ନୟାନ୍ତ କଲା ୨୪ ଘଣ୍ଟାରେ ୧୭୩ ମିମି ବର୍ଷା

ଘରେ ପାଣି ପଶିଲା, ବିଏମ୍‌ସିର ରାତି ଅଧିଆ ଉଦ୍ଧାର କାର୍ଯ୍ୟ

ଭୁବନେଶ୍ୱର: ସୋମବାର ରାତିରେ ହୋଇଥିବା ମୂଷଳ ଧାରାର ବର୍ଷା ପୁଣି ରାଜଧାନୀବାସୀଙ୍କୁ ନୟାନ୍ତ କରିଛି। ରାତିକରେ ୧୫୧ ମିଲିମିଟର ଆଉ ୨୪ଘଣ୍ଟାରେ ୧୭୩ମିମି ବର୍ଷା ରାଜଧାନୀକୁ ଜଳମଗ୍ନ କରିବାକୁ ଯଥେଷ୍ଟ ଥିଲା। ବହୁ ଅଞ୍ଚଳରେ ସୁଅ ଛୁଟିବା ସହ ଘରେ ପାଣି ପଶିଯାଇଥିଲା। ଜୁଲାଇ ୨୧ରେ ଜଳବନ୍ଦୀ ହୋଇଥିବା ଲୋକ ସୋମବାରର ବର୍ଷା ପରେ ପୂରା ଭୟଭୀତ ହୋଇଯାଇଛନ୍ତି। ଯଦିଓ ପୂର୍ବଥର ଭଳି ଏଥର ପରିସ୍ଥିତି ଭୟାନକ ନଥିଲା କିନ୍ତୁ ରାଜଧାନୀବାସୀଙ୍କ ମଧ୍ୟରେ ବର୍ଷା ଏକ ଭୟ ସୃଷ୍ଟି କରିଦେଇଛି। ସୋମବାର ସକାଳ ୮ଟା ୩୦ରୁ ମଙ୍ଗଳବାର ସକାଳ ୮ଟା ୩୦ ଭିତରେ ରାଜଧାନୀରେ ୧୭୩ମିମି ବର୍ଷା ହୋଇଥିଲେ ହେଁ ଗତ ରାତିରେ ହୋଇଥିବା ବର୍ଷା ପୂରା ଅସମ୍ଭାଳ ଥିଲା। ରାତିରେ ଲୋକ ଶୋଇଥିବାବେଳେ ଘରେ ପାଣି ପଶି ଯାଇଥିଲା। ସ୍ଥିତି ଏପରି ହୋଇଥିଲା ଯେ ଲୋକଙ୍କ ନିଦ ହଜି ଯାଇଥିଲା। ବର୍ଷା ପାଣି ଘେରରେ ରାତି କଟିଥିଲା। କିଏ ବିଏମ୍‌ସି ହେଲ୍ପ ଲାଇନ୍‌କୁ ଫୋନ୍‌ କରିଥିଲେ ତ କିଏ ନିଜ ପମ୍ପ ଲଗାଇ ପାଣି କାଢ଼ିଥିଲେ। କିନ୍ତୁ ରାତି ତମାମ୍‌ ବର୍ଷା ଲାଗି ରହିଥିବାରୁ ଲୋକଙ୍କୁ ସକାଳେ ଆଶ୍ୱସ୍ତି ମିଳିଥିଲା। ରାତି ତମାମ୍‌ ପ୍ରବଳ ବର୍ଷା ଲାଗି ରହିଥିବାବେଳେ ବିଏମ୍‌ସି ପକ୍ଷରୁ ରାତି ୩ଟାରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ମେୟର ଅନନ୍ତ ନାରାୟଣ ଜେନା, କମିସନର୍‌ କ୍ରିଷନ କୁମାର ଏବଂ ଅତିରିକ୍ତ କମିସନର ଶୁଭମ୍‌ ସକ୍ସେନାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ରାତିତମାମ୍‌ ଉଦ୍ଧାର କାର୍ଯ୍ୟ ହୋଇଥିଲା। ମେୟର ରାତି ୧୦ଟାରୁ ବିଭିନ୍ନ ଜଳଘେରି ଅଞ୍ଚଳ ବୁଲୁଥିବା ଦେଖିବାକୁ ମିଳିଥିଲା। ବିଏମ୍‌ସିର ଇଞ୍ଜିନିୟରିଂ ଟିମ୍‌ ଅଗ୍ନିଶମ ବିଭାଗ ସହାୟତାରେ କଣ୍ଟ୍ରୋଲ ରୁମ୍‌କୁ ଆସିଥିବା ଅଭିଯୋଗକୁ ଭିତ୍ତିକରି ଉଦ୍ଧାର କାର୍ଯ୍ୟ କରିଥିଲା। ଏହାସହ ମୁଖ୍ୟ ଡ୍ରେନ୍‌ଗୁଡ଼ିକରେ କିପରି ପାଣି ପ୍ରବାହ ସ୍ୱାଭାବିକ ହେବ ସେଥିପାଇଁ ଜେସିବି ଲଗାଇ ରାସ୍ତା ଖୋଳା ଯିବା ସହ ଜବରଦଖଲ ଉଚ୍ଛେଦ କରାଯାଇଥିଲା। ପଳାସୁଣି- ଝାରପଡ଼ା କେନାଲ ରୋଡ ସଂଲଗ୍ନ ମୁଖ୍ୟ ଡ୍ରେନ୍‌ ୧୦ରେ ସ୍ଥିତି ଅଣାୟତ ହେବାରୁ ରାସ୍ତା କାଟି ଦୟାେଓ୍ଵଷ୍ଟ କେନାଲକୁ ପାଣି ଛଡ଼ାଯାଇଥିଲା।

୨୪ଘଣ୍ଟାରେ ଆସିଲା ୮୦ ଅଭିଯୋଗ
ଭୁବନେଶ୍ୱର ଓ୍ଵାନ୍‌ ହେଲ୍ପଲାଇନ୍‌ ନମ୍ବର ଏବଂ ବିଏମ୍‌ସିର କଣ୍ଟ୍ରୋଲ ରୁମ୍‌କୁ ୨୪ଘଣ୍ଟା ମଧ୍ୟରେ ୮୦ଟି ଅଭିଯୋଗ ଆସିଥିବାବେଳେ ଏଥିରୁ ଭୁବନେଶ୍ୱର ଓ୍ଵାନ୍‌କୁ ୪୩ଟି ବିଏମ୍‌ସି କଣ୍ଟ୍ରୋଲ ରୁମ୍‌କୁ ୩୭ଟି ଅଭିଯୋଗ ଆସିଥିଲା। ବିଏମ୍‌ସି ପକ୍ଷରୁ ସମସ୍ତ ଅଭିଯୋଗର ସମାଧାନ କରାଯାଇଛି ବୋଲି କୁହାଯାଇଛି।

ଦୁଇ ସପ୍ତାହରେ ଲକ୍ଷେ ଟଙ୍କା ଜରିମାନା ଆଦାୟ

ରାସ୍ତା ଏବଂ ଡ୍ରେନ୍‌ ଉପରେ କେତେକ ସଂସ୍ଥା ଏବଂ ବ୍ୟକ୍ତି କଙ୍କ୍ରିଟ ଭଗ୍ନାବଶେଷ, ବାଲି, ଇଟା ଗଦାଇଥିବାରୁ ସେମାନଙ୍କଠାରୁ ଦୁଇ ସପ୍ତାହରେ ଲକ୍ଷେ ଟଙ୍କା ଜରିମାନା ଆଦାୟ ହୋଇଛି। ଏହି ଜରିମାନା ଆଦାୟ ଦ୍ୱାରା ନାଳ ଏବଂ ରାସ୍ତାରେ ବର୍ଜ୍ୟବସ୍ତୁ ଜମା କରିଥିବା ଦୃଷ୍ଟାନ୍ତ କମିଛି ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

୭ଟି ନିର୍ମାଣ ଉପରେ ରୋକ୍‌ ଲଗାଇଲା ଓଡିଏ କୋର୍ଟ
ଓଡ଼ିଶା ଡେଭେଲପ୍‌ମେଣ୍ଟ ଅଥିରିଟି (ଓଡିଏ) ଆଇନ୍‌ ଅନୁଯାୟୀ ବିଏମ୍‌ସି ଅଧୀନରେ ହେଉଥିବା ୭ଟି ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ନୋଟିସ୍‌ ଜାରି ହୋଇଛି। ଏହି ସବୁ ନିର୍ମାଣ ହେତୁ ସହରର ବିଭିନ୍ନ ଅଞ୍ଚଳରେ ବର୍ଷାଜଳ ନିଷ୍କାସନରେ ସମସ୍ୟା ଉପୁଜୁଥିବାରୁ ଏହି ନୋଟିସ୍‌ ଜାରି ହୋଇଛି। ବିଏମ୍‌ସି ପକ୍ଷରୁ ଗୌତମ ନଗରର ସୋମନାଥ ମହାନ୍ତି ଏବଂ ସୁରଜ କୁମାର ପାତ୍ର, ବରମୁଣ୍ଡାର ବ୍ରଜ କିଶୋର ସାହୁ ଓ ରଂଜନ ପଟ୍ଟନାୟକ, ଜୟଦେବ ବିହାରର ବାନାମ୍ବର ଜେନା ଓ ମିହିର ରଂଜନ ରଥ, ନୂଆପଲ୍ଲୀର ହେମନ୍ତ ପଟେଲଙ୍କୁ ନୋଟିସ୍‌ ଜାରି ହୋଇଛି।

