ବର୍ଷା ଆଣିଲା ଶୀତ

ରାଜଧାନୀରେ ଲଘୁଚାପ ବର୍ଷା, କୋହଲା ପାଗ

ତାପମାତ୍ରା ୬ଡିଗ୍ରି କମିଲା, କଢ଼ାହେଲା କମ୍ବଳ

ଭୁବନେଶ୍ୱର : ନଭେମ୍ବର ଅଧା ଗଡ଼ି ଯାଇଥିଲେ ବି ରାଜଧାନୀବାସୀ ଶୀତ ଅନୁଭବ କରିପାରୁନଥିଲେ। କିନ୍ତୁ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ବର୍ଷା ଆଜିଠାରୁ ରାଜଧାନୀରେ ଶୀତ ଲହରି ଖେଳେଇ ଦେଇଛି। ଲଗାଣ ବର୍ଷା ଓ କୋହଲା ପାଗ ଯୋଗୁଁ ଆଜି ଦିନବେଳା ବି ରାଜଧାନୀବାସୀ ଶୀତରେ ଥରୁଥିବା ଦେଖିବାକୁ ମିଳିଥିଲା। ଏପରିକି କିଛି ଦିନ ହେଲା ଭୋର୍‌ରୁ ବିଛଣାଚଦର ଘୋଡ଼ି ହୋଇ ଶୋଉଥିବା ଲୋକଙ୍କୁ ଆଜି ଦିନବେଳା କମ୍ବଳ କାଢ଼ିବାକୁ ପଡ଼ିଥିଲା।

ମଙ୍ଗଳବାର ରାତିରୁ ରାଜଧାନୀରେ ଝିପିଝିପି ବର୍ଷା ଲାଗି ରହିଥିବାବେଳେ ୨୪ଘଣ୍ଟା ମଧ୍ୟରେ ୨୪.୪ମିମି ବର୍ଷା ରେକର୍ଡ଼ ହୋଇଛି। ବର୍ଷା ସହ ଘଣ୍ଟା ପ୍ରତି ୩୫ରୁ ୪୦ କିମି ବେଗରେ କାଲୁଆ ପବନ ବହୁଥିବାରୁ ଆଜି ରାଜଧାନୀବାସୀ ପ୍ରବଳ ଥଣ୍ଡା ଅନୁଭବ କରିଛନ୍ତି। ଏପରିକି ମଙ୍ଗଳବାର ରାଜଧାନୀରେ ଦିନବେଳା ସର୍ବୋଚ୍ଚ ତାପମାତ୍ରା ୨୮.୧ଡିଗ୍ରି ଥିବାବେଳେ ଆଜି ଏକାଥରେ ୬ଡିଗ୍ରି କମି ୨୨.୨ଡିଗ୍ରିରେ ପହଞ୍ଚିଛି। ମଙ୍ଗଳବାର ରାତିରେ ଯେତିକି ତାପମାତ୍ରା ଥିଲା ରାଜଧାନୀବାସୀ ଆଜି ଦିନ ସାରା ସେତିକି ତାପମାତ୍ରା ଅନୁଭବ କରିଥିଲେ। ଏହାସହ ରାତିର ସର୍ବନିମ୍ନ ତାପମାତ୍ରା ୧୯ଡିଗ୍ରି ଥିବାରୁ ଶୀତ ପାଇଁ କମ୍ବଳ ଦରକାର ପଡ଼ିଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା ୨୪ଘଣ୍ଟା ପର୍ଯ୍ୟନ୍ତ ଏହିଭଳି ପାଗ ଲାଗି ରହିବ। ବର୍ଷା ସହ ଥଣ୍ଡା ପବନ ବହୁଥିବାରୁ ଶୀତ କମିବାର ସମ୍ଭାବନା ନାହିଁ।

ଅପରପକ୍ଷେ ଆଜି ଦିନତମାମ୍‌ ବର୍ଷା ଲାଗି ରହିଥିବାରୁ ରାଜଧାନୀବାସୀଙ୍କ ପାଇଁ ଘରୁ ବାହାରିବା ମୁସ୍କିଲ ହୋଇଯାଇଥିଲା। ଅଦିନିଆ ବର୍ଷାରେ ଲୋକଙ୍କର ଭିଜିବାକୁ ଇଚ୍ଛା ଥିଲେ ହେଁ ଥଣ୍ଡା ପବନ ଓ ଶୀତ ଏଥିରେ ବାଧକ ସାଜିଥିଲା। ଏପରିକି କେତେକ ବର୍ଷାରେ ଭିଜି ଭିଜି ନିଜ କର୍ମକ୍ଷେତ୍ରକୁ ଯାଉଥିବା ଦେଖିବାକୁ ମିଳିଥିଲା। ଝିପିଝିପି ବର୍ଷା ଯୋଗୁଁ ରାଜଧାନୀର କୌଣସି ସ୍ଥାନରେ ପାଣି ଜମିଥିବା ଅଭିଯୋଗ ହୋଇନି। କିନ୍ତୁ ବସ୍ତିବାସିନ୍ଦା ଶୀତ ଦ୍ୱାରା ପ୍ରଭାବିତ ହୋଇଛନ୍ତି। ହଠାତ୍‌ ଶୀତ ପାଇଁ ପ୍ରସ୍ତୁତ ନଥିବା ବସ୍ତିବାସିନ୍ଦା ଆଜି ବହୁ କଷ୍ଟରେ ଦିନ ବିତାଇଛନ୍ତି।

ସମ୍ବନ୍ଧିତ ଖବର