ଆସୁଛି ମୌସୁମୀ, ଏଥର ସ୍ଥିତି ସାଂଘାତିକ

ବାଉଳି ହେଉଛନ୍ତି ବିଏମ୍‌ସି କର୍ତ୍ତୃପକ୍ଷ, ନେତା ପ୍ରତିଶ୍ରୁତି ରଖିବେ ତ!

ଭୁବନେଶ୍ବର: ଭାରତୀୟ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ଏଥର ମୌସୁମୀ ରଜରେ ଓଡ଼ିଶା ଛୁଇଁବ। ହେଲେ ବର୍ତ୍ତମାନ ଯେଉଁଭଳି ଖରା ହେଉଛି ଜୁନ୍ ପ୍ରଥମ ସପ୍ତାହରୁ କାଳବୈଶାଖୀ ବର୍ଷା ଓ ପ୍ରାକ୍ ମୌସୁମୀ ବର୍ଷା ହେବ। ବାତ୍ୟା ପରର ପୁନରୁଦ୍ଧାର କାର୍ଯ୍ୟରେ ମାତିଥିବା ବିଏମ୍‌ସି କର୍ତ୍ତୃପକ୍ଷ ଏବେ ମୌସୁମୀ ମୁକାବିଲା ପାଇଁ ପ୍ରସ୍ତୁତ ନଥିବାରୁ ରାଜଧାନୀରେ ଚଳିତବର୍ଷ ସ୍ଥିତି ସାଂଘାତିକ ହେବାକୁ ଯାଉଛି। ଏବେ ମୁଖ୍ୟ ଡ୍ରେନ୍‌ରୁ ଆରମ୍ଭ କରି ଗଳିକନ୍ଦିର ଡ୍ରେନ୍ ପର୍ଯ୍ୟନ୍ତ ସବୁଠି ଅବସ୍ଥା ଯାହା ଅଛି ତାହା ଦେଖିଲେ ସ୍ପଷ୍ଟ ବାରି ହୋଇପଡ଼ୁଛି ଅସରାଏ ବଡ଼ ବର୍ଷା ପୂରା ରାଜଧାନୀକୁ ଜଳମଗ୍ନ କରିଦେବ।

ବାତ୍ୟାରେ ଭାଙ୍ଗି ଯାଇଥିବା ଡ୍ରେନ୍‌ର ପାଚେରି, ସ୍ଲାବ୍‌ର ନିର୍ମାଣ କାର୍ଯ୍ୟ ହେବା ତ ଦୂରର କଥା ଡ୍ରେନ୍ ଭିତରେ ପଡ଼ିଥିବା କଂକ୍ରିଟ୍‌ ଓ ସବୁଜ ଆବର୍ଜନା କଢ଼ା ଯାଇ ନଥିବାରୁ ଡ୍ରେନ୍‌ରେ ପାଣି ଚାଲିବା ସ୍ଥିତିରେ ନାହିଁ। ସବୁ ଅଞ୍ଚଳରେ ଡ୍ରେନ୍‌ଗୁଡ଼ିକର ଏହିଭଳି ଦୟନୀୟ ସ୍ଥିତି ରାଜଧାନୀକୁ ଭସାଇବାକୁ ଯଥେଷ୍ଟ।ଜୟଦେବ ବିହାରରୁ ଆରମ୍ଭ କରି ରସୁଲଗଡ଼, ୟୁନିଟ-୯ରୁ ଆରମ୍ଭ କରି ୟୁନିଟ-୬, ୟୁନିଟ-୨, ଖାରବେଳ ନଗର, ସହିଦନଗର ସବୁଠି ଏବେ ଡ୍ରେନ୍‌ଗୁଡ଼ିକର ବିପର୍ଯ୍ୟସ୍ତ ସ୍ଥିତି। କେଉଁଠି ବି ପାଣି ଯିବାକୁ ବାଟ ନାହିଁ। କଂକ୍ରିଟ୍‌ ଆବର୍ଜନାରେ ଡ୍ରେନ୍ ପୋତି ହୋଇପଡ଼ିଥିବା ବେଳେ ଭଙ୍ଗା ଡ୍ରେନ୍‌ର ନିର୍ମାଣ କରିବା ଦୂର କଥା ଏହାକୁ ସଫା କରିବାକୁ ବି ବିଏମ୍‌ସି କର୍ତ୍ତୃପକ୍ଷ ପଦକ୍ଷେପ ନେଇପାରୁନାହାନ୍ତି।

ଏପଟେ ମୁଖ୍ୟ ଡ୍ରେନ୍‌ଗୁଡ଼ିକରେ କୁଢ଼କୁଢ଼ ଆବର୍ଜନା, ଭଙ୍ଗା ଡାଳ, ପତ୍ର, ଭୁଶୁଡ଼ି ପଡ଼ିଥିବା ପାଚେରି ପଡ଼ିଥିଲେ ହେଁ ଏହାକୁ ଏପର୍ଯ୍ୟନ୍ତ ସଫା କରାଯାଇନି। ଯଦିଓ ଶୁକ୍ରବାରଠାରୁ ମୁଖ୍ୟ ଡ୍ରେନ୍ ସଫେଇ ଆରମ୍ଭ ହୋଇଛି ତେବେ ପ୍ରାକ୍ ମୌସୁମୀ ସଫେଇ କେମିତି ହେବ, କେଉଁ ଅଞ୍ଚଳରୁ ହେବ, କ’ଣ କରିବେ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ମୁଣ୍ଡରେ ବୁଦ୍ଧି ଜୁଟୁନି। ସମସ୍ତେ ଖାଲି ବାଉଳିଚାଉଳି ହେଉଛନ୍ତି। ଅପରପକ୍ଷେ ବାତ୍ୟାରେ ଭାଙ୍ଗି ଯାଇଥିବା ଡ୍ରେନ୍ ଏବଂ ଏହାର ପୁନରୁଦ୍ଧାର ପାଇଁ ବିଏମ୍‌ସି ୩୨କୋଟି ୪୨ଲକ୍ଷ ଟଙ୍କା ଖର୍ଚ୍ଚ ‌ହେବ ବୋଲି ଆକଳନ କରି ରିପୋର୍ଟ ଦେଇଛି। ଦୀର୍ଘ ବର୍ଷ ହେଲା ଯେଉଁ ଡ୍ରେନ୍ ଭା‌ଙ୍ଗି ଯାଇଥିଲା ତା’ର ନିର୍ମାଣ ନ କରିବା ଏବେ ମହଙ୍ଗା ପଡ଼ିଛି। ରାଜ୍ୟ ସରକାର ଯଦି ୩୨କୋଟି ଦେବେ ତେବେ ଏହି ଡ୍ରେନ୍ ପୁନରୁଦ୍ଧାର ହେବ। ଟଙ୍କା ତୁରନ୍ତ ମିଳିଲେ ବି ମୌସୁମୀ ଛୁଇଁବା ପୂର୍ବରୁ ବିଏମ୍‌ସି କର୍ତ୍ତୃପକ୍ଷ ଡ୍ରେନ୍‌ଗୁଡ଼ିକୁ ସଜାଡ଼ିବା ପରିସ୍ଥିତିରେ ନାହାନ୍ତି। ଏପରି ସ୍ଥିତିରେ ରାଜଧାନୀବାସୀ ଏଥର ପୁଣି ଜଳବନ୍ଦୀ ହେବା ନିଶ୍ଚିତ।

ଡ୍ରେନେଜ୍ ସମସ୍ୟା ସମାଧାନ ପ୍ରଥମ ଚାଲେଞ୍ଜ
ନେତା ପ୍ରତିଶ୍ରୁତି ରଖିବେ ତ!
ଭୁବନେଶ୍ବର: ନିର୍ବାଚନ ଜିତିବା ପାଇଁ ଭୁବନେଶ୍ବରର ତିନିଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଏବଂ ଭୁବନେଶ୍ବର ଲୋକସଭା କ୍ଷେତ୍ରରେ ପ୍ରାର୍ଥୀମାନେ ବହୁ ପ୍ରତିଶ୍ରୁତି ଦେଇଥିଲେ। ଏବେ ପ୍ରାର୍ଥୀମାନେ ଜିତିବା ପରେ ପ୍ରଶ୍ନ ଉଠିଲାଣି ନିର୍ବାଚନ ପୂର୍ବରୁ ପ୍ରାର୍ଥୀମାନେ ଯେଉଁ ଲମ୍ବା ଚଉଡ଼ା ପ୍ରତିଶ୍ରୁତି ଦେଇଥିଲେ ତାକୁ ପୂରଣ କରିବେ ତ! ଭୁବନେଶ୍ବରର ତିନିଟି ବିଧାନସଭା ଆସନରେ ଜିତିଥିବା ବିଜେଡିର ତିନି ବିଧାୟକ ଏବଂ ‌ବିଜେପି ସାଂସଦଙ୍କର ସହରବାସୀଙ୍କ ପାଇଁ ସବୁଠୁ ବଡ଼ ପ୍ରତିଶ୍ରୁତି ଥିଲା ଡ୍ରେନ୍ ସମସ୍ୟା ସୁଧାରିବେ। ବାକି ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାକୁ ପୂରଣ କରିବାକୁ ବହୁତ ସମୟ ଅଛି। ହେଲେ ଆଗକୁ ବର୍ଷା ଋତୁ ଆସୁଥିବାରୁ ଏବେ ଡ୍ରେନେଜ୍ ସମସ୍ୟା ସୁଧାରିବା ନିତାନ୍ତ ଆବଶ୍ୟକ ହୋଇପଡ଼ିଛି। ରାଜଧାନୀବାସୀ ୨୦୧୮ମସିହା ଭଳି ଜଳବନ୍ଦୀ ସମସ୍ୟା ଭୋଗିବେନି ବୋଲି ଯେଉଁ ପ୍ରତିଶ୍ରୁତି ଲୋକ ପ୍ରତିନିଧିମାନେ ଦେଇଥିଲେ ତାକୁ କେମିତି ପାଳନ କରୁଛନ୍ତି ତାହାକୁ ଏବେ ଲୋକ ଚାତକ ଭଳି ଚାହିଁ ବସିଛନ୍ତି। କାରଣ ଜୁନ୍ ପ୍ରଥମ ସପ୍ତାହ ପରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହେବାକୁ ଥିବାବେଳେ ଗୋଟିଏ ବଡ଼ ଅସରା ବର୍ଷା ରାଜଧାନୀକୁ ଜଳମଗ୍ନ କରିଦେବାକୁ ଯଥେଷ୍ଟ। ରାଜଧାନୀବାସୀଙ୍କ ନିଦ ହଜାଇ ଦେଉଥିବା ବର୍ଷାର ମୁକାବିଲା କେମିତି ବିଏମ୍‌ସି କରୁଛି ଓ ଲୋକପ୍ରତିନିଧିମାନେ ବିଏମ୍‌ସି ଅଧିକାରୀଙ୍କୁ କେମିତି କାମ କରାଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର।

