ମୋବାଇଲ୍‌ ଆପ୍‌ରେ ରେଳଯାତ୍ରା

ଚନ୍ଦ୍ରଶେଖରପୁର: ଟ୍ରେନ୍‌ ଟିକେଟ କାଉଣ୍ଟର୍‌ରେ ମାତ୍ରାଧିକ ଭିଡ଼ କାରଣରୁ ଟ୍ରେନ୍‌ ମିସ୍‌ କରିବାକୁ ପଡ଼େ। ଏହି ଅସୁବିଧାକୁ ଦୂର କରିବା ପାଇଁ ପୂର୍ବତଟ ରେଳପଥ ଆଜିଠୁଁ ପ୍ରଚଳନ କରିଛି ମୋବାଇଲ୍‌ ଜରିଆରେ ଅଣସଂରକ୍ଷିତ ଟିକେଟ୍‌ କାଟିବା ବ୍ୟବସ୍ଥା ବା ୟୁଟିଏସ୍‌। କ୍ୟାସ୍‌ଲେସ୍‌ ଅର୍ଥନୀତି ପ୍ରଚଳନକୁ ପ୍ରୋତ୍ସାହନ ଦେବା ଦିଗରେ ପୂର୍ବତଟ ରେଳ ପକ୍ଷରୁ ଏଭଳି ଅଭିନବ ବ୍ୟବସ୍ଥାର ପ୍ରଚଳନ କରାଯାଇଛି। ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ପୂର୍ବତଟ ରେଳପଥ ସାରା ଭାରତରେ ପ୍ରଥମ ହେବାର ମର୍ଯ୍ୟାଦା ପାଇଛି। ଆଜି ପୂର୍ବତଟ ରେଳର ମୁଖ୍ୟ କାର୍ଯ୍ୟାଳୟରେ ମହାପ୍ରବନ୍ଧକ ଉମେଶ ସିଂହ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ। ମହା ମୁଖ୍ୟ ବାଣିଜ୍ୟିକ ପ୍ରବନ୍ଧକ ଅଜୟ ବେହେରା, ସିପିଆର୍‌ଓ ଜେ ପି ମିଶ୍ରଙ୍କ ସମେତ ରେଳ ବିଭାଗର ବହୁ ବରିଷ୍ଠ ଅଧିକାରୀ ଏହି ଅବସରରେ ଉପସ୍ଥିତ ଥିଲେ। ଇଣ୍ଟରସିଟି, ପାସେଞ୍ଜର୍‌ ଟ୍ରେନ୍‌ ଆଦିରେ ପ୍ରତିଦିନ ଯାତ୍ରା କରୁଥିବା କର୍ମଚାରୀ, ଛାତ୍ରଛାତ୍ରୀ ତଥା ସବୁବର୍ଗର ନିତିଦିନିଆ ଯାତ୍ରୀଙ୍କୁ ଏହି ବ୍ୟବସ୍ଥା ବେଶ୍‌ ସହାୟକ ହେବ। ଦ୍ୱିତୀୟ ଶ୍ରେଣୀ ଅଣସଂରକ୍ଷିତ ଟିକେଟ୍‌ ସହିତ ସମସ୍ତ ଏହି ବ୍ୟବସ୍ଥାରେ ଯାତ୍ରୀମାନଙ୍କୁ ଆଉ ଟିକେଟ୍‌ର ପ୍ରିଣ୍ଟ୍‌ ନେଇ ଯିବାକୁ ପଡ଼ିବ ନାହିଁ। ଏହି ବ୍ୟବସ୍ଥାରେ ଥରେ ଟିକେଟ କାଟିଲେ ଆଉ ଫେରସ୍ତ ହୋଇପାରିବ ନାହିଁ କିମ୍ବା ପଇସା ମଧ୍ୟ ଫେରସ୍ତ ହୋଇପାରିବ ନାହିଁ।

