କୁମ୍ଭମେଳାକୁ ବର୍ଷା ବଇରି: ଯାତ୍ରା ଜମିଲାଣି, ମେଳା ଭିଡ଼ ଜମୁନି

ଖଣ୍ଡଗିରି: ଦୁଇ ଦିନ ହେଲା ଖଣ୍ଡଗିରି କୁମ୍ଭମେଳା ପାଇଁ ବର୍ଷା ବଇରି ସାଜିଛି। ଗତକାଲି ଅଧିକ ବର୍ଷା କାରଣରୁ ମେଳାରେ ଭିଡ଼ ନଥିବାବେଳେ ଆଜି ମଧ୍ୟ ବର୍ଷା କମ୍ ସତ୍ତ୍ବେ ସେମିତି ଗହଳଚହଳ ଲାଗିନଥିଲା। କେବଳ ସନ୍ଧ୍ୟା‌ବେଳକୁ ବାଦ୍‌ଦେଲେ ଦିନତମାମ୍ ମେଳା ଦର୍ଶକଙ୍କ ସଂଖ୍ୟା ବେଶ୍ ହ୍ରାସ ପାଇଛି। ତେଣୁ ମେଳାର ଚମକ ଏକରକମ ଫିକା ପଡ଼ିଯାଇଛି। କୁମ୍ଭମେଳା ପାଇଁ ଅପେରା ଦଳ ସଜବାଜ ହୋଇ ସାରିଥିବାବେ‌ଳେ ମେଘୁଆ ପାଗ ଦର୍ଶକଙ୍କ ବାଟ ଓଗାଳିଛି। ଗତକାଲି ବର୍ଷା କାରଣରୁ ପାହାଡ଼ ଉପରେ ସାଧୁସନ୍ଥମାନେ ହୋମଯଜ୍ଞ କରିବା ପାଇଁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତେବେ ଆଜି ଦିନବେଳା ଭଲ ପାଗ ଦେବାରୁ ସେମାନେ ଯଥାରୀତି ହୋମଯଜ୍ଞ ଚାଲୁ ରଖିଛନ୍ତି। ଆଜି ଦିନବେଳା ମେଳା ପୂରା ଖାଁ ଖାଁ ଲାଗୁଥିଲା। ବେପାରୀମାନେ ପସରା ମେଲି ବସିଥିଲେ ସିନା ଗରାଖ ନଥିଲେ। ତେଣୁ କିଛି ବେପାରୀ ହାତବାନ୍ଧି ବସି ରହିଥିଲେ। କିନ୍ତୁ ସନ୍ଧ୍ୟ‌ାବେଳକୁ ହଠାତ୍ ଭିଡ଼ ବଢ଼ିଥିଲା। ଫଳରେ ଚାର୍ଟ, ଗୁପ୍‌ଚୁପ୍‌ ଓ ଫାଷ୍ଟ ଫୁଡ୍‌ ଦୋକାନୀମାନେ ଖୁସି ହୋଇ ଯାଇଥିଲେ। କିନ୍ତୁ ମୁହଁ ଶୁଖାଇ ବସିଥିଲେ ପାରମ୍ପରିକ ମେଳା ଦୋକାନୀମାନେ। ଲୁହା ନିର୍ମିତ ଘରୋଇ ଉପକରଣ, କୁଲା ଡାଲା ବାଉଁଶିଆ ବେପାର ପୂରା ମାନ୍ଦା ଥିଲା। କିଛି ମ‌ନୋହରି ଦୋକାନର କାରବାର ଭଲ ଥିଲା।

ଜିଅନ୍ତା ଘୁଗୁନି ଡାକୁଛି: ମେଳାରେ ଜିଅନ୍ତ‌ା ଘୁଗୁନି ଡାକ ପକାଉଛି। ଏମିତି କୌତୁକିଆ ନାଁକୁ ନେଇ ଗରାଖମାନେ ମଧ୍ୟ ସେଠି ଭିଡ଼ ଲଗାଉଛନ୍ତି। ଠୋଲାକୁ ୧୦ ଟଙ୍କା ଦର‌ରେ ବିକ୍ରି ହେଉଛି ଜିଅନ୍ତା ଘୁଗୁନି। ଆକର୍ଷଣୀୟ ଦୋକାନ ନ ହେଲେ ମଧ୍ୟ ରାସ୍ତା କଡ଼ରେ ଠିଆ ହୋଇଥିବା ଜିଅନ୍ତା ଘୁଗୁନିବାଲାର ବେପାର ଭଲ।

ସବୁଥିରେ ରିହାତି: କିନ୍ତୁ ଖଣ୍ଡଗିରି ମେଳାକୁ ଆସିଥିବା ପ୍ରାୟ ସବୁ ଦୋକାନରେ ରିହାତି। କେବଳ କିଛି ଖାଇବା ଜିନିଷକୁ ବାଦ୍‌ ଦେଲେ ଅନ୍ୟ ସବୁଥିରେ ଚାଲିଛି ରିହାତି ମାଡ଼। ତେବେ ଆଇସ୍‌କ୍ରିମ୍‌ରେ ରହିଛି ଗୋଟିଏରେ ଗୋଟିଏ ଫ୍ରି। ତେଣୁ ଛୋଟ ପିଲାମାନେ ସେଇଠି ଭିଡ଼ କରୁଛନ୍ତି। କେଉଁଠି ଗୋଟାକରେ ଗୋଟାଏ ଫ୍ରି ତ କେଉଁଠି ଦୁଇଟି କିଣିଲେ ଗୋଟାଏ ଫ୍ରି।

ସମ୍ବନ୍ଧିତ ଖବର