ଭୁବନେଶ୍ବର: ଦୂର ହେଲା ବାଧା। ଏଥର ଆଗେଇବ ଭୁବନେଶ୍ବର ରେଳ ଷ୍ଟେସନ ସମ୍ପ୍ରସାରଣ କାମ। ଷ୍ଟେସନ ସମ୍ମୁଖ ଭାଗରେ ଥିବା ବିଡିଏ ଜମିକୁ ନେଇ ୮ ବର୍ଷ ହେଲା ଯେଉଁ ସମସ୍ୟା ରହିଥିଲା ତାହାର ସମାଧାନ ହୋଇଛି। ଷ୍ଟେସନର ପ୍ରଥମ ପ୍ଲାଟଫର୍ମକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ କରିବାକୁ ବିଡିଏ ଅନୁମତି ପ୍ରଦାନ କରିଛି। ପାଖାପାଖି ୯ ଏକର ପରିମିତ ଜମିରେ ଷ୍ଟେସନ ପ୍ରବେଶ ପଥକୁ ଯିବାକୁ ରାସ୍ତା ନିର୍ମାଣ ସହ ସୌନ୍ଦର୍ଯ୍ୟକରଣ କରାଯିବ। ଏଥିସହ ମାଷ୍ଟରକ୍ୟାଣ୍ଟିନ୍‌ ଛକକୁ ଏକ ମଲ୍ଟିମୋଡାଲ ହବ୍(ବହୁମୁଖୀ ପରିବହନ କେନ୍ଦ୍ର)ରେ ପରିଣତ କରିବାକୁ ନକ୍ସା ପ୍ରସ୍ତୁତ ହୋଇଛି। ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ଷ୍ଟେସନକୁ ଯିବା, ମେଟ୍ରୋ ଷ୍ଟେସନ ଓ ସଡ଼କ ପଥ ସହ ଯୋଡ଼ି ହେବାକୁ ତାହା କିଭଳି ଠିକ୍‌ ଭାବେ ହୋଇପାରିବ ସେଥିପ୍ରତି ଧ୍ୟାନ ଦିଆଯାଇଛି। ଉଭୟ ମଧ୍ୟରେ ସମନ୍ବିତ ରକ୍ଷା କରାଯାଇ ଯୋଜନା ପ୍ରସ୍ତୁତ କରିବାକୁ ଉଭୟ ବିଡିଏ ଓ ରେଳ ବିଭାଗ ନିଷ୍ପତ୍ତି ନେଇଛନ୍ତି। ରେଲୱେ ପକ୍ଷରୁ ଇତିମଧ୍ୟରେ ନକ୍ସା ପ୍ରସ୍ତୁତ କରାଯାଇ ବିଡିଏ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯାଇଛି। ସୂଚନା ଅନୁଯାୟୀ ମୁଖ୍ୟ ଶାସନ ସଚିବ ନଭେମ୍ବର ୧୨ରେ ଏହି ପ୍ରକଳ୍ପର ସମୀକ୍ଷା କରିଥିଲେ। ଏହାପରେ ୧୮ ତାରିଖରେ ବିଡିଏ ଉପାଧ୍ୟକ୍ଷ ରେଳ ଷ୍ଟସନ କାର୍ଯ୍ୟର ଅନୁଧ୍ୟାନ କରିଥିଲେ। ରେଳ ଷ୍ଟେସନର  ପ୍ରମୁଖ କାର୍ଯ୍ୟ ଶେଷ ହୋଇଥିବା ବେଳେ ମୁଖ୍ୟ ପ୍ରବେଶ ପଥକୁ ସଂଯୋଗ କରୁଥିବା ଉଚ୍ଚ ରାସ୍ତା ନିର୍ମାଣ ନେଇ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଏହାପରେ ନଭେମ୍ବର ୨୧ରେ ବିଡିଏ ପ୍ଲାନିଂ ଟିମ୍‌ ସହ ରେଳୱେ ଅଧିକାରୀମାନେ ନିର୍ମାଣ ସ୍ଥଳ ପରିଦର୍ଶନ କରିବା ସହ ସମ୍ମୁଖ ଭାଗ କିଭଳି ବିକାଶ ହୋଇପାରିବ ସେନେଇ ଆଲୋଚନା କରିଥିଲେ। ମେଟ୍ରୋ, ସଡ଼କ ପଥ ଓ ରେଳପଥରୁ ଯାତ୍ରୀଙ୍କ ନିରବଚ୍ଛିନ୍ନ ସ୍ଥାନାନ୍ତରଣ କିଭଳି ସମ୍ଭବପର ସେନେଇ ବିଚାରବିମର୍ଶ କରାଯାଇ ‌ରୂପରେଖ ପ୍ରସ୍ତୁତ ହୋଇଛି। ସମଗ୍ର କ୍ଷେତ୍ର ଏକୀକୃତ ସଂସ୍ଥା ଭାବରେ ବିକଶିତ କରାଯିବ। ଆସନ୍ତା କିଛି ମାସ ମଧ୍ୟରେ ପ୍ରକଳ୍ପ ଚୂଡ଼ାନ୍ତ ରୂପ ନେବା ସହ ଭାରତୀୟ ରେଳବାଇରେ ନୂତନ ନିର୍ମାଣ କ୍ଷମତା ପ୍ରଦାନ କରିବ।

Advertisment

ନକ୍ସା‌ ପ୍ରସ୍ତୁତ କରି ଦେଲା ପୂର୍ବତଟ ରେଳପଥ
ମାଷ୍ଟରକ୍ୟାଣ୍ଟିନ୍‌ ହେବ ବହୁମୁଖୀ ପରିବହନ କେନ୍ଦ୍ର
ରେଳ, ମେଟ୍ରୋ, ସଡ଼କ ପଥର ହେବ ସମନ୍ବୟ

ଯୋଜନା ଅନୁଯାୟୀ ରେଳ ଷ୍ଟେସନକୁ ଉଚ୍ଚା ରାସ୍ତା ‌ନିର୍ମାଣ ହେବ, ଯାହାକି ମାଷ୍ଟରକ୍ୟାଣ୍ଟିନ୍‌ ଛକ ନିକଟରୁ ଆରମ୍ଭ ହେବ। ଏହି ଉଚ୍ଚା ରାସ୍ତାର ତଳ ଦୁଇ ପାର୍ଶ୍ବରେ ସଡ଼କ ପଥ ରହିବ। ସମ୍ମୁଖ ଭାଗରେ ବ୍ୟାପକ ବୃକ୍ଷରୋପଣ କରାଯାଇ ସବୁଜିମାମୟ କରାଯିବ। କାର୍‌, ବାଇକ୍‌ ପାର୍କିଂ ପାଇଁ ବ୍ୟବସ୍ଥା ହେବ। ବସ୍‌, ଅଟୋରେ ଆସୁଥିବା ଯାତ୍ରୀମାନେ ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ଚାଲି ଚାଲି ଷ୍ଟେସନକୁ ଯିବେ। ବିସ୍ତିର୍ଣ୍ଣ ଖାଲି ଅଞ୍ଚଳ ରହିବା ସହ ବିଭିନ୍ନ ଡିଜାଇନ୍‌ କରାଯିବ। ଇତିମଧ୍ୟରେ ମୁଖ୍ୟ ପ୍ରବେଶ ପଥ ବିଲଡିଂର ଗ୍ରାଉଣ୍ଡ ଫ୍ଲୋର୍‌ ସହ ୪ ମହଲା ଏବଂ କଟକ ରୋଡ୍‌ ପାର୍ଶ୍ବର ଗ୍ରାଉଣ୍ଡ ଫ୍ଲୋର୍‌ ସହ ଦୁଇ ମହଲା ବିଲଡିଂ କାର୍ଯ୍ୟ ଶେଷ ହୋଇଛି। ଉଭୟ ପାର୍ଶ୍ବ କାମ ସରିଥିବା ବେଳେ ଏବେ ଇଣ୍ଟେରିଅର କାର୍ଯ୍ୟ ଜାରି ରହିଛି। ଉଭୟ ପାର୍ଶ୍ବର ଏଲିଭେଟେଡ୍‌ ରୋଡ୍‌, ପ୍ଲାଟଫର୍ମ ଛାତ କାମ ଶେଷ ହେବା, ସମନ୍ବିତ ଯାତ୍ରୀ ପରିଚାଳନା ବ୍ୟବସ୍ଥା, ଫୁଟ୍‌ ଓଭର ବ୍ରିଜ୍‌(ଏଫ୍‌ଓବି) କାମ ୫୨% ଶେଷ ହୋଇଥିବା ଜଣାପଡ଼ିଛି।

ଏହି ଷ୍ଟେସନର ବିକାଶ କରିବାକୁ ୨୦୧୭ରୁ ଯୋଜନା ହୋଇଥିଲେ ମଧ୍ୟ ତାହା ଅଗ୍ରସର ହୋଇପାରି ନ ଥିଲା। ରାଜ୍ୟ ସରକାରଙ୍କ ଅଧୀନରେ ପ୍ରାୟ ୧୦ ଏକରରୁ ଅଧିକ ଜମି ରହିଥିବାରୁ ତାହାର କିଏ ଓ କିଭଳି ବିକାଶ କରିବେ ସେନେଇ ରାଜ୍ୟ ସରକାର ଓ ରେଳ ମନ୍ତ୍ରଣାଳୟ ମଧ୍ୟରେ ପ୍ରାୟ ଦେଢ଼ ବର୍ଷ ଧରି ଟଣାଓଟରା ଚାଲିଥିଲା। ଶେଷରେ ଏକ ମଲ୍ଟିମୋଡାଲ ହବ୍ ନିର୍ମାଣ କରିବାକୁ ୨୦୧୯ ସେପ୍ଟେମ୍ବରରେ ଓଡ଼ିଶା ସରକାର ଓ ରେଳ ମନ୍ତ୍ରାଳୟ ମଧ୍ୟରେ ଏମ୍‌ଓୟୁ ସ୍ବାକ୍ଷର ହୋଇଥିଲା। ରାଜିନାମା ଅନୁଯାୟୀ ଖର୍ଚ୍ଚ ହେବାକୁ ଥିବା ୧୩୦କୋଟି ମଧ୍ୟରୁ ରେଳ ମନ୍ତ୍ରାଳୟ ୭୦କୋଟି ଓ ରାଜ୍ୟ ସରକାର ୬୦କୋଟି ଖର୍ଚ୍ଚ କରିବାକୁ ସ୍ଥିର ହୋଇଥିଲା। ସାଧାରଣ ପ୍ରଶାସନ ବିଭାଗ ଓ ବିଡିଏ ଜମିରେ ଏହି ମଲ୍ଟିମୋଡାଲ ହବ୍‌ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ତେବେ ୫ ବର୍ଷ ହେଲା ସେହି ଅନୁଯାୟୀ କାର୍ଯ୍ୟ ଆଗେଇପାରି ନ ଥିଲା। ଏବେ ଓଡ଼ିଶାରେ ସରକାର ବଦଳିବା ସହ କାର୍ଯ୍ୟ ଆଗକୁ ବଢ଼ିବାକୁ ଯାଉଛି।