ରେଳବାଇ ଭଲିବଲ୍ କୋଚ୍‌ଙ୍କ ଆତ୍ମହତ୍ୟା

ଚନ୍ଦ୍ରଶେଖରପୁର : ସୋମବାର ପୂର୍ବାହ୍ଣରେ ଇନ୍‌ଫୋସିଟି ଥାନା ପୁଲିସ ସ୍ଥାନୀୟ ଏକ ଗେଷ୍ଟହାଉସ୍‌ରୁ ରେଳବାଇ ଭଲିବଲ୍‌ କୋଚ୍‌ ମଧ୍ୟପ୍ରଦେଶ ଭୋପାଳର ବାସିନ୍ଦା ରାଜେଶ ତିୱାରୀଙ୍କ ମୃତଦେହ ଜବତ କରିଛି। ପାରିବାରିକ କଳହରୁ ସେ ଆତ୍ମହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ବ୍ୟବଚ୍ଛେଦ ପରେ ପୁଲିସ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ସୂଚନାନୁସାରେ ଭୋପାଳ ଡିଭିଜନ ରେଳବାଇର ଭଲିବଲ୍ କୋଚ୍‌ ରାଜେଶ ତାଙ୍କ ଟିମ୍‌ ସହ ଭୁବନେଶ୍ବର ଆସିଥିଲେ। କିଟ୍ ପରିସରରେ ବିଜୁ ପଟ୍ଟନ‌ାୟକ ଇନ୍‌ଡୋର ଷ୍ଟାଡିୟମ୍‌ରେ ଚାଲିଥିବା ୬୯ତମ ବରିଷ୍ଠ ଜାତୀୟ ଭଲିବଲ୍(ପୁରୁଷ ଓ ମହିଳା) ପ୍ରତ‌ିଯାଗିତାରେ ଅଂଶ ଗ୍ରହଣ କରିଥିବା ତାଙ୍କ ଟିମ୍‌ ସହିତ ସେ ଆସିଥିଲେ। ଖେଳାଳିମାନେ କିଟ୍‌ ପରିସର ଶିବିରରେ ରହୁଥିବାବେଳେ ରାଜେଶ ନିକଟସ୍ଥ ଏକ ଘରୋଇ ଗେଷ୍ଟହାଉସ୍‌ରେ ରହୁଥିଲେ। ଗତକାଲି ସେ ଫୋନ୍‌ ଯୋଗେ ନିଜ ପରିବାରର କୌଣସି ସଦସ୍ୟଙ୍କ ଗପୁଥିବାବେଳେ ବେଶ୍ ଉତ୍ତେଜିତ ଥିଲେ ବୋଲି ଖେଳାଳିମାନେ କହିଛନ୍ତି। ତେଣୁ ମାନସିକ ଅଶାନ୍ତି ମଧ୍ୟରେ ଥିବା ରାଜେଶ ସନ୍ଧ୍ୟାରେ ଖେଳାଳିମାନଙ୍କ ପାଖରୁ ଶୀଘ୍ର ବିଦାୟ ନେଇ ଗେ‌ଷ୍ଟହାଉସ୍‌କୁ ଫେରି ଯାଇଥିଲେ। ମାତ୍ର ଆଜି ସକାଳେ ଟିମ୍‌ ପାଖକୁ ଯିବାରେ ବିଳମ୍ବ ହେବାରୁ କିଛି ଖେଳାଳି ତାଙ୍କୁ ଡାକିବାକୁ ଗେଷ୍ଟହାଉସ୍‌କୁ ଯାଇଥିଲେ। ରୁମ୍‌ ଭିତରୁ କବାଟ ବନ୍ଦ ଥିବାରୁ ସେମାନେ ସନ୍ଦେହ କରି ପୁଲିସକୁ ଜଣାଇଥିଲେ। କବାଟ ଖୋଲିବା ପରେ ତାଙ୍କ ମୃତଦେହ ଫ୍ୟାନ୍‌ରେ ଝୁଲୁଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର