ସରକାର ନିଜର ପ୍ରଚାରପ୍ରସାର ପାଇଁ ଏଭଳି ଫି ବୃଦ୍ଧି କରି ଟଙ୍କା ଆଦାୟ କରୁଛନ୍ତି। ପାର୍କିଂ ଫି’ ବୃଦ୍ଧି ଦ୍ବାରା ଲୋକଙ୍କୁ ଅଧିକ ବାଧିବ। ବିଶେଷକରି ଯେଉଁମାନେ ଷ୍ଟେସନରେ ଗାଡ଼ି ରଖି କଟକ, ପୁରୀ, ଖୋର୍ଦ୍ଧା ପରି ନିକଟସ୍ଥ ସହରକୁ ଯାଉଛନ୍ତି ସେମାନେ ଅଧିକ ହଇରାଣ ହେବେ। ଟ୍ରେନ୍ ଟିକେଟ୍ ଭଡ଼ାକୁ ଷ୍ଟେସନ ପାର୍କିଂ ଫି ବଳିଯାଉଛି ବୋଲି କହିଛନ୍ତି। ଅନ୍ୟତମ ଯାତ୍ରୀ ଶକୁନ୍ତଳା ସାହୁଙ୍କ କହିବାନୁଯାୟୀ ପ୍ରତିଦିନ ଏଠାକାର ପାର୍କିଂ ସ୍ଥଳରେ ଗାଡ଼ି ରଖି ବାଲେଶ୍ବର ଯାଇଥାଏ ଏବଂ ଦୁଇ ଦିନ ପରେ ଫେରି ଆସିଥାଏ। ଦିନକୁ ୧୨ ଟଙ୍କା ଦେବାକୁ ହେଉଥିଲା। ଏବେ ୯୪ ଟଙ୍କା ଦେବା ଦ୍ବାରା ବହୁ ବାଧୁଛି। ପାର୍କିଂ ଦର ଏଭଳି ବୃଦ୍ଧି ଆଦୌ ଗ୍ରହଣୀୟ ନୁହେଁ। ତୁରନ୍ତ ଏହାକୁ ପ୍ରତ୍ୟାହାର କରାଯାଉ। ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି ଯେ ରେଲୱେ ସର୍ଭେ କମିଟି ରିପୋର୍ଟ ଅନୁଯାୟୀ ଦର ଧାର୍ଯ୍ୟ ହୋଇଛି। ସ୍ଥାନୀୟ ଅଞ୍ଚଳର ଆବଶ୍ୟକତା, ପାଖାପାଖି ଥିବା ପାର୍କିଂ ବ୍ୟବସ୍ଥା ଓ ବଜାର ଚାହିଦାକୁ ଦୃଷ୍ଟିରେ ରଖି ଏଭଳି ଦର ସ୍ଥିର ହୋଇଛି।