ରେଳ ଷ୍ଟେସନ ଭୁବନେଶ୍ୱର ସହରର ହୃଦୟ: ରେଳମନ୍ତ୍ରୀ

୬ ନମ୍ବର ପ୍ଲାଟଫର୍ମର ଭିତ୍ତିଭୂମି ଯାଞ୍ଚ କଲେ, ହୀରାଖଣ୍ଡ ଏକ୍ସପ୍ରେସ୍‌ରେ ଗଲେ ରାୟଗଡ଼ା

ଭୁବନେଶ୍ବର : ଓଡ଼ିଶା ଗସ୍ତ ଅବସରରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଗୁରୁବାର ଭୁବନେଶ୍ବର ରେଳ ଷ୍ଟେସନ ଭିତ୍ତିଭୂମି ଯାଞ୍ଚ କରିଛନ୍ତି। ବିଶ୍ବସ୍ତରୀୟ ହେବାକୁ ଥିବା ଏହି ଷ୍ଟେସନ କାର୍ଯ୍ୟ କେତେ ବାଟ ଆଗେଇଛି ଓ କେଉଁଠି ଅସୁବିଧା ରହିଛି ସେନେଇ ପୂର୍ବତଟ ରେଳପଥର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

ଭିତ୍ତିଭୂମି ଯାଞ୍ଚ ସମୟରେ ରେଳମନ୍ତ୍ରୀ ମୁଖ୍ୟତଃ ୬ ନମ୍ବର ପ୍ଲାଟଫର୍ମ ପାର୍ଶ୍ବ ପ୍ରବେଶ ପଥ ଉପରେ ଗୁରୁତ୍ବ ଦେଇଥିଲେ। ମାଷ୍ଟରକ୍ୟାଣ୍ଟିନ୍‌ ପାର୍ଶ୍ବ ପ୍ରବେଶ ପଥର ବିକାଶ ହେଉଥିବା ବେଳେ ୬ ନମ୍ବରରେ କେଉଁ ଅସୁବିଧା ରହୁଛି, କାହିଁକି ବିକାଶ ହୋଇପାରୁ ନାହିଁ ସେନେଇ ସମୀକ୍ଷା କରିଥିଲେ। ପ୍ରାୟ ୧୦ ମିନିଟ୍‌ ଧରି ଷ୍ଟେସନର ବିଭିନ୍ନ ପ୍ଲାଟଫର୍ମ ବୁଲି ଦେଖିବା ପରେ ସନ୍ଧ୍ୟା ୭ଟା ୩୫ରେ ହୀରାଖଣ୍ଡ ଏକ୍ସପ୍ରେସ୍‌ରେ ରାୟଗଡ଼ା ଅଭିମୁଖେ ଯାତ୍ରା କରିଥିଲେ। ଏହି ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଲେ; ଯେକୌଣସି ରେଳ ଷ୍ଟେସନ ଗୋଟିଏ ସହରର ହୃଦୟ ଅଟେ। ତେଣୁ ଭୁବନେଶ୍ୱର ରେଳ ଷ୍ଟେସନ ମଧ୍ୟ ଭୁବନେଶ୍ୱର ସହରର ହୃଦୟ। ଆମେ ଏହାକୁ ପରିଷ୍କାର, ପରିଷ୍କାର ଓ ସୁସ୍ଥ ରଖିବା ଜରୁରୀ। ଭୁବନେଶ୍ୱର ରେଳ ଷ୍ଟେସନକୁ ବିଶ୍ବସ୍ତରୀୟ କରିବା ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ। ରେଳ ଷ୍ଟେସନର ପରିଚ୍ଛନ୍ନତାକୁ ନେଇ ଯାତ୍ରୀମାନେ ଖୁସି ବ୍ୟକ୍ତ କରିଛନ୍ତି। ‌ଷ୍ଟେସନର ପୂର୍ବ ପ୍ରବେଶପଥ ବିଷୟରେ ଅନେକ ସ୍ମାରକପତ୍ର ଗ୍ରହଣ କରିଛି। ତେଣୁ ତାହାକୁ ଯାଞ୍ଚ କରିବା ସହ କେଉଁଠି ଅସୁବିଧା ରହିଛି ତାହା ଅନୁଧ୍ୟାନ କରିଛି। ଯେତେଶୀଘ୍ର ସମ୍ଭବ ଏହାର ବିକାଶ କରାଯିବ।

