ଭାସିଲା ଭୁବନେଶ୍ବର : ଘଣ୍ଟାଏ ବର୍ଷ‌ାରେ ରାଜଧାନୀ ଜଳାର୍ଣ୍ଣବ

୪୧.୨ମିମି ବର୍ଷା, ୩୨ ପମ୍ପ ଧରି ବସିଛି ବିଏମ୍‌ସି

ଭୁବନେଶ୍ବର : ଆଜି ସଂଧ୍ୟାରେ କାଳବୈଶାଖୀ ଜନିତ ବର୍ଷା ପୂରା ରାଜଧାନୀକୁ ଭିଜାଇ ଦେଇଛି। ପ୍ରାୟ ୧ଘଣ୍ଟାରେ ୪୧.୨ମିମି ବର୍ଷା ହେବାରୁ ପୂରା ରାଜଧାନୀ ଜଳାର୍ଣ୍ଣବ ହୋଇଯାଇଥିଲା। ଲକ୍‌ଡାଉନ୍‌ ଯୋଗୁଁ ବିଏମ୍‌ସି ରାଜଧାନୀର ନାଳଗୁଡ଼ିକୁ ସଫା କରି ପାରିନଥିବାରୁ ଯାହା ଆଶଙ୍କା କରାଯାଉଥିଲା, ତାହା ହୋଇଛି। ରାଜଧାନୀକୁ ଜଳବନ୍ଦୀ ନ କରିବାକୁ ବିଏମ୍‌ସି କରିଥିବା ଯୋଜନାରେ ଲକ୍‌ଡାଉନ୍ ପ୍ରତିବନ୍ଧକ ସାଜିଛି। ମାର୍ଚ୍ଚ ଓ ଏପ୍ରିଲରେ ବିଏମ୍‌ସି ପକ୍ଷରୁ ଡ୍ରେନ୍‌ ସଫା ହୋଇ ନପାରିବାରୁ ଆଜି ରାଜଧାନୀବାସୀଙ୍କୁ ଜଳବନ୍ଦୀ ହେବାକୁ ପଡ଼ିଛି।

ବିଏମ୍‌ସି ପକ୍ଷରୁ ପ୍ରତିବର୍ଷ ବିଳମ୍ବରେ ଡ୍ରେନ୍‌ ସଫେଇ ହେଉଥିବାରୁ ପ୍ରାକ୍‌ ମୌସୁମୀ ବର୍ଷାରେ ରାଜଧାନୀର ବହୁ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଏ। ତେଣୁ ଏଥର ମାର୍ଚ୍ଚ ମାସରୁ ଡ୍ରେନ୍‌ ସଫେଇ ଯୋଜନା ହୋଇଥିଲା। ରାଜଧ‌ାନୀ ଯେପରି ଜଳବନ୍ଦୀ ନହେବ, ସେଥିପାଇଁ ୧୯୮କୋଟି ଟଙ୍କାର ବ୍ୟୟବରାଦ ବି ହୋଇଥିଲା। ହେଲେ କରୋନା ପାଇଁ ଲକ୍‌ଡାଉନରେ ଥିବା ରାଜଧାନୀରେ କିଛି କାମ ହୋଇପାରିଲାନି। ଗତ ସପ୍ତାହରେ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ସତର୍କ କରାଇଥିବା କାଳବୈଶାଖୀ ଆଜି ପୂରା ରାଜଧାନୀକୁ ଭିଜାଇ ଦେଇଛି। ବର୍ଷାରେ ରାଜଧାନୀ ଜଳବନ୍ଦୀ ହେଲେ ଏହାର ମୁକାବିଲା କରିବା ସହ ତୁରନ୍ତ ବର୍ଷା ଜଳ ନିଷ୍କାସନ ପାଇଁ ୩୨ଟି ପମ୍ପ ରଖିଛି। ହେଲେ ଆଜିର ବର୍ଷା ସମୟରେ ଗୋଟିଏ ବି ପମ୍ପ ବ୍ୟବହାର ହୋଇପାରିଲାନି। ଅଧାରୁ ଅଧିକ ଅଞ୍ଚଳରେ ବର୍ଷା ପାଣି ଘଣ୍ଟାଏ କାଳ ଜମି ରହିଥିଲେ ହେଁ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ଦେଖିବାକୁ ମିଳି ନଥିଲା। ରାସ୍ତାକଡ଼ରେ ଥିବା ଡ୍ରେନ୍‌ ପୋତି ହୋଇଯାଇଥିବାରୁ ଦୀର୍ଘ ସମୟ ପରେ ବହୁ ଅଞ୍ଚଳ‌ରୁ ପାଣି ନିଷ୍କାସନ ହୋଇଥିଲା।

ଆଜି ଅପରାହ୍‌ଣ ୫ଟାରୁ ରାଜଧାନୀ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା। ମଧ୍ୟାହ୍ନରେ ବାଲେଶ୍ବରରେ ତାଣ୍ଡବ ରଚିବା ପରେ କଳାବାଦଲ ଭୁବନେଶ୍ବରମୁହାଁ ହୋଇ ଅପରାହ୍‌ଣରେ ପହଞ୍ଚିଥିଲା। ଏହାପରେ ସଂଧ୍ୟା ୬ଟାରୁ ପବନ ଓ ବର୍ଷା ଆରମ୍ଭ ହୋଇଥିଲା। ଗତ ମଙ୍ଗଳବାର ହୋଇଥିବା କାଳବୈଶାଖୀ ବର୍ଷାରେ ରାଜଧାନୀରେ ପବନ ଅଧିକ, ବର୍ଷା କମ୍‌ ହୋଇଥିବା ବେଳେ ଆଜି ପବନ କମ୍‌, ବର୍ଷା ଅଧିକ ହୋଇଥିଲା। ଘଣ୍ଟାକରେ ୪୧.୨ମିମି ବର୍ଷା ହୋଇଥିଲା। ତୁହାକୁତୁହା ବିଜୁଳି ଓ ଘଡ଼ଘଡ଼ି ଛାତି ଥରାଇ ଦେଉଥିଲା। ଆଉ ଏହି ଅସରାଏ ବଡ଼ ବର୍ଷାରେ ପୂରା ରାଜଧାନୀ ଜଳାର୍ଣ୍ଣବ ହୋଇଯାଇଥିଲା। ସବୁ ଡ୍ରେନ୍‌ରେ ଆବର୍ଜନା ଭର୍ତ୍ତି ହୋଇଥିବାରୁ, ପଙ୍କ କାଦୁଅ କଢ଼ା ହୋଇନଥିବାରୁ ବର୍ଷା ପାଣି ନିଷ୍କାସନ ହୋଇପାରିନଥିଲା। ଏପରିକି ‌ବହୁ ସ୍ଥାନରେ ବର୍ଷା ପାଣି ଘରେ ପଶିଥିଲା। ୩୭ଟି ଯାକ ସମ୍ବେଦନଶୀଳ ଅଞ୍ଚଳରେ ବିଏମ୍‌ସି ଡ୍ରେନ୍‌ ନିର୍ମାଣ କରି ଜଳ ନିଷ୍କାସନ କରିବାକୁ ଯୋଜନା କରିଛି। ଏଥିପାଇଁ କେତେକ ସ୍ଥାନରେ କାମ ବି ଆରମ୍ଭ ହୋଇଛି।

ଲକ୍‌ଡାଉନ୍‌ରେ କାମ କରିବାକୁ ଅନୁମତି ମିଳିବା ପରେ ଗୁରୁବାରଠାରୁ କାମ ଆରମ୍ଭ ହୋଇଥିଲା। ହେଲେ ଆଜି ସବୁ ଭସାଇ ଦେଇଛି। ଅଧା କାମ ହୋଇଥିବାରୁ ବର୍ଷା ପାଣି ନିଷ୍କାସନ ହୋଇପାରି ନଥିଲା। ତେଣୁ ବମିଖାଲ ଓଭରବ୍ରିଜ୍‌ ନିକଟ, ନୂଆପଲ୍ଲୀ ବେହେରା ସାହି, ଜାଗମରା, ମଲ୍ଲିକ କମ୍ପ୍ଲେକ୍ସ, ଚିନ୍ତାମଣିଶ୍ବର ଅଞ୍ଚଳରେ ସ୍ଥିତି ଅଣାୟତ୍ତ ହୋଇଥିଲା। ରାସ୍ତାରେ ଆଣ୍ଠୁଏ ଉଚ୍ଚରେ ପାଣି ଚାଲିଥିଲା। କିଛି ଲୋକଙ୍କ ଘରେ ପାଣି ପଶିଥିଲା। କିନ୍ତୁ ବିଏମ୍‌ସି ଜଳ ନିଷ୍କାସନ ନ କରିବାରୁ ଲୋକ ବାଲ୍‌ଟି, କଂସାରେ ପାଣି ନିଷ୍କାସନ କରୁଥିବା ଦେଖିବାକୁ ମିଳିଥିଲା। ନୂଆପଲ୍ଲୀ ବେହେରା ସାହି ଓ ଭୋଇ ସାହି ଅଞ୍ଚଳ ସମେତ ମମତାଜ୍ ଅଲ୍ଲୀ ହାଇସ୍କୁଲ ପର୍ଯ୍ୟନ୍ତ ଅଞ୍ଚଳରେ ରାସ୍ତାରେ ପାଣିର ସୁଅ ଛୁଟିଥିଲା। ରାସ୍ତା ଡ୍ରେନ୍ କିଛି ଜଣାପଡ଼ିନଥିଲା।

