ଭୁବନେଶ୍ୱର : ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ଜାରି ରହିଥିବା ଲଗାଣ ବର୍ଷାରେ ରାଜଧାନୀର ଅଧିକାଂଶ ଜଳବନ୍ଦୀ ହୋଇଛି। ମୂଷଳ ଧାରାରେ ବର୍ଷା ହେଉନଥିଲେ ବି ବର୍ଷା ଲାଗିରହିଥିବାରୁ ବହୁ ଅଞ୍ଚଳରେ ଜଳ ନିଷ୍କାସନ ସମସ୍ୟା ଦେଖାଦେଇଛି। ଏପରିକି ଗତ ୪୦ଘଣ୍ଟା ମଧ୍ୟରେ ରାଜଧାନୀରେ ପ୍ରାୟ ୭୦ମିମି ବର୍ଷା ହୋଇଥିବାରୁ ଏବଂ ଆଜି ଦିନତମାମ୍ ବର୍ଷା ଲାଗି ରହିଥିବାରୁ ଚତୁର୍ଦ୍ଦିଗ ଜଳାର୍ଣ୍ଣବ ହୋଇଯାଇଛି। ରାଜଧାନୀରେ ଯେପରି କୌଣସି ଅଞ୍ଚଳ ଜଳବନ୍ଦୀ ନହେବ ଏବଂ ପାଣି ନିଷ୍କାସନ ପାଇଁ ଆବଶ୍ୟକୀୟ ପଦକ୍ଷେପ ତୁରନ୍ତ ନେବାକୁ ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ ଇଞ୍ଜିନିୟରିଂ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଆଜିର ବର୍ଷାରେ କଟକରୋଡ, ବମିଖାଲ, ନୂଆପଲ୍ଲୀ ବେହେରା ସାହି, ଶତାବ୍ଦୀ ନଗର, ମଲ୍ଲିକ କମ୍ପ୍ଲେକ୍ସ, ପଞ୍ଚସଖା ନଗର, ହଂସପାଳ ଭୋଇସାହି, ନୂଆପାଟଣା, ଶ୍ରୀରାମ ସିଟି, ଜ୍ୟୋତ୍ସ୍ନା ଆପାର୍ଟମେଣ୍ଟ, ଝାରପଡ଼ା ଶାନ୍ତି ନଗର, ଲକ୍ଷ୍ମୀସାଗରର ମଳିଅନ୍ତା ପୋଖରୀ ନିକଟ, ଗଧିଆଖାଲ, ଅଢେଇ ଖାଲ, ପାଣ୍ଡବ ନଗର, ଗୌରୀନଗର, ପବିତ୍ର ଗେଷ୍ଟହାଉସ୍, ବୈରାଗୀ ନଗର, ଗାୟତ୍ରୀ ନଗର, ଜଗମୋହନ ନଗର ଆଦି ଅଞ୍ଚଳରେ ପାଣି ଜମିଥିଲା।

ଏହି ସବୁ ସ୍ଥାନରେ ଡ୍ରେନ୍ ନଥିବାରୁ ଏବଂ କେତେକ ସ୍ଥାନରେ ଡ୍ରେନ୍ ନିର୍ମାଣାଧୀନ ଥିବାରୁ ଜଳ ନିଷ୍କାସନ ହୋଇପାରିନଥିଲା। ତେଣୁ ବିଏମ୍‌ସି ପକ୍ଷରୁ ଏଠାରେ ପାଣି ପମ୍ପ ଲଗାଇ ଜଳ ନିଷ୍କାସନ କରାଯାଇଥିଲା। ଜଳବନ୍ଦୀ ସମସ୍ୟା ନହେବା ପାଇଁ ବିଏମ୍‌ସି ପକ୍ଷରୁ ୩୫ଟି ପମ୍ପ ନିୟୋଜିତ କରାଯାଇଛି। ଏଥିରୁ ୨୦ଟି ଭୁବନେଶ୍ବର ଅଗ୍ନିଶମ କେନ୍ଦ୍ରର ଏବଂ ୧୫ଟି ବିଏମ୍‌ସିର ପମ୍ପ। ଏଥର ରାଜଧାନୀରେ ଜଳବନ୍ଦୀ ସମସ୍ୟା ହେବନି ବୋଲି ଆଗୁଆ ଡ୍ରେନ୍‌ଗୁଡ଼ିକୁ ସଫା କରାଯିବା ସହ ଡ୍ରେନ୍ ନିର୍ମାଣ କରାଯାଇଥିଲା। କିନ୍ତୁ ଅଧପନ୍ତରା ହୋଇ ଡ୍ରେନ୍ ପଡ଼ିଥିବାରୁ ପାଣି ନିଷ୍କାସନ ହୋଇପାରିନି। ଯେଉଁଥିପାଇଁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏପଟେ ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ବୈରାଗୀ ନଗର, ଆଚାର୍ଯ୍ୟ ବିହାର ଓ ସୌଭାଗ୍ୟ ନଗର ଭଳି ଅଞ୍ଚଳରେ ଆଗୁଆ ପଦକ୍ଷେପ ନିଆଯାଇଥିବାରୁ ଏବଂ ଡ୍ରେନ୍ ନିର୍ମାଣ କରାଯାଇଥିବାରୁ ଜଳବନ୍ଦୀ ସମସ୍ୟା ହୋଇନି। ଆଚାର୍ଯ୍ୟ ବିହାର ଓ ସୌଭାଗ୍ୟ ନଗରରେ ଲୋକ ଜଳବନ୍ଦୀ ଯନ୍ତ୍ରଣାରୁ ଆଶ୍ବସ୍ତି ଲାଭ କରିଛନ୍ତି। ସେହିପରି ବୈରାଗୀ ନଗରରେ ପାଣି ଜମୁଥିବାରୁ ସେଠାରେ କେଳା ବସ୍ତିରେ ଥିବା ଏକ ସ୍ଥାୟୀ ଘର ଭଙ୍ଗାଯାଇଥିଲା। ଫଳରେ ଏହି ଅଞ୍ଚଳର ବର୍ଷା ଜଳ ଦୟା ୱେଷ୍ଟ କେନାଲକୁ ନିଷ୍କାସିତ ହୋଇପାରୁଛି।

publive-image

କୁଆଡ଼େ ଗଲା ଜୋନ୍ ସ୍ତରରେ କଣ୍ଟ୍ରୋଲ ରୁମ୍?
ଭୁବନେଶ୍ୱର : ରାଜଧାନୀରେ ଯେପରି କୌଣସି ଅଞ୍ଚଳ ଜଳବନ୍ଦୀ ନହୁଏ, ପାଣି ଜମିଲେ କିପରି ତୁରନ୍ତ ନିଷ୍କାସନ ହେବ, କିପରି ଲୋକଙ୍କ ପାଖରେ ସମସ୍ତ ପ୍ରକାରର ସୁବିଧା ସୁଯୋଗ ପହଞ୍ଚିବ ସେଥିପାଇଁ ଜୋନ୍ ସ୍ତରରେ କଣ୍ଟ୍ରୋଲ ରୁମ୍ ଖୋଲିବାକୁ ନିଷ୍ପତ୍ତି ହୋଇଥିଲା। ଜୁନ୍ ୩୦ରେ ବିଏମ୍‌ସି କମିସନର ଏନେଇ ତିନିଟି ଜୋନ୍‌ର ଜୋନାଲ ଡେପୁଟି କମିସନରମାନଙ୍କୁ ଚିଠି ଲେଖି ଜଣାଇଥିଲେ। ଏହି କଣ୍ଟ୍ରୋଲ ରୁମ୍ ୨୪ଣ୍ଟା କାର୍ଯ୍ୟ କରିବାର ଥିଲା। ହେଲେ ଆଜି ପର୍ଯ୍ୟନ୍ତ ଜୋନ୍ ସ୍ତରରେ କଣ୍ଟ୍ରୋଲ ରୁମ୍ ଖୋଲିଲାନି। ଅପରପକ୍ଷେ ଏହି କଣ୍ଟ୍ରୋଲ ରୁମ୍ ଜୋନାଲ ଡେପୁଟି କମିସନର, ସେହି ଅଞ୍ଚଳ ପାଇଁ ନିୟୋଜିତ ହୋଇଥିବା ନୋଡାଲ ଅଫିସର ଏବଂ ନିୟୋଜିତ ହୋଇଥିବା ବିଭିନ୍ନ ବିଭାଗର ଅଧିକାରୀଙ୍କ ମଧ୍ୟରେ ସମନ୍ବୟ ରଖିବାର କାର୍ଯ୍ୟ କରିବ। ହେଲେ ଆଜି ପର୍ଯ୍ୟନ୍ତ କଣ୍ଟ୍ରୋଲ ରୁମ୍ ଖୋଲା ଯାଇନଥିବାରୁ କେଉଁ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ହେଲା କି ଲୋକଙ୍କର କିଛି ସମସ୍ୟା ହେଲା ତାହା ଜୋନାଲ ଡେପୁଟି କମିସନରଙ୍କ ନିକଟରେ ରହୁନି।