ମୌସୁମୀ ଆସିବ, ପ୍ରସ୍ତୁତି ନାହିଁ: ରାଜଧାନୀ ଭାସିବ!

୧୦ ମୁଖ୍ୟ ଡ୍ରେନ୍‌ ଏପର୍ଯ୍ୟନ୍ତ ସଫା ହେଲାନି, ଜୁନ୍‌ ୧ ପୂର୍ବରୁ କିଛି ହୋଇପାରିବନି

ଭୁବନେଶ୍ୱର: ଜୁନ୍‌ ଦ୍ୱିତୀୟ ସପ୍ତାହରେ ମୌସୁମୀ ରାଜଧାନୀ ଛୁଇଁବ। ଭାରତୀୟ ପାଣିପାଗ କେନ୍ଦ୍ର ଏନେଇ ପୂର୍ବାନୁମାନ କରିସାରିଲାଣି। ମୌସୁମୀ ଆସିବ ବୋଲି ସବୁସ୍ତରରେ ପ୍ରସ୍ତୁତି ହେଲାଣି। କିନ୍ତୁ ବିଏମ୍‌ସି କର୍ତୃପକ୍ଷ ହାତ ଯୋଡ଼ି ବସିଛନ୍ତି। ବର୍ଷା ଜଳ କିପରି ନିଷ୍କାସନ ହେବ ସେନେଇ କିଛି ପଦକ୍ଷେପ ନିଆଯାଇନି। ଫଳରେ କାଳବୈଶାଖୀ ଜନିତ ବର୍ଷାର ଗୋଟିଏ ବଡ଼ ଅସରା ବର୍ଷାରେ ଅଧା ରାଜଧାନୀ ଜଳାର୍ଣ୍ଣବ ହୋଇଯାଇଛି। ବର୍ଷା ହେଲେ ତୁରନ୍ତ ଜଳ ନିଷ୍କାସନ ପାଇଁ କୌଣସି ମୁଖ୍ୟ ଡ୍ରେନ୍‌ କି ଗଳିକନ୍ଦିରେ ଥିବା ଡ୍ରେନ୍‌ ସଫା ହୋଇ ନଥିବାରୁ ବର୍ଷା ପାଣି ନିଷ୍କାସନ ହୋଇନପାରି ଜମି ରହୁଛି। ବିଏମ୍‌ସି କର୍ତୃପକ୍ଷଙ୍କ ପ୍ରସ୍ତୁତି ଏପରି ହୋଇଛି ଯେ, ଜୁନ୍‌ ୧୫ ପୂର୍ବରୁ ଯଦି ଘଣ୍ଟାଏ ଲଗାଣ ବର୍ଷା ହେଲା ତେବେ ସ୍ମାର୍ଟ ସିଟି ଭୁବନେଶ୍ୱର କୃତି୍ରମ ବନ୍ୟାରେ ଭାସିବ। ଅଧିକାଂଶ ଅଞ୍ଚଳରେ ଆଣ୍ଠୁଏ ଉଚ୍ଚରେ ପାଣି ଜମିବ। ଘରେ ଡ୍ରେନ୍‌ ଓ ସ୍ୱେରେଜ୍‌ ପାଣି ପଶିବ। ଏଥର ମୌସୁମୀ ବର୍ଷା ରାଜଧାନୀବାସୀଙ୍କୁ କିଲିବିଲି କରିବ। ଚଳିତବର୍ଷ ସ୍ୱାଭାବିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ହେଲେ ବିଏମ୍‌ସି ଯୋଜନା କରିଛି ଲୋକଙ୍କୁ ବର୍ଷା ପାଣିରେ ଡୁବାଇବ। ତା’ପରେ ସହଯୋଗର ହାତ ବଢ଼ାଇବ। ଆଉ ପ୍ରଚାର କରିବ ବିଏମ୍‌ସି ଲୋକଙ୍କୁ ସାହାଯ୍ୟ କଲା। କର୍ପୋରେଟର୍‌ମାନେ ମଧ୍ୟ ନିଦାବିଷ୍ଣୁ ସାଜିଛନ୍ତି। ଲୋକଙ୍କ ଘରେ ପାଣି ପଶୁ କି ଡ୍ରେନ୍‌ରେ ପଡ଼ି ପିଲା ମରନ୍ତୁ। କିଛି ଯାଏ ଆସ ନାହିଁ।

ନିୟମ ଅଛି ଜୁନ୍‌ ୧, ହେଲେ ଜୁନ୍‌ ୩୦ ପୂର୍ବରୁ ବି ସରିବନି
ରାଜଧାନୀରେ ଜଳ ନିଷ୍କାସନ ପାଇଁ ଆବଶ୍ୟକୀୟ ଡ୍ରେନ୍‌ ନ ଥିବାବେଳେ ଡ୍ରେନ୍‌ଗୁଡ଼ିକର କ୍ଷମତା ଅଧ ଘଣ୍ଟା ବର୍ଷାର ପାଣି ନିଷ୍କାସନ ପାଇଁ ହୋଇଛି। ହେଲେ ଏବେ ଡ୍ରେନ୍‌ରେ କୁଢ଼କୁଢ଼ ଅଳିଆ ଜମା ହୋଇଥିବାବେଳେ ଅଧିକାଂଶ ଡ୍ରେନ୍‌ ମାଟି ଓ ପଙ୍କରେ ବୁଡ଼ି ରହିଛି। କେତେକ ସ୍ଥାନରେ ତ ଡ୍ରେନ୍‌ ପୋତି ହୋଇ ରାସ୍ତା ସହିତ ମିଶିଯାଇଛି। ପ୍ରତ୍ୟେକ ବର୍ଷ ଜୁନ୍‌ ୧ ପୂର୍ବରୁ ରାଜଧାନୀର ସମସ୍ତ ଡ୍ରେନ୍‌ ସଫା କରିବାକୁ ନିୟମ ଅଛି। ହେଲେ କେବେ ଏହା ଲାଗୁ ହେଉନି। ବରଂ ବର୍ଷା ଆରମ୍ଭ ହୋଇ ଘରେ ପାଣି ପଶିବା ପରେ କିଛି ପଦକ୍ଷେପ ନିଆଯାଉଛି। ଗତ କିଛି ବର୍ଷ ହେଲା ରାଜଧାନୀରେ ସ୍ଥିତି ସାଂଘାତିକ ହେବାରୁ ନିଷ୍ପତ୍ତି ହୋଇଥିଲା ଯେ, ମେ ମାସ ସୁଦ୍ଧା ଟେଣ୍ଡର୍‌ ପ୍ରକି୍ରୟା ଶେଷ କରି ଡ୍ରେନ୍‌ ସଫା ହେବ। କିନ୍ତୁ ଚଳିତବର୍ଷ ତାହା ଲାଗୁ ହୋଇପାରିଲାନି। ଏନେଇ ବିଏମ୍‌ସିର ଡ୍ରେନେଜ୍‌ ଡିଭିଜନର ନିର୍ବାହୀ ଯନ୍ତ୍ରୀ ପ୍ରଦୀପ ସାଗର ଦୁରିଆ କହିଛନ୍ତି ଯେ, ରାଜଧାନୀରେ ଥିବା ୧୦ଟି ଯାକ ମୁଖ୍ୟ ଡ୍ରେନ୍‌ ସଫା ଏବଂ ବିଏମ୍‌ସି ଅଧୀନରେ ଥିବା ୧୦ଟି ଓ୍ଵାର୍ଡର ଡ୍ରେନ୍‌ ସଫା କରିବା ପାଇଁ ଟେଣ୍ଡର୍‌ ହୋଇଛି। କଣ୍ଟ୍ରାଷ୍ଟ କମିଟିରେ ଏହାକୁ ପକାଇବା ପରେ କାର୍ଯ୍ୟାଦେଶ ଦିଆଯିବ। ଏଥିପାଇଁ ଦୁଇ ସପ୍ତାହ ଲାଗିବ। ଜୁନ୍‌ ୧୫ସୁଦ୍ଧା ଆମେ ପ୍ରଥମ ପର୍ଯ୍ୟାୟ ଡ୍ରେନ୍‌ ସଫା କରିବୁ। ଜୁଲାଇ ମାସରେ ଦ୍ୱିତୀୟ ପର୍ଯ୍ୟାୟ ଡ୍ରେନ୍‌ ସଫା ହେବ। ୪ମାସରେ ସମସ୍ତ ଡ୍ରେନ୍‌ ଦୁଇଥର ସଫା କରିବାକୁ ଏବଂ ଯେଉଁଠି ଆବର୍ଜନା ଜମିବ ତାକୁ ସଫା କରିବାକୁ ସର୍ତ୍ତ ରଖିଛୁ। ବିଏମ୍‌ସିର ୫୭ଟି ଓ୍ଵାର୍ଡରେ ରାସ୍ତା କଡ଼ ଏବଂ ଗଳିକନ୍ଦିରେ ଥିବା ଡ୍ରେନ୍‌ଗୁଡ଼ିକୁ ସଫା କରିବାକୁ ଘରୋଇ ସଫେଇ ସଂସ୍ଥାଗୁଡ଼ିକୁ କହିଛୁ। ଚଳିତବର୍ଷ ଡ୍ରେନ୍‌ ସଫେଇ ପାଇଁ ବିଏମ୍‌ସି ୧କୋଟି ୪୩ଲକ୍ଷ ଟଙ୍କା ବଜେଟ୍‌ ରଖିଛି। ଯଦି ଦୁଇ ଥର ଡ୍ରେନ୍‌ ସଫେଇ ପାଇଁ ପ୍ରାୟ ଦେଢ଼ କୋଟି ଖର୍ଚ୍ଚ ହେଉଛି ତେବେ ବର୍ଷା ପୂର୍ବରୁ କାହିଁକି ସଫା ହେଉନି ବୋଲି ଅନେକ ପ୍ରଶ୍ନ ଉଠାଇଛନ୍ତି। ରାଜଧାନୀରେ କୃତିମ ବନ୍ୟା ସୃଷ୍ଟି କରିବାରେ ୧୦ଟି ଯାକ ମୁଖ୍ୟ ଡ୍ରେନ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବାବେଳେ ଏହାର ସଫେଇ ନେଇ କିନ୍ତୁ ବିଏମ୍‌ସିର ଡ୍ରେନେଜ୍‌ ଡିଭିଜନ୍‌ ପୂରା ନିର୍ବିକାର। ନିର୍ବାହୀ ଯନ୍ତ୍ରୀ କହିଛନ୍ତି ଯେ, ଏବେ ଯଦି କୌଣସି ମୁଖ୍ୟ ଡ୍ରେନ୍‌ରେ ସମସ୍ୟା ଉପୁଜେ ତେବେ ସବୁଠୁ କମ୍‌ ବିଡିଂ ଡାକିଥିବା ସଂସ୍ଥାକୁ ଦେଇ ସଫା କରିବୁ। ଏବେ ମୁଖ୍ୟ ଡ୍ରେନ୍‌ ୫ରେ ସଫେଇ କାର୍ଯ୍ୟ ହେଉଛି।