ବିଏମ୍‌ସି‌ର କର୍ପୋରେଟର୍‌ଙ୍କ କାର୍ଯ୍ୟକାଳ ଶେଷ ହୋଇଯାଇଥିବାବେଳେ ଏବେ ପ୍ରଶାସକଙ୍କ ହାତରେ ବିଏମ୍‌ସି। ଲୋକ ଟିକିନିଖି ସମସ୍ୟା ନେଇ କର୍ପୋରେଟର୍‌ଙ୍କ ପାଖକୁ ପୂର୍ବରୁ ଯେପରି ଯାଉଥିଲେ ଏବେ ଆଉ ସେହି ଦମ୍ଭ ନେଇ ଯାଉନାହାନ୍ତି। ଯିଏ ବି ଯାଉଛନ୍ତି କର୍ପୋରେଟରମାନେ ତୁରନ୍ତ ଏହାର ସମାଧାନ କରିଦେବେ ବୋଲି ପ୍ରତିଶ୍ରୁତି ବି ଦେଇପାରୁନାହାନ୍ତି। ଏପରିସ୍ଥଳେ ଏବେ ଭୁବନେଶ୍ବରର ତିନି ବିଧାୟକଙ୍କ ଭୂମିକା ବଢ଼ି ଯାଇଛି। ସେମାନେ କିପରି ଏହାର ସମାଧାନ କରୁଛନ୍ତି ତାହା ଦେଖିବା ବାକି ଅଛି। ଏକାମ୍ର ଭୁବନେଶ୍ବର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ବିଏମ୍‌ସି ସହ ପୂର୍ବରୁ ସଂପୃକ୍ତ ଥିବାବେଳେ ଏହାର କାର୍ଯ୍ୟଶୈଳୀ ବିଷୟରେ ଅବଗତ ଅଛନ୍ତି। ଏମାନେ ବି ଭୁବ‌େନଶ୍ବରରେ କେଉଁଠି କ’ଣ ସମସ୍ୟା ଅଛି, ତା’ର ସମାଧାନ କିପରି ହେବ ସେନେଇ ଉଣା ଅଧି‌କେ ଜାଣିଛନ୍ତି। ତେଣୁ ଏମାନଙ୍କ କାର୍ଯ୍ୟଶୈଳୀ ଏବେ ରାଜଧାନୀବାସୀଙ୍କ ଭାଗ୍ୟ ନିର୍ଭର କରୁଛି। ଏସବୁ ବାଦ୍ ସାଂସଦ ଓ ବିଧାୟକମାନେ ଯଦି ଏକାଠି ବସି ଡ୍ରେନ୍ ପୁନରୁଦ୍ଧାର ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟ ତ୍ବରାନ୍ବିତ କରିବେ ତେବେ ସମାଧାନ ବାଟ ବାହାରିପାରିବ। ଯଦି ପରସ୍ପରକୁ କାଦୁଆ ଫିଙ୍ଗିଲା ଭଳି ଆରୋପ ଓ ପ୍ରତ୍ୟାରୋପ ଲଗାଇବେ ତେବେ ଲୋକ ପ୍ରତିନିଧିଙ୍କ କଳିରେ ରାଜଧାନୀବାସୀ ପେଶି ହୋଇଯିବାର ଆଶଙ୍କାକୁ ଏଡ଼ାଇ ହେବନି।

ସମ୍ବନ୍ଧିତ ଖବର