ଉଦ୍ଧାର କାର୍ଯ୍ୟରେ ଲାଗିଲେ ୧୩୫୫ କର୍ମଚାରୀ
ବିଏମ୍‌ସି ପକ୍ଷରୁ ରାଜଧାନୀର ବିଭିନ୍ନ ସ୍ଥାନରେ ମୁଖ୍ୟ ଡ୍ରେନ୍‌ ଉପରୁ ଉଚ୍ଛେଦ କାର୍ଯ୍ୟ ଚାଲିଥିବାବେଳେ ଇସ୍କନ୍‌ ସମ୍ମୁଖରୁ ଜବରଦଖଲ ଉଚ୍ଛେଦ ହୋଇଛି। ଯେଉଁଠି ଜବରଦଖଲ ଉଚ୍ଛେଦ ହୋଇଛି ସେଠାରେ ଆଉ ପାଣି ଜମିନି କି ଲୋକଙ୍କ ଘରେ ପାଣି ପଶିନି ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ଆଜିର ଉଦ୍ଧାର କାର୍ଯ୍ୟରେ ବିଏମ୍‌ସିର ୨୨ଜଣ ଇଞ୍ଜିନିୟର, ୧୩ଜଣ ନୋଡାଲ ଅଧିକାରୀ, ୬୭ଜଣ ଓ୍ଵାର୍ଡ ଅଫିସର, ନଗର ସ୍ୱାସ୍ଥ୍ୟ ଅଧିକାରୀ ଏବଂ ତାଙ୍କର ଦୁଇ ସହଯୋଗୀ, ୧୩ଜଣ ସାନିଟାରି ଇନ୍ସପେକ୍ଟର, ୧୨୦୦ ଝାଡ଼ୁଦାର, ୩୦ଜଣ କମ୍ୟୁନିଟି ଅର୍ଗାନାଇଜର୍‌, ୭ଜଣ ଓ୍ଵାର୍ଡ ସୁପରଭାଇଜର୍‌, ୭ଟି ପମ୍ପ, ୫ଟି ସେସପୁଲ୍‌ ଗାଡ଼ି, ୩ଟି ଜେସିବି, ୨ଟି ପ୍ରୋକ୍ଲେନ୍‌ ମେସିନ୍‌ ଲାଗିଥିଲା।

୨୬ଟି ଅଞ୍ଚଳ ଜଳବନ୍ଦୀ
ଆଜି ପୂର୍ବାହ୍ନ ସୁଦ୍ଧା ବିଏମ୍‌ସି ଏବଂ ଅଗ୍ନିଶମ ସେବା ପକ୍ଷରୁ ଗୌରୀ ଗାର୍ଡେନ, ଗୌରୀନଗର, ବିଷ୍ଣୁପ୍ରିୟା ଆପାର୍ଟମେଣ୍ଟ, ଜୟଦେବ ବିହାର, ନିଉ ଫରେଷ୍ଟ ପାର୍କ କଲୋନି, ପାଇକ ନଗର, ପବିତ୍ର ଗେଷ୍ଟ ହାଉସ-ଜୟଦେବ ବିହାର, ଜୟଦେବ ବିହାରର ବିଭିନ୍ନ ଅଞ୍ଚଳ, ଆପୋଲୋ ହସ୍ପିଟାଲ ରାସ୍ତା-ଶିବ ପ୍ଲାଜା, ଘନଶ୍ୟାମ ଆପାର୍ଟମେଣ୍ଟ, ଜ୍ୟୋତ୍ସ୍ନା ଆପାର୍ଟମେଣ୍ଟ, ନୂଆପଲ୍ଲୀ ମଙ୍ଗଳା ମନ୍ଦିର ଅଞ୍ଚଳ, ଏକାମ୍ର ସିନେମା ହଲ୍‌ ପଛପାଖ ଅଞ୍ଚଳ, ପାଇକ ନଗର ରୋଡ ନଂ-୨, ୱାର୍ଡ -୩ ର ବିଭିନ୍ନ ଅଞ୍ଚଳ, ଶାରଦା ମଠ ଗଳି, ଚନ୍ଦ୍ରଶେଖରପୁର ବିଡିଏ କଲୋନିରେ ବର୍ଷା ଜଳ ନିଷ୍କାସନ ହୋଇଥିଲା। ସୋମବାର ରାତିରୁ ପାଣି ଘେରରେ ଥିବା ନାକାଗେଟ ଅଞ୍ଚଳ, ପଟିଆ ରାଉତ ସାହି, ଜିଜିପି କଲୋନିର ଦୁଇଟି ସ୍ଥାନ, ଭୀମଟାଙ୍ଗୀର ଦୁଇଟି ସ୍ଥାନ, ଲକ୍ଷ୍ମୀସାଗରର ଅନନ୍ତ ପ୍ଲାଜା, ମଙ୍ଗଳା ମନ୍ଦିର-ଚକେଇସିଆଣି, ହଂସପାଳ ଭୋଇସାହି, ଲକ୍ଷ୍ମୀସାଗର ମାଳି ହୋତା ପୋଖରୀ ଆଦି ସ୍ଥାନରେ ଅପରାହ୍‌ଣ ପର୍ଯ୍ୟନ୍ତ ଜଳ ନିଷ୍କାସନ କାର୍ଯ୍ୟ ଚାଲିଥିଲା। ପ୍ରାୟ ୨୬ଟି ଅଞ୍ଚଳରେ ଲୋକ ଜଳବନ୍ଦୀ ହୋଇ ରହିଥିଲେ।

୧୦ ମୁଖ୍ୟ ଡ୍ରେନ୍‌ ପାଇଁ ୧୩ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ
ରାଜଧାନୀର ୧୦ଟି ଯାକ ମୁଖ୍ୟ ଡ୍ରେନ୍‌ ଉପରୁ ଜବରଦଖଲ ଉଚ୍ଛେଦ କରିବା, ବର୍ଷା ଜଳ ପ୍ରବାହ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିବା, ନିୟମିତ କ୍ଷେତ୍ର ପରିଦର୍ଶନ କରିବା ଏବଂ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ବିଏମ୍‌ସି ପକ୍ଷରୁ ବିଡିଏ ଓ ବିଏମ୍‌ସିର ୧୩ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ୧୦ଟି ମୁଖ୍ୟ ଡ୍ରେନ୍‌ ପାଇଁ ୧୦ଜଣ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ ତିନି ଜଣ ବରିଷ୍ଠ ଅଧିକାରୀଙ୍କୁ ଏହାର ତଦାରଖ କରିବାକୁ କୁହାଯାଇଛି। ବିଏମ୍‌ସି ଅତିରିକ୍ତ କମିସନର ଶୁଭମ୍‌ ସକ୍ସେନା ମୁଖ୍ୟ ଡ୍ରେନ୍‌ ୫,୬,୮,୯ ଦାୟିତ୍ୱରେ ଥିବାବେଳେ ବିଡିଏର ଅତିରିକ୍ତ କମିସନର୍‌ (ଏନଫୋର୍ସମେଣ୍ଟ) ଭବାନୀ ଶଙ୍କର ଚଇନିଙ୍କୁ ମୁଖ୍ୟ ଡ୍ରେନ୍‌ ୧୦,୭ ଓ ୪ ଦାୟିତ୍ୱ ଦିଆଯାଇଛି। ବିଏମ୍‌ସି ସିଟି ଇଞ୍ଜିନିୟର ଦେବସୁନ୍ଦର ମହାପାତ୍ରଙ୍କୁ ମୁଖ୍ୟ ଡ୍ରେନ୍‌ ୧,୨,୩ର ଦାୟିତ୍ୱ ଦିଆଯାଇଛି।

ବିଜୁ ଯୁବ ବାହିନୀର ରନ୍ଧା ଖାଦ୍ୟ ବଣ୍ଟନ
ଲଗାଣ ବର୍ଷା ଯୋଗୁଁ ଘରେ ପାଣି ଜମି ରହିବାରୁ ଲୋକେ ନାହିଁ ନଥିବା ସମସ୍ୟା ଭୋଗିଥିଲେ। ରହିବା ପାଇଁ ଲୋକେ କଲବଲ ହେଉଥିବା ବେଳେ ରୋଷେଇ କରିବା ସମ୍ଭବ ନଥିଲା। ତେଣୁ ଓ୍ଵାର୍ଡ ନମ୍ବର ୧୭ରେ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇଥିଲେ ଓ୍ଵାର୍ଡର ବିଜୁ ଯୁବ ବାହିନୀ। କର୍ମକର୍ତାମାନେ ଓ୍ଵାର୍ଡରେ ପହଞ୍ଚି କ୍ଷତିଗ୍ରସ୍ତ ପରିବାରବର୍ଗଙ୍କୁ ରନ୍ଧାଖାଦ୍ୟ ବାଣ୍ଟିଥିଲେ। କର୍ପୋରେଟର୍‌ ସୁସ୍ମିତା ଦାସ, ସମାଜସେବୀ ଭୋଳାନାଥ ମହାରଣା, ବାଦଲ ଦାସ, ରାମ ବେହେରା ଓ ଶିବା ରେଡ୍ଡୀ ପ୍ରମୁଖ ରନ୍ଧାଖାଦ୍ୟ ପ୍ରସ୍ତୁତ କରି ପହଞ୍ଚାଇଥିଲେ।

ସମ୍ବନ୍ଧିତ ଖବର