ଦୋଷ ଲଦୁଥିଲେ, ଏବେ ମୁଣ୍ଡ ଖୋଜୁଛନ୍ତି
ଦୀର୍ଘ ବର୍ଷ ହେଲା ଜଳସେଚନ ବିଭାଗ ଅଧୀନରେ ଥିବା ଡ୍ରେନେଜ୍‌ ଡିଭିଜନ୍‌ ଏହି ୧୦ଟି ମୁଖ୍ୟ ଡ୍ରେନ୍‌ ସଫେଇ କରୁଥିଲା। କିଏ ସଫା କରିବାକୁ ଟଙ୍କା ଦେବ ସେଥିପାଇଁ ଟଣାଓଟରା ହେଉଥିବାରୁ କୌଣସି ବର୍ଷ ବି ମୌସୁମୀ ପୂର୍ବରୁ ଡ୍ରେନ୍‌ ସଫା ହେଉ ନଥିଲା। ଏହି ଅବ୍ୟବସ୍ଥା ପାଇଁ ବିଏମ୍‌ସି ଡ୍ରେନେଜ୍‌ ଡିଭିଜନ୍‌ ଉପରେ ଦୋଷ ଲଦି ଖସି ଯାଉଥିଲା। ଏପରିକି ଡ୍ରେନେଜ୍‌ ଡିଭିଜନ୍‌ ବିଏମ୍‌ସି ଅଧୀନକୁ ଆସିଲେ ଆଉ ସମସ୍ୟା ଉପୁଜିବନି ବୋଲି କହୁଥିଲେ। କିନ୍ତୁ ଏବେବି ସ୍ଥିତି ସୁଧୁରିନି। ଡ୍ରେନେଜ୍‌ ଡିଭିଜନ୍‌ ବିଏମ୍‌ସିକୁ ଆସିବା ପରେ ବି ରାଜଧାନୀକୁ କୃତ୍ରିମ ବନ୍ୟା ଭୟ ଛାଡ଼ୁନି। ଏପରି ସ୍ଥିତିରେ ବିଏମ୍‌ସି କର୍ତୃପକ୍ଷ କାହା ମୁଣ୍ଡରେ ଦୋଷ ଲଦାଯିବ ତାହା ଖୋଜୁଛନ୍ତି।

ସମ୍ବନ୍ଧିତ ଖବର