ଷ୍ଟେସନ ବୁକ୍‌ ଷ୍ଟଲ୍‌ରୁ ବହି କିଣି ପଢ଼ିଲେ
ହୀରାଖଣ୍ଡ ଏକ୍ସପ୍ରେସ୍‌ରେ ଚଢ଼ିବା ପୂର୍ବରୁ ରେଳମନ୍ତ୍ରୀ ଷ୍ଟେସନରେ ଥିବା ବିଭିନ୍ନ ଷ୍ଟଲ୍‌ ବୁଲିଥିଲେ। ଏହି ଅବସରରେ ଷ୍ଟେସନ ଭିତରେ ଥିବା ଏକ ଆଧ୍ୟାତ୍ମିକ ବୁକ୍‌ ଷ୍ଟଲ୍‌ରେ ପହଞ୍ଚି ଏକାଧିକ ପୁସ୍ତକ ଦେଖିଥିଲେ। ସେଥିରୁ କିଛି ବହି ଭଲ ଲାଗିବାରୁ ସେ କିଣିଥିବା ଦେଖିବାକୁ ମିଳିଥିଲା। ରେଳମନ୍ତ୍ରୀଙ୍କ ସହ ପୂର୍ବତନ ରେଳପଥର ମହାପ୍ରବଦ୍ଧକ ବିଦ୍ୟା ଭୂଷଣ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସହଯାତ୍ରୀଙ୍କ ସହ କଥା ହେଲେ
ହୀରାଖଣ୍ତ ଟ୍ରେନ୍‌ରେ ରାୟଗଡ଼ାକୁ ଯାତ୍ରା ସମୟରେ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ସାଧାରଣ ସ୍ଲିପର୍ କୋଚ୍‌ରେ ପ୍ରବେଶ କରି ଟ୍ରେନ୍‌ ଭିତରର ପରିଷ୍କାର ପରିଚ୍ଛନ୍ନତା ସମ୍ପର୍କରେ ଯାତ୍ରୀଙ୍କ ମତ ନେଇଥିଲେ। ରେଳମନ୍ତ୍ରୀଙ୍କୁ ପାଖରେ ପାଇ ଯାତ୍ରୀମାନେ ବି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଏବଂ ତାଙ୍କ ସହ ମିଶିବାକୁ ଚେଷ୍ଟା କରିଥିଲେ। ମନ୍ତ୍ରୀ ଶ୍ରୀ ବୈଷ୍ଣବ କୁଣ୍ଠାବୋଧ ନ କରି ସହଯାତ୍ରୀଙ୍କ ସହ କଥାବର୍ତା କରିଥିଲେ। ଟ୍ରେନର ଅନୁଭୂତି, ସଫେଇ ଆଦି ବିଷୟରେ ସେମାନଙ୍କ ମତାମତ ନେଇଥିଲେ। ଛୋଟ ପିଲାମାନେ ମଧ୍ୟ ରେଳମନ୍ତ୍ରୀଙ୍କ ନିକଟକୁ ଆସି ଫଟୋ ଉଠାଉଥିବା ଦେଖିବାକୁ ମିଳିଥିଲା। ଏହି ଅବସରରେ ଏକ କୋଚ୍‌‌ରେ ଥିବା ଯାତ୍ରୀମାନେ ଗୁଣୁପୁରରୁ ଥିରୁବାଲିକୁ ଟ୍ରେନ୍‌ ସେବା ଆରମ୍ଭ କରିବାକୁ ଦାବି କରିଥିଲେ। ଏ ନେଇ ବିଚାର ଆଲୋଚନା କରିବେ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥି‌ଲେ।

ଏହି ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀଙ୍କ କହିବାନୁଯାୟୀ ମନ୍ତ୍ରୀଙ୍କ ସହ କଥା ହୋଇ ବହୁତ ଭଲ ଲାଗିଲା। ନମ୍ରତାର ସହ ସେ ମୋ ସହ କଥା ହେଲେ। ଓଡ଼ିଆରେ କଥାବାର୍ତା ହେବା ସହ ସବୁ କଥା ପଚାରି ବୁଝିଲେ। ତାଙ୍କର ପ୍ରତିଟି କଥା ଭଲ ଲାଗିଲା।

ସମ୍ବନ୍ଧିତ ଖବର