ମ୍ୟାନ୍‌ହୋଲ୍‌ ଉଛୁଳିଲା
ଆଜି ବର୍ଷାରେ ବିଭିନ୍ନ ସରକାରୀ ବିଭାଗର ଗଫଲତି କାମ ଧରା ପଡ଼ିଯାଇଥିଲା। ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯେଉଁସବୁ ମ୍ୟାନହୋଲ୍‌ ସଫା କରି ମାର୍ଚ୍ଚ ମାସରେ ବିଲ୍‌ ହୋଇଥିଲା, ଆଜିର ବର୍ଷା ପରେ ସେଗୁଡ଼ିକ ଉଛୁଳିଥିଲା। ନୂଆପଲ୍ଲୀ ଥାନା ନିକଟରେ ମ୍ୟାନହୋଲ୍‌ ଚାମ୍ବରରେ ପାଣି ପଶିଯିବାରୁ ସେଥିରୁ ଆବର୍ଜନା ପାଣି ବାହାରି ରାସ୍ତାରେ ଭାସିଥିଲା। ଏପରିକି ବହୁ ଲୋକଙ୍କ ଘରେ ଏହି ଆବର୍ଜନା ପାଣି ପଶିଥିବା ଲୋକମାନେ ଅଭିଯୋଗ କରିଛନ୍ତି।

ସ୍ମାର୍ଟ ଜନପଥରେ ବି ପାଣି ଜମିଲା
ଜନପଥରେ ବର୍ଷା ହେଲେ ପାଣି ଜମିବା ଏକ ସାଧାରଣ କଥା ହୋଇଯାଇଥିଲା। କିନ୍ତୁ ସ୍ମାର୍ଟ ଜନପଥ ନିର୍ମାଣ ହେଲେ ରାସ୍ତାରେ ବିନ୍ଦୁଏ ପାଣି ରହିବନି ବୋଲି କର୍ତ୍ତୃପକ୍ଷ କହୁଥିଲେ। କିନ୍ତୁ ଆଜି ଏହା ମିଛ ପ୍ରମାଣିତ ହୋଇଛି। ପ୍ରାୟ ବର୍ଷେ ହେଲା କାମ ସରିଥିବା ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ ପର୍ଯ୍ୟନ୍ତ ସ୍ମାର୍ଟ ଜନପଥରେ ଆଜି ବର୍ଷା ପାଣି ଜମିଥିଲା। ନୂଆ ଡ୍ରେନ୍‌ରେ ପାଣି ଯାଇ ନଥିଲା। ହେଲେ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ କର୍ତ୍ତୃପକ୍ଷ ଏହାର ପ୍ରତିକାର କରିପାରି ନଥିଲେ। ଲକ୍‌ଡାଉନ୍ ଥିବାରୁ ରାଜଧାନୀବାସୀ ଏହି ରାସ୍ତାରେ ଅସୁବିଧାରେ ପଡ଼ିନଥିଲେ। ହେଲେ ଆଗକୁ ଯଦି ଏହାର ସମାଧାନ ନହୁଏ, ତେବେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ନିର୍ମାଣ ହେଉଥିବା ସ୍ମାର୍ଟ ଜନପଥ ରାଜଧାନୀବାସୀଙ୍କ ଦୁଃଖ ଦୂର କରିବା ବଦଳରେ ବଢ଼ାଇଦେବ।

ସମ୍ବନ୍ଧିତ ଖବର