ଘଣ୍ଟାଏ ବର୍ଷା, ବେହାଲ ଭୁବନେଶ୍ୱର: ଇସ୍କନ୍‌ ସାମ୍ନାରେ ଭାସିଲା କାର୍‌, ବୁଡ଼ିଲା ବାଇକ୍‌

ଧାର୍ଯ୍ୟ ସମୟରେ ସରିଲାନି ନଳା କାମ, ଭୋଗିଲେ ସହରବାସୀ

ଭୁବନେଶ୍ବର : ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହେଲା। ବୁଧବାର ଅପରାହ୍ନରେ ୧ ଘଣ୍ଟା ଧରି ବର୍ଷାରେ ଭୁବନେଶ୍ବର ଭାସିଲା। ଘଡ଼ଘଡ଼ି ସାଙ୍ଗକୁ ମୂଷଳ ଧାରାରେ ବର୍ଷା ଅପ୍ରସ୍ତୁତ ରାଜଧାନୀବାସୀଙ୍କୁ ଅକଳରେ ପକାଇଥିଲା। ଇସ୍କନ ମନ୍ଦିର ସାମ୍ନାରେ ଅଣ୍ଟାଏ ପାଣି ଦୀର୍ଘ ସମୟ ଧରି ଜମି ରହିଥିବା ବେଳେ କଟକ ରୋଡ୍‌ରେ ରାସ୍ତା ଉପରେ ପାଣି ଜମିଲା। ଡ୍ରେନ୍‌ ପାଇଁ ଖୋଳା ଯାଇଥିବା ଖାଲରେ ପାଣି ଭର୍ତ୍ତି ହୋଇଯିବାରୁ ବିପଜ୍ଜନକ ପରିସ୍ଥିତି ସୃଷ୍ଟି ହେଲା। ସ୍ବେରେଜ୍‌ ପାଇଁ ଖୋଳାଯାଇଥିବା ଗାତରେ ପାଣି ପଶିବା ସହ ସେଥିରୁ ବାହାରିଥିବା ମାଟି ପିଚୁ ରାସ୍ତାରେ ଭାସିଲା। ଫଳରେ ସହରର ବିଭିନ୍ନ ଜାଗାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଲା। ଜୁନ୍‌ ୧୫ ସୁଦ୍ଧା ସମସ୍ତ ଡ୍ରେନ୍‌ ସଫା ହେବା ସହ ମରାମତି ପାଇଁ ଯୋଜନା କରା ଯାଇଥିଲେ ମଧ୍ୟ ସମ୍ଭବ ହୋଇନଥିବାରୁ ରାଜଧାନୀବାସୀଙ୍କୁ ଭୋଗିବାକୁ ପଡ଼ିଲା।


ବୁଧବାର ଅପରାହ୍ନ ପ୍ରାୟ ଗୋଟାଏ ବେଳେ ଭୁବନେଶ୍ବରରେ ବର୍ଷା ଆରମ୍ଭ ହୋଇ ଯାଇଥିଲା। ଦୀର୍ଘ ଏକ ଘଣ୍ଟା ଧରି ୮ ମିଲିମିଟର ବର୍ଷା ହୋଇଥିଲା। ଅଚାନକ ହୋଇଥିବାରୁ ଅଧିକାଂଶ ଅପ୍ରସ୍ତୁତ ଥିବାରୁ ରାସ୍ତାରେ ଫସି ଯାଇଥିଲେ। ଇସ୍କନ ସାମ୍ନା ରାସ୍ତାରେ ପୂର୍ବବର୍ଷ ପରିସ୍ଥିତିର ପୁନରାବୃତ୍ତି ଘଟିଲା। ମାତ୍ର ୧୦ ମିନିଟ୍‌ ସମଗ୍ର ରାସ୍ତା ପାଣିରେ ପୂର୍ଣ୍ଣ ହୋଇଯାଇଥିଲା। କାର୍‌ ଭାସିଲା। ବାଇକ୍‌, ସ୍କୁଟି ଓ ଅଟୋ ଷ୍ଟାର୍ଟ ବନ୍ଦ ହୋଇଯିବାରୁ ଅଣ୍ଟାଏ ପାଣିରେ ଗାଡ଼ି ଠେଲି ଠେଲି ବାହାର କରିବା ଚାଳକଙ୍କ ପାଇଁ କାଠିକର ପାଠ ହୋଇଥିଲା। ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀ ବସ୍‌ରେ ଚଢ଼ିବା ବେ‌ଳେ ପାଣିରେ ଫସିଥିଲେ।

ୟୁନିଟ୍‌-୩ ଅଞ୍ଚଳରେ ଡ୍ରେନ୍‌ ପାଇଁ ରାସ୍ତା କଡ଼ ଖୋଳା ଯାଇଥିଲା। ପାଣି ଭର୍ତ୍ତି ହୋଇଯିବାରୁ ରାସ୍ତା ଓ ନଳା ସମାନ ହୋଇଯାଇଥିଲା। ଏହି ଗାତ ଭିତରେ ସାଇକେଲ୍‌ ଚାଳକଙ୍କ ସହ କେତେକ ଶିଶୁ ଗଳି ପଡ଼ିଥିଲେ। ତେବେ କିଛି ଅଘଟଣ ଘଟିନଥିବା ସୂଚନା ମିଳିଛି। ଏହି ଅଞ୍ଚଳରେ ଡ୍ରେନ୍‌ ଭର୍ତ୍ତି ହୋଇଯିବାରୁ ରାସ୍ତା ଉପରେ ନଳା ପାଣି ଭାସିଥିଲା। ବର୍ଷା ସମୟରେ ରାସ୍ତାରେ ଯାଉଥିବା ଲୋକଙ୍କ ପାଇଁ ‘ମୋ ବସ୍‌’ ଷ୍ଟାଣ୍ଡ ଏକମାତ୍ର ଆଶ୍ରୟସ୍ଥଳ ପାଲଟିଥିଲା। କିନ୍ତୁ ବସ୍‌ଷ୍ଟାଣ୍ଡଗୁଡ଼ିକର ଛାତ ଖରାପ ହୋଇ ଯାଇଥିବାରୁ ଅଧିକାଂଶ ଜାଗାରେ ପାଣି ଗଳୁଥିଲା। ଲୋକମାନେ ହନ୍ତସନ୍ତ ହୋଇଥିଲେ। ଜିଜିପି କଲୋନି ଓ କସ୍‌ମୋପଲିସ୍‌ ରାସ୍ତାରେ ଚାଲିଥିବା ସ୍ବେରେଜ୍‌ କାମ ସମସ୍ୟା ସୃଷ୍ଟି କରିଥିଲା। ରାସ୍ତା ଉପରେ ଜମିଥିବା ମାଟି ପିଚୁ ରାସ୍ତାରେ ଭାସିବାରୁ ରାସ୍ତା କାଦୁଅ ହୋଇ ଯାଇଥିଲା।

ତେବେ ଇସ୍କନ ଛଡ଼ା ଅନ୍ୟ କୌଣସି ଜାଗାରେ ଜଳବନ୍ଦୀ ସମସ୍ୟା ହୋଇନଥିବା ବିଏମ୍‌ସି କହିଛି। ମେୟର ସୁଲୋଚନା ଦାସ ଓ ନବନିଯୁକ୍ତ କମିସନର ବିଜୟ ଅମୃତା କୁଲାଙ୍ଗେ ବର୍ଷା ସମୟରେ ବିଭିନ୍ନ ସ୍ଥାନ ବୁଲି ପରିସ୍ଥିତି ଦେଖିଛନ୍ତି। ଜଳବନ୍ଦୀ ସମସ୍ୟା ନଥିଲେ ମଧ୍ୟ ୧୩ଟି ଜାଗାରେ ବିଏମ୍‌ସି ପକ୍ଷରୁ ପମ୍ପ ସେଟ୍‌ ରଖାଯାଇଥଲା। ସମ୍ବେଦନନଶୀଳ ଜାଗାଗୁଡ଼ିକ ଉପରେ କଡ଼ା ନଜର ରଖାଯାଇଥିଲା। ଆଗକୁ ବର୍ଷା ଆସୁଛି। ବାକି ଥିବା ଡ୍ରେନ୍‌ କାମ ତୁରନ୍ତ ସାରିବା ସହ ପମ୍ପସେଟ୍‌ ପ୍ରସ୍ତୁତ ରଖାଯାଇଥିବା ସୂଚନା ଦେଇଛନ୍ତି ମେୟର ଶ୍ରୀମତୀ ଦାସ।

ସମ୍ବନ୍ଧିତ ଖବର