୨୪ ଘଣ୍ଟାରେ ୧୧୩ମିମି: ବର୍ଷାରେ ଭାସିଲା ରାଜଧାନୀ

ଡ୍ରେନ୍ ଉଛୁଳି ରାସ୍ତାରେ ବନ୍ୟା, ଘରେ ପଶିଲା ପାଣି, ଜଳ ନିଷ୍କାସନ ପାଇଁ ପାଚେରି ଭାଙ୍ଗିଲେ, ଡ୍ରେନ୍‌ ସଫାକଲେ

ଭୁବନେଶ୍ବର : ରାଜଧାନୀକୁ ବୁଡ଼ାଇ ଦେଇଛି ମୌସୁମୀ ବର୍ଷା। ୨୪ଘଣ୍ଟାରେ ବର୍ଷିଛି ୧୧୩.୨ ମିମି। ରାଜଧାନୀର ପ୍ରମୁଖ ରାସ୍ତାଗୁଡ଼ିକରେ ପୂର୍ବ ବର୍ଷଗୁଡ଼ିକ ଭଳି ଦୀର୍ଘ ସମୟ ପର୍ଯ୍ୟନ୍ତ ପାଣି ଜମି ରହିନଥିଲେ ହେଁ ବସ୍ତିରୁ ଆରମ୍ଭ କରି କଲୋନି, ଗଳିକନ୍ଦିରେ ସ୍ଥିତି ସାଂଘାତିକ ହୋଇଛି। ବହୁ ଅଞ୍ଚଳ ଆଜି ଜଳବନ୍ଦୀ ହୋଇଯାଇଥିବାବେଳେ ବିଏମ୍‌ସିର ମୌସୁମୀ ମୁକାବିଲା ଏକରକମ ଫେଲ୍‌ ମାରିଛି।

ନୂଆପଲ୍ଲୀ

ମଙ୍ଗଳବାର ସକାଳଠାରୁ ବୁଧବାର ମଧ୍ୟାହ୍ନ ପର୍ଯ୍ୟନ୍ତ ରାଜଧାନୀରେ ତୁହାକୁ ତୁହା ବର୍ଷା ଲାଗି ରହିଥିଲା। ରାସ୍ତାରେ ପାଣିର ସୁଅ ଛୁଟିଥିଲା। ଗଳିକନ୍ଦିରେ ଥିବା ଡ୍ରେନ୍‌ଗୁଡ଼ିକ ଭଲ ଭାବେ ସଫା ହୋଇନଥିବାରୁ ନର୍ଦ୍ଦମା ଓ ବର୍ଷା ପାଣି ଉଛୁଳି ଏକାକାର ହୋଇଯାଇଥିଲା। ପୁଣି ପର୍ଯ୍ୟାପ୍ତ ଡ୍ରେନ୍ ନଥିବାରୁ ଏବଂ ଡ୍ରେନ୍ ଜବରଦଖଲ କାରଣରୁ ଆଜି ବହୁ ଅଞ୍ଚଳବାସୀଙ୍କୁ ଜଳବନ୍ଦୀ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏପରିକି ବିଏମ୍‌ସି ପକ୍ଷରୁ ବିଭିନ୍ନ ସ୍ଥାନରେ ପାଣି ପମ୍ପ ନିୟୋଜିତ କରାଯାଇଥିଲେ ବି ବର୍ଷା ଜଳ ନିଷ୍କାସନ ହୋଇପାରିନଥିଲା। ଯେଉଁଥିପାଇଁ ବିଏମ୍‌ସିକୁ ବିଭିନ୍ନ ସ୍ଥାନରେ ପାଚେରି, ଲୋକଙ୍କ ଘର ସମ୍ମୁଖ ସ୍ଲାବ୍ ଭାଙ୍ଗିବାକୁ ପଡ଼ିଥିଲା। ଏପରିକି ବର୍ଷାରେ ବି ବିଏମ୍‌ସି ଲୋକ ଲଗାଇ ଡ୍ରେନ୍ ସଫା କରିଥିଲା। ଦୀର୍ଘ ସମୟ ପରେ ବହୁ ଅଞ୍ଚଳରୁ ଜଳ ନିଷ୍କାସନ ସମ୍ଭବ ହୋଇଥିଲା।

ଇସ୍କନ୍‌ ମନ୍ଦିର ସମ୍ମୁଖ

ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ବର୍ଷା ମୁକାବିଲା ପାଇଁ ଆଜି ଅଗ୍ନିଶମ ବିଭାଗ ସହ ମିଶି ୧୮ଟି ସ୍ଥାନରେ ପାଣି ପମ୍ପ ନିୟୋଜିତ କରାଯାଇଥିଲା। ନିଉ ଫରେଷ୍ଟ ପାର୍କ କଲୋନି, ଶ୍ରୀରାମ ସିଟି, ମଲ୍ଲିକ କମ୍ପ୍ଲେକ୍ସ, ମଳିଅନ୍ତା ଟ୍ୟାଙ୍କ ଲେନ୍ ନିକଟରେ ପାଣି ଜମି ରହିବାରୁ ସେଠାରୁ ପମ୍ପ ଲଗାଇ ଜଳ ନିଷ୍କାସନ କରାଯାଇଥିଲା। ସେହିପରି ବଡ଼ଗଡ଼ ମା’ ସନ୍ତୋଷୀ ମନ୍ଦିର ନିକଟରେ ଡ୍ରେନ୍ ପୂରା ଜାମ୍ ହୋଇଥିବାରୁ ସଫେଇ କର୍ମଚାରୀଙ୍କ ଦ୍ବାରା ଡ୍ରେନ୍ ସଫା କରାଯାଇଥିଲା। ବମିଖାଲରେ ଜଳ ନିଷ୍କାସନ ବାଟ ବନ୍ଦ ହୋଇଯାଇଥିବାରୁ ଏକ୍ସାଭେଟର ଲଗାଇ ଜଣଙ୍କର ପାଚେରି ଭଙ୍ଗାଯାଇଥିଲା। ଏହାବାଦ୍ ଯେଉଁମାନେ ଡ୍ରେନ୍‌ ଉପରେ ନିଜ ସୁବିଧା ମୁତାବକ ସ୍ଳାବ୍ ପକାଇଥିଲେ କି ରାମ୍ପ ତିଆରି କରିଥିଲେ ସେଗୁଡ଼ିକୁ କମିସନରଙ୍କ ନିର୍ଦ୍ଦେଶକ୍ରମେ ଭଙ୍ଗାଯାଇଥିଲା। ଜଳ ନିଷ୍କାସନ ପାଇଁ ଆବଶ୍ୟକ ଉଚ୍ଛେଦ ତୁରନ୍ତ କରିବାକୁ ବିଏମ୍‌ସି କମିସନର ନିର୍ଦ୍ଦେଶ ଦେବା ପରେ ଇଞ୍ଜିନିୟରିଂ ଟିମ୍ ବହୁ ସ୍ଥାନରେ ଉଚ୍ଛେଦ କରି ଜଳ ନିଷ୍କାସନ କରିଥିଲା। ଏଥିରେ ଚକେଇସିଆଣି, ଜୋହଳ, ସୈନିକ ସ୍କୁଲ ନିକଟସ୍ଥ ମହାବୀର ବସ୍ତିରୁ ଜବରଦଖଲ ହଟାଇ ଜଳ ନିଷ୍କାସନ କରାଯାଇଥିଲା।

ସମ୍ବନ୍ଧିତ ଖବର