ବିଏମ୍ସିର ଦୋଷାରୋପ: ରାଜଧାନୀର ଜଳବନ୍ଦୀ ସମସ୍ୟା ପାଇଁ ପୂର୍ତ୍ତ ବିଭାଗ ଅଧିକ ଦାୟୀ
ଯାନ୍ତ୍ରିକ ଉପାୟରେ ଡ୍ରେନ୍ ସଫେଇ ପ୍ରସ୍ତାବ ଅଟକିଗଲା
ଭୁବନେଶ୍ବର : ରାଜଧାନୀରେ ଅଧିକ ବର୍ଷା ହେଲେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେଉଛି। ଡ୍ରେନ୍ ମାଧ୍ୟମରେ ପାଣି ନିଷ୍କାସିତ ହୋଇ ପାରୁନି। ହେଲେ ଏହାର ସମାଧାନ କରିବା ଚିନ୍ତା କାହାର ନାହିଁ। ରାଜଧାନୀରେ ଜଳବନ୍ଦୀ ହେଲେ ସବୁ ଦୋଷ ବିଏମ୍ସି ମୁଣ୍ଡରେ ଯାଉଥିବାରୁ ବିଏମ୍ସି କର୍ତ୍ତୃପକ୍ଷ ବାଉଳିଚାଉଳି ହୋଇ ନୂଆ ନୂଆ ଯୋଜନା କରିବେ ବୋଲି ଘୋଷଣା କରି ପକାଉଛନ୍ତି। ଯେତେବେଳେ ଏହାକୁ କାର୍ଯ୍ୟକାରୀ କରିବାର ସମୟ ଆସୁଛି, ସେତେବେଳେ ମୁଣ୍ଡ ଚକ୍କର କାଟୁଛି। କାରଣ ଟଙ୍କାର ଅଭାବ। ରାଜଧାନୀରେ ଜଳବନ୍ଦୀ ପାଇଁ ଯେ ପୂର୍ତ୍ତ ବିଭାଗ ମୁଖ୍ୟତଃ ଦାୟୀ ତାହା ସମସ୍ତେ ଜାଣି ବି କିଛି କରାଯାଇ ପାରୁନାହିଁ।
ପୂର୍ତ୍ତ ବିଭାଗର ଡ୍ରେନ୍ ସଫା ହେଉ ନ ଥିବାରୁ ରାଜଧାନୀରେ ଜଳ ନିଷ୍କାସନ ହୋଇ ପାରୁନି ଏକଥା ବି ବିଏମ୍ସି କମିସନରଙ୍କ ମୁଣ୍ଡରେ ପଶୁନି କି ପୂର୍ତ୍ତ ସଚିବ ତଥା ପୂର୍ବତନ ବିଏମ୍ସି କମିସନର ଏକଥା ଜାଣି ବି ପଦକ୍ଷେପ େନଉନାହାନ୍ତି। ଫଳ ହେଉଛି ରାଜଧାନୀବାସୀ ଅକାରଣରେ ବର୍ଷା ଋତୁରେ ଦ୍ବୀପରେ ରହିବା ଭଳି ଅବସ୍ଥା େଭାଗୁଛନ୍ତି। ବିଏମ୍ସି କର୍ତ୍ତୃପକ୍ଷ ରାଜଧାନୀର ଜଳବନ୍ଦୀ ସମସ୍ୟା ଦୂର କରିବା ପାଇଁ ବର୍ଷକ ତଳେ ୧୫୩ କୋଟିର ଏକ ଯୋଜନା ପ୍ରସ୍ତୁତ କରିଥିଲେ। ଏଥିରେ ରାଜଧାନୀରେ ଥିବା ପ୍ରାୟ ୮୦୦ କିମିର ଡ୍ରେନ୍ ଯାନ୍ତ୍ରିକ ଉପାୟରେ ସଫେଇ କରିବାକୁ ଯୋଜନା କରିଥିଲେ। ଯେଉଁଥିରେ ଭୁବନେଶ୍ବରରେ ଥିବା ବିଏମ୍ସିର ୩୮୫ କିମି ଡ୍ରେନ୍, ପୂର୍ତ୍ତ ବିଭାଗର ୩୫୮କିମି ଡ୍ରେନ୍, ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କର ୪୫କିମି ଡ୍ରେନ୍ ଏବଂ ଇଡ୍କୋର ପ୍ରାୟ ୧୨ କିମି ଡ୍ରେନ୍କୁ ସଫା କରାଯାଇଥାନ୍ତା।
ଏବେ ସ୍ଲାବ୍ ଉଠାଇ ଡ୍ରେନ୍ ସଫା କରିବା କଷ୍ଟକର ହେଉ ଥିବାରୁ ନୂଆ ପଦ୍ଧତି ଆପଣା ଯାଇଥାନ୍ତା। ବିଏମ୍ସିର ଯୋଜନା ଅନୁଯାୟୀ, ଡ୍ରେନ୍ ସଫେଇ ପାଇଁ ଉଚ୍ଚ କ୍ଷମତା ସଂପନ୍ନ ମେକାନିକାଲ ସକ୍ସନ ବ୍ୟବହାର ହୋଇଥାନ୍ତା। ଏହାଦ୍ବାରା ଡ୍ରେନ୍ର ଗୋଟିଏ ସ୍ଥାନରେ ଏହାକୁ ବ୍ୟବହାର କଲେ ୫୦ରୁ ୧୦୦ଫୁଟ ପର୍ଯ୍ୟନ୍ତ ସ୍ଲାବ୍ କାଢ଼ିବାକୁ ପଡ଼ି ନ ଥାନ୍ତା। ଏହାସହ ଡ୍ରେନ୍ର ଓସାର ଅନୁଯାୟୀ ଏକ୍ସକାଭେସନ୍ ବୁମ୍, ଜେଟ୍ ଏବଂ କମ୍ପ୍ରେସ୍ ଏୟାର ସିଷ୍ଟମ ବ୍ୟବହାର କରାଯାଇଥାନ୍ତା। ଏଥିରେ ଡ୍ରେନ୍ ଭିତରକୁ ଜୋର୍ରେ ପାଣି ସ୍ପ୍ରେ କରି ସମସ୍ତ ଅଳିଆ ଓ ଆବର୍ଜନାକୁ ନିଷ୍କାସନ ବି କରାଯାଇ ପାରିଥାନ୍ତା। ଏହାପରେ ଏହି ସବୁ ଆବର୍ଜନାକୁ ସୈନିକ ସ୍କୁଲ ନିକଟସ୍ଥ ଅସ୍ଥାୟୀ ଡମ୍ପିଂୟାର୍ଡରେ ପକାଯାଇଥାନ୍ତା।
କିନ୍ତୁ ନଗର ଉନ୍ନୟନ ବିଭାଗ ଏତେ ଟଙ୍କା ଦେଇପାରିବନି କହିବାରୁ ଏହି ଯୋଜନା ଅଟକି ରହିଲା। ହେଲେ ବିଏମ୍ସି ଅଧୀନରେ ଥିବା ୩୮୫ କିମି ଡ୍ରେନ୍ ଉପରୁ ସ୍ଲାବ୍ ଉଠାଇ ୱାର୍ଡ ସ୍ତରରେ ସଫେଇ କଲା। ବିଏମ୍ସି ଡ୍ରେନ୍ ସଫେଇ ହୋଇଗଲା। ହେଲେ ପୂର୍ତ୍ତ ବିଭାଗ, ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ ଇଡ୍କୋର ଡ୍ରେନ୍ ସଫେଇ ନେଇ ଯେଉଁ ଯୋଜନା ହୋଇଥିଲା ତାହା ହୋଇପାରିଲାନି।
ଜାତୀୟ ରାଜପଥ ଓ ଇଡ୍କୋ ଡ୍ରେନ୍ ଯେତିକି ସଫା ନ ହେଲା ତାହା ବର୍ଷା ଋତୁରେ ବିଶେଷ ସମସ୍ୟା ସୃଷ୍ଟି କଲାନି। ସମସ୍ୟା ସୃଷ୍ଟି କଲା ପୂର୍ତ୍ତ ବିଭାଗର ଡ୍ରେନ୍।
କାରଣ ପୂର୍ତ୍ତ ବିଭାଗର ଡ୍ରେନ୍ ରାଜଧାନୀର ପ୍ରାୟ ସମସ୍ତ ପ୍ରମୁଖ ରାସ୍ତା ଓ ପ୍ରମୁଖ ଅଞ୍ଚଳରେ ରହିଛି। ଏହି ଡ୍ରେନ୍ଗୁଡ଼ିକରେ ପାଣି ନିଷ୍କାସନ ହୋଇ ନ ପାରିବାରୁ ରାସ୍ତାରେ ଆଣ୍ଠୁଏ ଉଚ୍ଚେର ପାଣି ଜମିଲା। ଆଉ ପାଣି ଯାଇ ଲୋକଙ୍କ ଘରେ, ଦୋକାନରେ ପଶିଲା।
ସ୍ଥିତି ଅଣାୟତ୍ତ ହେବା ପରେ ବିଏମ୍ସି କର୍ତ୍ତୃପକ୍ଷ ପୂର୍ତ୍ତ ବିଭାଗକୁ ତାଗିଦ୍ କରିବା ବଦଳରେ ଯୋଜନା କରୁଛନ୍ତି ରାଜଧାନୀର ଯେଉଁ ସ୍ଥାନରେ ପାଣି ଜମୁଛି ସେଠାରେ ଗାତ ଖୋଳି ମାଟି ତଳକୁ ପାଣି ଛାଡ଼ିବେ।
ରାଜଧାନୀରେ ୫୭ଟି ସ୍ଥାନରେ ପାଣି ଜମୁଥିବା ବେଳେ ବିଏମ୍ସି ଏଥିରୁ ୩୯ଟି ସ୍ଥାନକୁ ଚିହ୍ନଟ କରିଛି। ସମ୍ପୃକ୍ତ ଅଂଚଳରେ ଭୂତଳକୁ ପାଣି ଛାଡ଼ିବା ପାଇଁ ୧୧୦କୋଟି ଖର୍ଚ୍ଚ କରିବାକୁ ଯୋଜନା କରିଛି। ଏହାଦ୍ବାରା ରାଜଧାନୀର ୩୦% ଅଞ୍ଚଳର ଜଳବନ୍ଦୀ ସମସ୍ୟା ଦୂର ହୋଇଯିବ ବୋଲି ବିଏମ୍ସି କହୁଛି।
କିନ୍ତୁ ପ୍ରସ୍ତାବିତ ନୂଆ ଯାନ୍ତ୍ରିକ ଯୋଜନାରେ ବର୍ଷା ଋତୁ ପୂର୍ବରୁ ଡ୍ରେନ୍ ସଫେଇ କଲେ ଯେ ରାଜଧାନୀର ୯୦% ଜଳବନ୍ଦୀ ସମସ୍ୟା ଦୂର ହୋଇଯିବ ସେ କଥା ବାବୁମାନଙ୍କ ମୁଣ୍ଡରେ ପଶୁ ନାହିଁ।
ଦେଖାଯାଉଛି ଯଦି ବିଏମ୍ସି ସବୁ ଡ୍ରେନ୍ ସଫା କରୁଛି ତେବେ ୧୫୩ କୋଟି ଟଙ୍କା ଖର୍ଚ୍ଚ ହେବ। ଏତେ ଟଙ୍କା ଦେବାକୁ ନଗର ଉନ୍ନୟନ ବିଭାଗ ସିନା ମନା କରୁଛି ହେଲେ ବିଏମ୍ସି ତା’ ଭାଗର ଡ୍ରେନ୍ ସଫା କଲେ ୮ରୁ ୧୦କୋଟି ଖର୍ଚ୍ଚ ହେବ। କାରଣ ବିଏମ୍ସିର ସବୁତକ ଡ୍ରେନ୍ ଛୋଟ। କିନ୍ତୁ ପୂର୍ତ୍ତ ବିଭାଗ ଏବଂ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କର ଡ୍ରେନ୍ ବଡ଼। ବଡ ହେଲେ ବି ପୂର୍ତ୍ତ ବିଭାଗ ୪୦ରୁ ୫୦କୋଟି ଖର୍ଚ୍ଚ କଲେ ନିଜ ଡ୍ରେନ୍ ସଫା କରିପାରନ୍ତା। ଯେଉଁ ପୂର୍ତ୍ତ ବିଭାଗ ଭୁବନେଶ୍ବରରେ ବର୍ଷକୁ ୫୦୦ କୋଟିରୁ ଅଧିକ ଖର୍ଚ୍ଚ କରୁଛି ତାହା ପାଇଁ ଏତିକି ଟଙ୍କା ଡ୍ରେନ୍ ସେଫଇ ବାବଦକୁ ଖର୍ଚ୍ଚ କରିବା ଏତେ କଷ୍ଟକର ନୁହେଁ। ହେଲେ ବିଏମ୍ସି ମୁଖିଆ ପୂର୍ତ୍ତ ବିଭାଗର ମୁଖିଆଙ୍କୁ ତାଙ୍କ କାର୍ଯ୍ୟ ବିଷୟରେ କହିବାକୁ ସାହାସ କରିପାରୁନାହାନ୍ତି। ଫଳରେ ଲୋକମାନେ ଅଯଥାରେ ଭୋଗୁଛନ୍ତି।
ପୂର୍ତ୍ତ ବିଭାଗ ଭଲ ରାସ୍ତା ଉପରେ ପିଚୁ ମାଖି, ଭଲ ଡ୍ରେନ୍କୁ ଭାଙ୍ଗି ନୂଆ ଡ୍ରେନ୍ର ରୂପ ଦେଇ କୋଟି କୋଟି ଟଙ୍କା ବିଲ୍ କରୁଥିବା ବେଳେ ନିଜ ଡ୍ରେନ୍ କାହିଁକି ନିଜେ ସଫା କରୁନି ବୋଲି ପ୍ରଶ୍ନ ଉଠିଲାଣି।