ମୋବାଇଲରେ ଅଣସଂରକ୍ଷିତ ଟିକେଟ ବ୍ୟବସ୍ଥା
ଭାରତରେ ତୃତୀୟ ପୂର୍ବତଟ ରେଳପଥ
୮୭ କୋଟିର ବଜେଟ୍‌

କେମିତି ଆପଣାଇବେ ଏହି ବ୍ୟବସ୍ଥା
ଯାତ୍ରୀମାନଙ୍କୁ ପ୍ରଥମେ ୟୁଟିଏସ୍‌ ଆପ୍‌କୁ ନିଜ ମୋବାଇଲ୍‌ରେ ଡାଉନ୍‌ଲୋଡ୍‌ କରିବାକୁ ହେବ। ପରେ ନିଜ ନାମ ଓ ମୋବାଇଲ୍‌ ନମ୍ବର ସହିତ ଏହାକୁ ସଂଯୋଗ କରିବାକୁ ପଡ଼ିବ। ନେଟ୍‌ ବ୍ୟାଙ୍କିଙ୍ଗ୍‌ କିମ୍ବା କ୍ରେଡିଟ୍‌/ଡେବିଟ୍‌ କାର୍ଡ ଜରିଆରେ ୧୦୦ କିମ୍ବା ତଦୁର୍ଧ୍ୱ ଟଙ୍କାର ଦେୟ ପଇଠ କରିବାକୁ ପଡ଼ିବ। ସର୍ବାଧିକ ୧୦୦୦୦ ଟଙ୍କା ପର୍ଯ୍ୟନ୍ତ ବାଲାନ୍ସ ପଡ଼ିପାରିବ। ଏହା ସମ୍ପୂର୍ଣ୍ଣ ଭାବରେ ରେଳ ବିଭାଗର ନିଜସ୍ୱ ଜ୍ଞାନକୌଶଳ। ଯାତ୍ରାର ତିନି ଘଣ୍ଟା ମଧ୍ୟରେ ଏହି ବ୍ୟବସ୍ଥାରେ ଟିକେଟ କରାଯାଇପାରିବ। ଜଣେ ବ୍ୟକ୍ତି ସର୍ବାଧିକ ଚାରିଟି ଟିକେଟ କାଟିପାରିବ। ମାତ୍ର ଏଥିନିମନ୍ତେ ଯାତ୍ରୀଙ୍କୁ ରେଳ ଟ୍ରାକ୍‌ରୁ ୨୦ ମିଟରରୁ ଅଧିକ ଏବଂ ପ୍ଲାଟ୍‌ଫର୍ମରୁ ୨କିମି ପରିଧି ଭିତରେ ରହିବାକୁ ହେବ। କାରଣ ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ରୋକିବାକୁ ୨୦ ମିଟର ଦୂରତାର ପ୍ରତିବନ୍ଧକ ରଖାଯାଇଛି। ସେହିପରି ପୂର୍ବରୁ ଭାରତୀୟ ରେଳର ଦୁଇଟି ଜୋନ୍‌ରେ ଏହି ବ୍ୟବସ୍ଥାର କାର୍ଯ୍ୟକାରୀ କରାଯାଇଛି। ଏହି କ୍ରମରେ ପୂର୍ବତଟ ରେଳପଥ ଭାରତରେ ତୃତୀୟ ଜୋନ୍‌ ଭାବରେ ଏହି ବ୍ୟବସ୍ଥାର ପ୍ରଚଳନ କରିଛି। ଜୁନ୍‌ ମାସରୁ ଏହି ବ୍ୟବସ୍ଥାରେ ଯାତ୍ରୀଙ୍କୁ ୫ପ୍ରତିଶତ ବୋନସ୍‌ ମିଳିବାର ମଧ୍ୟ ବ୍ୟବସ୍ଥା ରହିଥିବା ଶ୍ରୀ ସିଂହ ସୂଚନା ଦେଇଛନ୍ତି। ସମଗ୍ର ଦେଶରେ ଏହି ବ୍ୟବସ୍ଥା ଲାଗୁ କରିବା ପାଇଁ ୮୭ କୋଟିର ବଜେଟ୍‌ ରଖାଯାଇଛି। ପାଇଲଟ୍‌ ପ୍ରକଳ୍ପ ଭାବରେ ପୂର୍ବତଟ ରେଳ ସମେତ ଦକ୍ଷିଣ ପଶ୍ଚିମ ଏବଂ ଦକ୍ଷିଣ ରେଳ ବିଭାଗ ପାଇଁ ୫କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିବା ସୂଚନା ମିଳିଛି। ଏହି ବ୍ୟବସ୍ଥାରେ ମାସିକିଆ ଟିକେଟ ସମେତ ସିଜନ୍‌ ଟିକେଟ ମଧ୍ୟ କରିହେବ।

ରଥଯାତ୍ରା ପାଇଁ ହେବ ବିଶେଷ ସହାୟକ
ରାଜ୍ୟରେ ବିଭିନ୍ନ ସମୟରେ ହେଉଥିବା ପର୍ବପର୍ବାଣୀ ଅବସରରେ ଏହି ବ୍ୟବସ୍ଥା ଖୁବ୍‌ ଲାଭଦାୟୀ ହେବ। ଆଗକୁ ରଥଯାତ୍ରା ଆସୁଛି। ଏହି ଅବସରରେ ଟ୍ରେନ୍‌ରେ ବେଶ୍‌ ଭିଡ଼ ହେବ। ତେଣୁ ମୋବାଇଲ୍‌ରେ ୟୁଟିଏସ୍‌ ବ୍ୟବସ୍ଥା ଯାତ୍ରୀଙ୍କ ସୁବିଧା ପାଇଁ ବେଶ୍‌ ଲାଭବାନ ହେବ ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର