ରେଳପଥ କ୍ଷତିଗ୍ରସ୍ତଙ୍କୁ ମିଳୁନି କ୍ଷତିପୂରଣ : ସମୂହ ଆତ୍ମାହୁତି କରିବେ ଗ୍ରାମବାସୀ!

୧୫ରେ ଖୋର୍ଧା-ବଲାଙ୍ଗୀର ରେଳରୋକ

ଖୋର୍ଧା : ଖୋର୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ ଖୋର୍ଧା ଜିଲ୍ଲା ବୋଲଗଡ଼ ବ୍ଲକର ସାନପଦର ଗ୍ରାମରେ ଅନେକ ପରିବାର ବାସଗୃହ ହରାଇଲେ। କେତେକଙ୍କର ଫଳନ୍ତି ନଡ଼ିଆ, ଆମ୍ବଠାରୁ ଆରମ୍ଭ କରି ବହୁ ମୂଲ୍ୟବାନ ଗଛ କଟା ହେଲା। କାହାର ଘରଡ଼ିହ ତ ଆଉ କାହାର ଉର୍ବର ଜମି ଚାଲିଗଲା ରେଳପଥ ପାଇଁ। ପ୍ରତିଶ୍ରୁତି ମିଳିଥିଲା ସରକାରୀ ନିୟମ ଅନୁଯାୟୀ କ୍ଷତିପୂରଣ, ଘର ଡ଼ିହ ପ୍ରଦାନ କରାଯିବ। ମାତ୍ର ରେଳ ବିଭାଗ ଏବଂ ରାଜସ୍ବ ବିଭାଗ କର୍ମଚାରୀଙ୍କ ସହ ଯନ୍ତ୍ରୀମାନଙ୍କ କ୍ଷତିପୂରଣ ମୂଲ୍ୟାୟନ ଚଞ୍ଚକତାରେ ପେଶି ହୋଇଗଲେ ସାନପଦର ଗ୍ରାମର କ୍ଷତିଗ୍ରସ୍ତ ୨୫ ପରିବାର। ଏଥିରେ ଅତିଷ୍ଠ ହୋଇ ସେମାନେ ଆସନ୍ତା ୧୫ ତାରିଖରେ ସାନପଦରଠାରେ ରେଳରୋକ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିରୁ କିଛି ଫଳ ନ ମିଳିଲେ ଆସନ୍ତା ଜାନୁଆରି ମାସରେ ସମୂହ ଆତ୍ମାହୁତି କରିବେ ବୋଲି ରେଳପଥ କ୍ଷତିଗ୍ରସ୍ତ ମିଳିତ ମଞ୍ଚର ସଭାପତି କୁନ୍ତଳା ନାୟକ ଏବଂ ସମ୍ପାଦକ ସୁକାନ୍ତ ଭଞ୍ଜ କହିଛନ୍ତି।

ଗ୍ରାମବାସୀଙ୍କ କହିବା କଥା, ଥିଲାବାଲାଏ ହାତଗୁଞ୍ଜା ଦେଇ ଅଧିକ କ୍ଷତିପୂରଣ ପାଇଲେ। ଏପରିକି ରେଳବିଭାଗର ଜାଗା ଚିହ୍ନଟ ପରେ କିଛି ଲୋକ ଚାଷ ଜମିରେ ତରବରିଆ ଭାେବ ନିମ୍ନମାନର କୋଠା ନିର୍ମାଣ କରି ଘର ପିଛା ୫୦ ଲକ୍ଷ ଟଙ୍କା ଏବଂ ରାତାରାତି ଗଛ ଲଗାଇ ଲକ୍ଷ ଲକ୍ଷ ଟଙ୍କା କ୍ଷତିପୂରଣ ପାଇଲେ। କିଛି ଦୁର୍ନୀତିଗ୍ରସ୍ତ ଅଧିକାରୀ ଲାଞ୍ଚ ଖାଇ ମାଟି କାନ୍ଥକୁ ପଥରକାନ୍ଥ, ଚାଳଘରକୁ କୋଠାଘର ଦର୍ଶାଇ ମଧ୍ୟ କ୍ଷତିପୂରଣ କରାଇଦେଲେ। ଅପରପକ୍ଷେ, ଲାଞ୍ଚ ଦେଇପାରିନଥିବା ୨୫ଟି ପରିବାର ବାସଗୃହକୁ ଭାଙ୍ଗି ଜୋର ଜବରଦସ୍ତ ଦସ୍ତଖତ ନେଇ ୫୦ ହଜାର ଟଙ୍କାରୁ ସର୍ବାଧିକ ୩ ଲକ୍ଷ ଟଙ୍କା ଯାଏ କ୍ଷତିପୂରଣ ଦେଲେ। ନିଜର ଦୁଃଖ ବଖାଣି ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ସୁକାନ୍ତ ଭଞ୍ଜ କହନ୍ତି, ତାଙ୍କର ୮୫୦ ବର୍ଗଫୁଟ୍ ଘରୁ ୪୨୦ ବର୍ଗଫୁଟ ଛାତ ଘର ଭାଙ୍ଗି ଦିଆଗଲା। ତାଙ୍କୁ ୧୨ ଲକ୍ଷ ଟଙ୍କା ମିଳିବା କଥା। କ୍ଷତିପୂରଣ ତଦାରଖ କରୁଥିବା ଜେଇ ତାଙ୍କୁ ୨ ଲକ୍ଷ ଟଙ୍କା ମାଗିଲେ। ମାତ୍ର ତାହା ଦେବାକୁ ସେ ସମର୍ଥ ନ ହେବାରୁ ତାଙ୍କୁ ମାତ୍ର ମିଳିଲା ମାତ୍ର ୨ଲକ୍ଷ ୫୧ ହଜାର ୭୩୨ ଟଙ୍କା। ସେହିପରି ଗ୍ରାମର କୁନ୍ତଳା ନାୟକ, ଧର୍ମାନନ୍ଦ ମହାପାତ୍ର, ବଳରାମ ନାୟକ, ଫୁଲ ନାୟକ ପ୍ରମୁଖଙ୍କୁ କ୍ଷତି ତୁଳନାରେ ସମୁଦ୍ରକୁ ଶଙ୍ଖେ ସଦୃଶ୍ କ୍ଷତିପୂରଣ ମିଳିଛି। ଅପରପକ୍ଷେ, କ୍ଷତିଗ୍ରସ୍ତ ରାଜକିଶୋର ନାୟକ, କାର୍ତ୍ତିକ ସାହୁ ପ୍ରମୁଖଙ୍କୁ ଆଦୌ କ୍ଷତିପୂରଣ ମିଳିନାହିଁ।

ତେବେ ଏଭଳି ଅଭିଯୋଗ କ୍ରମେ ତତ୍କାଳୀନ ଜିଲ୍ଳାପାଳ ରୂପା ରୋଶନ ସାହୁ ତଦନ୍ତ କରି ଏହାର ସତ୍ୟତା ଜାଣିଥିଲେ ଏବଂ ସରକାରଙ୍କୁ ପତ୍ର ସଂଖ୍ୟା ୮୦୭(୪-୭-୨୦୧୭)ରେ ଜଣାଇଥିେଲ। ମାତ୍ର ଏ ଦିଗରେ କୌଣସି ପଦକ୍ଷେପ ନିଆନଯିବାରୁ ଗ୍ରାମବାସୀ ଉପାୟଶୂନ୍ୟ ହୋଇ ମୁଖ୍ୟମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟକୁ ୧୦ ରୁ ଅଧିକ ଥର ଯାଇ ଗୁହାରି କରିଛନ୍ତି। ତଥାପି ସମସ୍ୟାର ସମାଧାନ ହୋଇନାହିଁ। ତେଣୁ କ୍ଷତିଗ୍ରସ୍ତ ଗ୍ରାମବାସୀ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବାକୁ ବାଧ୍ୟ ହୋଇଛନ୍ତି ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର