ମେ’ ମାସରେ ବାଲିପାଟଣାରେ ୧୯୭ ମିମି ବର୍ଷା : ବର୍ଷାରେ ଧାନ ଯାଇଥିଲା ମୁଗ, ବିରି ବି ଗଲା

ବାଲିପାଟଣା : ଗତ ସେପ୍ଟେମ୍ବର ମାସରେ ଅଦିନିଆ ଲଘୁଚାପ ବର୍ଷାରେ ଚାଷୀଙ୍କ ବ୍ୟାପକ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଥିଲା। ରବି ଫସଲରୁ ଦୁଇ ପଇସା ଲାଭ କରି ଧାନ ଚାଷର କ୍ଷତିକୁ ଭରଣା କରିବେ ବୋଲି ଚାଷୀ ଆଶା ରଖିଥିଲେ। କିନ୍ତୁ ସେତକ ବି ଗଲା। ଠିକ୍‌ ମୁଗ, ବିରି ଅମଳ ସମୟରେ ତୁହାକୁ ତୁହା ବର୍ଷା ଚାଷୀଙ୍କ ଘୋର କ୍ଷତି କରିଛି। ମେ’ ମାସରେ ପ୍ରବଳ ବର୍ଷା ହେବାରୁ ବାଲିପାଟଣାରେ ମୁଗ, ବିରି ଫସଲ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ମୁଗ, ବିରି କେଉଁଠି ବିଲରେ ପଡ଼ିଛି ତ କେଉଁଠି ଖଳାରେ ପଡ଼ିଛି। ପ୍ରତି ସପ୍ତାହରେ ବର୍ଷା ହେବା କାରଣରୁ ବିଲ କି ଖଳା ଶୁଖିପାରୁନି। ଫଳରେ ଚାଷୀ ଅମଳ କରିବାକୁ ଉପାୟ ବି ପାଉନି। ବହୁସ୍ଥାନରେ ମୁଗ, ବିରି ବିଲ ଓ ଖଳାରେ ପଡ଼ି ଫିମ୍ପି ମାରି ଗଜା ହେଲାଣି।

ବାଲିପାଟଣା ବ୍ଲକରେ ଚଳିତ ମେ’ ମାସରେ ରେକର୍ଡ ୧୯୭.୨ ମିମି ବର୍ଷା ହୋଇଛି। ୨୦୧୭ ମେ’ ମାସରେ ମାତ୍ର ୧୫.୬ମିମି ବର୍ଷା ହୋଇଥିଲା। ଗତ ୨୪ ତାରିଖରେ ବାଲିପାଟଣାରେ ସର୍ବାଧିକ ୭୫.୬ମିମି ବର୍ଷା ହୋଇଛି। ଏଥିସହ ୧ରେ ୬୦.୪ ମିମି, ୩ରେ ୨.୨ ମିମି, ୧୫ରେ ୧୦.୬ମିମି, ୧୭ରେ ୪୮.୪ ମିମି ବର୍ଷା ହୋଇ ସାରିଲାଣି। କେବଳ ମେ’ ମାସ ନୁହେଁ ଚଳିତ ବର୍ଷ ଅପ୍ରେଲ ମାସରେ ବି ୬୩.୫ ମିମି ବର୍ଷା ହୋଇ ସାରିଛି। ଠିକ୍‌ ରବି ଫସଲ ଅମଳ ଋତୁରେ ଏଭଳି ପ୍ରଚୁର ବର୍ଷା ଚାଷୀଙ୍କ ବ୍ୟାପକ ଫସଲ ହାନି କରିସାରିଲାଣି। ଗତ ସେପ୍ଟେମ୍ବରରେ ଲଘୁଚାପ ଜନିତ ବର୍ଷାରେ ଚାଷୀଙ୍କ ବ୍ୟାପକ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଥିଲା। ବାଲିପାଟଣା ବ୍ଲକର ୩୩ ହଜାର ୫୧୫ଜଣ ଚାଷୀ ସେମାନଙ୍କ ଧାନ ଚାଷ ହରାଇଥିଲେ। ରବି ଋତୁରେ ବି ହଜାରହଜାର ଚାଷୀ ସେମାନଙ୍କ ଏକର ଏକର ମୁଗ, ବିରି ଫସଲ ହରାଇବାକୁ ବସିଲେଣି। ତୁରନ୍ତ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର