ଭୁବନେଶ୍ବର : ଜୁନ୍ ମାସରେ ମୌସୁମୀ ବର୍ଷା ବାରମ୍ବାର ରାଜଧାନୀକୁ ଜଳବନ୍ଦୀ କରିଥିଲା। ଜୁଲାଇ ଆସୁ ଆସୁ ପୁଣି ଆଜି ସେଇ ପରିସ୍ଥିତି ସୃଷ୍ଟି ହୋଇଛି। ଶୁକ୍ରବାର ସକାଳୁ ରାଜଧାନୀରେ ପାଗ ସମ୍ପୂର୍ଣ୍ଣ ମେଘୁଆ ରହିଥିବା ବେଳେ ଅପରାହ୍ଣରେ ବର୍ଷା ଆରମ୍ଭ ହୋଇଯାଇଥିଲା। ଏତେ ବର୍ଷିଥିଲା ଯେ ୩ଘଣ୍ଟାରେ ରାଜଧାନୀରେ ପ୍ରାୟ ୪୪ମିମି ଢାଳି ଦେଇଥିଲା। ଫଳରେ ରାଜଧାନୀର ରାସ୍ତା ଜଳମଗ୍ନ ହୋଇଯିବା ସହ ବିଭିନ୍ନ ସ୍ଥାନରେ ଜଳ ନିଷ୍କାସନ ସମସ୍ୟା ଉପୁଜିଥିଲା। ତେବେ ଶେଷଥର ପାଇଁ ଜୁନ୍ ୨୨ରୁ ୨୩ତାରିଖ ମଧ୍ୟରେ ରାଜଧାନୀରେ ୨୪ଘଣ୍ଟା ମଧ୍ୟରେ ୧୧୩ ମିମି ବର୍ଷା ହୋଇଥିଲା। ଏହାପରେ ପ୍ରାୟ ୧୦ ଦିନ ଧରି ରାଜଧାନୀରେ କାଁ ଭାଁ ବର୍ଷା ରେକର୍ଡ ହୋଇଥିଲା। କିନ୍ତୁ ଆଜି ଅପରାହ୍ଣରେ ପ୍ରବଳ ବର୍ଷିବା ପରେ ପରିବେଶ ବି ଥଣ୍ଡା ପଡ଼ି ଯାଇଛି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ରାଜ୍ୟରେ ଏବେ ପୁଣି ଥରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେଉଥିବା ବେଳେ ସମସ୍ତ ଉପକୂଳ ଓଡ଼ିଶା ସମେତ ରାଜ୍ୟର ପ୍ରାୟ ସ୍ଥାନରେ ବର୍ଷା ଜାରି ରହିଛି। ରାଜଧାନୀ ଓ ସଂଲଗ୍ନ ପଟିଆ ଓ ବେଗୁନିଆ ଅଞ୍ଚଳରେ ଆଜି ବିଶେଷ ବର୍ଷା ହୋଇ ନଥିବା ବେଳେ ରାଜୀବ ଭବନ ଅଞ୍ଚଳରେ ୪୫.୫ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଏହାଛଡ଼ା ରାଜଧାନୀର ଅବଶିଷ୍ଟ ଅଞ୍ଚଳରେ ହାରାହାରି ୪୪ ମିମି ବର୍ଷା ହୋଇଯାଇଛି। ଆସନ୍ତାକାଲି ମଧ୍ୟ ରାଜଧାନୀର ପାଗ ମେଘୁଆ ରହିବ। ବର୍ଷା ହେବାର ବି ସମ୍ଭାବନା ରହିଛି। ଆଜିଭଳି ଆସନ୍ତାକାଲି ମଧ୍ୟ ରାଜଧାନୀର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୫ଡିଗ୍ରି ମଧ୍ୟରେ ରହିବ।
ରାସ୍ତାରେ ବନ୍ୟା, ଘରେ, ମନ୍ଦିରରେ ପାଣି ପଶିଲା
ପୁରୁଣା ଭୁବନେଶ୍ୱର : ସକାଳୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଖରାଟିଆ ପାଗ ଥିଲା। ଅସହ୍ୟ ଗୁଳୁଗୁଳି ହେଉଥିଲା। ଅପରାହ୍ଣ ପ୍ରାୟ ଗୋଟାଏ ବେଳକୁ ଆକାଶରେ କିଛି କଳାହାଣ୍ଡିଆ ମେଘ ଦେଖାଗଲା। ଅସରାଏ ବର୍ଷା ହେବ ବୋଲି ଆଶା କରାଯାଉଥିଲା। ହଠାତ୍ ସାଢ଼େ ଗୋଟାଏ ପରେ ଛାତିଥରା ଘଡ଼ଘଡ଼ି ସାଙ୍ଗକୁ ଆରମ୍ଭ ହୋଇଗଲା ମୂଷଳ ଧାରା ବର୍ଷା। ଦୁଇ ଘଣ୍ଟା ଅଜାଡ଼ି ଦେଲା। ପ୍ରାୟ ଚାରିଟା ପର୍ଯ୍ୟନ୍ତ ଗାଳିଲା। ରାସ୍ତାରେ ବନ୍ୟା ସୃଷ୍ଟି ହୋଇଗଲା ଓ ଘରଦ୍ବାର, ମନ୍ଦିର ସବୁ ବୁଡ଼ାଇଦେଲା। ପରିସ୍ଥିତି ଏମିତି ହେଲା ଯେ ବହୁ କଲୋନିରୁ ପମ୍ପ ଲଗାଇ ପାଣି ନିଷ୍କାସନ କରିବାକୁ ପଡ଼ିଲା। ଆଜି ପୁରୁଣା ଭୁବନେଶ୍ବର ଅଞ୍ଚଳରେ ବର୍ଷା ଲୋକଙ୍କୁ ଅଚାନକ ଭାବେ ଏମିତି କଲବଲ କରିଥିଲା।
ଲୁଇସ୍ ରୋଡ୍ରେ ଗ୍ୟାରେଜ୍ ଛକରୁ ସାମନ୍ତରାପୁର ଛକ ପର୍ଯ୍ୟନ୍ତ ପ୍ରାୟ ଦୁଇ ଫୁଟ୍ ଗଭୀରରେ ପାଣି ଜମି ରହିଥିଲା। ପାଣିରେ ବୁଡ଼ି ଯାଇଥିବା ରାସ୍ତା ଏକ ନାଳର ଭ୍ରମ ସୃଷ୍ଟି କରିଥିଲା। ଯାନବାହାନ ଚଳାଚଳ ହୋଇପାରିନଥିଲା। ସେହିପରି ଗୋସାଗରେଶ୍ବର ଛକରେ ଅଢ଼େଇ ଫୁଟ୍ ଉଚ୍ଚରେ ପାଣି ଜମି ରହିଥିଲା। କିଛି ବାଇକ୍ ଯା’ ଆସ କରି ପାରୁଥିଲା ସିନା କିନ୍ତୁ ସ୍କୁଟି, କାର୍ ଭଳି ଗାଡ଼ି ମଟର ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ସେହିଭଳି ଗାଡ଼ିରେ ପାଣି ପଶିଯିବାରୁ ବହୁ ଗାଡ଼ି ବାଟରେ ବନ୍ଦ ହୋଇ ଯାଇଥିଲା। ବର୍ଷା ଛାଡ଼ିବା ପରେ ବି ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ଏହି ସବୁ ରୋଡ୍ରେ ପାଣି ଜମି ରହିଥିଲା। ସେହିପରି ନୂଆଗାଁ ରାସ୍ତାରେ ପାଣି ଜମି ରହିବା ଯୋଗୁଁ ରାସ୍ତାରେ ଯାତାୟାତ ଠପ୍ ହୋଇଯାଇଥିଲା।
ସେହିପରି ଭୀମଟାଙ୍ଗି ତଳ ଫେଜ୍ ବସ୍ତି, ନାରାୟଣୀ କ୍ଲବ୍ ରୋଡ୍, ଭୀମଟାଙ୍ଗି ଉପର ଫେଜ୍ ଅଟାକଳ ଗଳିରେ ରାସ୍ତାରେ ପାଣି ଜମି ରହିଥିଲା। ଭୀମଟାଙ୍ଗୀ ତଳ ଫେଜ୍ରେ କିଛି ଲୋକଙ୍କ ଘରେ ପାଣି ପଶିଥିଲା। ଜମି ରହିଥିବା ଜଳ ନିଷ୍କାସନ ହୋଇନପାରିବାରୁ ରାସ୍ତାରୁ ଉଛୁଳି ଘରେ ଘରେ ପଶିଗଲା। ସେହିଭଳି ନାରାୟଣୀ କ୍ଲବ ରାସ୍ତାରେ ପାଣି ଜମି ରହିବାରୁ ଗାଡ଼ି ଚଳାଚଳ ପ୍ରାୟ ବନ୍ଦ ହୋଇଯାଇଥିଲା। ଲୋକେ ଆଣ୍ଠୁଏ ପାଣିରେ ପଶି ଚାଲିଚାଲି ଯିବା ଆସିବା କରିବାକୁ ବାଧ୍ୟ ହୋଇଥିଲେ।
ସେହିପରି ଏକାମ୍ରକ୍ଷେତ୍ରର ବିଭିନ୍ନ ଐତିହ୍ୟସ୍ଥଳରେ ପାଣି ଜମି ରହିଥିଲା। ମେଘେଶ୍ୱର ମନ୍ଦିର, ବୋଇତାଳ ମନ୍ଦିର, ଶିଶିରେଶ୍ୱର ମନ୍ଦିର, ଗୋସାଗରେଶ୍ୱର ମନ୍ଦିର ପରିସରରେ ବହୁ ସମୟ ପର୍ଯ୍ୟନ୍ତ ପାଣି ଜମି ରହିଥିଲା। ଗୋସାଗରେଶ୍ବର ମନ୍ଦିରରେ ମହାଦେବ ବର୍ଷା ପାଣିରେ ବହୁ ସମୟ ପର୍ଯ୍ୟନ୍ତ ବୁଡ଼ି ରହିଥିଲେ। ବହୁ ସ୍ଥାନରେ ପମ୍ପ ଲଗାଯାଇ ପାଣି ବାହାର କରିବା ପରେ ସ୍ଥିତି ସୁଧୁରିଥିଲା।