ଆର୍‌ଆର୍‌ବି ପରୀକ୍ଷାରେ ଅବ୍ୟବସ୍ଥା

ଭୁବନେଶ୍ବର : ‌ରେଳବାଇ ନିଯୁକ୍ତି ବୋର୍ଡ(ଆର୍‌ଆର୍‌ବି) ପରୀକ୍ଷାରେ ଅବ୍ୟବସ୍ଥା ଦେଖାଦେଇଛି। ପରୀକ୍ଷା କେନ୍ଦ୍ର‌ରେ ବିଦ୍ୟୁତ୍‌ ସମସ୍ୟା ଓ ସର୍ଭରରେ ତ୍ରୁଟି ରହିଥିବାରୁ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେଇପାରି ନାହାନ୍ତି। ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଭୁବନେଶ୍ବରର ବିଭିନ୍ନ କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କୁ ନାକେଦମ ହେବାକୁ ପଡ଼ିଥିଲା। ଏନେଇ ଉତ୍ତେଜନା ପ୍ରକାଶ ପାଇବାରୁ ପରୀକ୍ଷା ପରିଚାଳନା କରୁଥିବା ଆରଆରବି କର୍ତୃପକ୍ଷ ପରୀକ୍ଷାକୁ ଘୁଞ୍ଚାଇ ଦେଇଛନ୍ତି। ତେବେ କେବେ ପରୀକ୍ଷା ହେବ ସେନେଇ କୌଣସି ସୂଚନା ଦିଆଯାଇ ନାହିଁ। ପରୀକ୍ଷାର ଦିନ ଧାର୍ଯ୍ୟ ହେବା ପରେ ପରୀକ୍ଷାର୍ଥୀଙ୍କୁ ଜଣାଇ ଦିଆଯିବ ବୋଲି କୁହାଯାଇଛି। ଭୁବନେଶ୍ବର ଉପକଣ୍ଠ ରେତଙ୍ଗରେ ଥିବା ଏକ କଲେଜ ସମେତ ପଟିଆ ଅଞ୍ଚଳରେ ଥିବା ଏକ ଇଞ୍ଜିନିୟରିଂ କଲେଜରେ ପରୀକ୍ଷା କେନ୍ଦ୍ର ହୋଇଥିଲା। ସକାଳ ସାଢ଼େ ୭ଟାରୁ ଜୁନିଅର ଇଞ୍ଜିନିୟର, ଜୁନିଅର ଇଞ୍ଜିନିୟର ଆଇଟି ଓ ଡିପୋ ମେଟେରିୟାଲ୍ସ ସୁପରିନ୍‌ଟେଣ୍ଡେଣ୍ଟ ପଦବି ଲାଗି ପରୀକ୍ଷା ହେବାର ଥିଲା। ପରୀକ୍ଷା କେନ୍ଦ୍ରଗୁଡ଼ିକରେ ବିଦ୍ୟୁତ୍‌ ସମସ୍ୟା ଓ ସର୍ଭରରେ ତ୍ରୁଟି ରହିଥିବାରୁ ପରୀକ୍ଷା ହୋଇପାରି ନଥିଲା। ଏହାକୁ ନେଇ ପରୀକ୍ଷା କେନ୍ଦ୍ରରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଖବର ପାଇ ପୁଲିସ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ପରୀକ୍ଷାର୍ଥୀଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର