ଭୁବନେଶ୍ୱର : ରାଜଧାନୀରେ ଆଜି ପ୍ରବଳ ବର୍ଷା ହେବାରୁ ବହୁ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପ ଜନିତ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲେ ହେଁ ଭୁବନେଶ୍ବର ପାଇଁ କୌଣସି ସତର୍କ ସୂଚନା ଦେଇନଥିଲା। ସକାଳୁ ବି ପାଗ ଖରାଟିଆ ଥିଲା। କିନ୍ତୁ ମଧ୍ୟାହ୍ନ ପରେ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଯାଇଥିଲା। ଏମିତି ମୂଷଳଧାରାରେ ବର୍ଷା ହେଲା ଯେ ଚତୁର୍ଦ୍ଦିଗ ଖାଲି ପାଣି ଆଉ ପାଣି ହୋଇଗଲା।
/sambad/media/post_attachments/wp-content/uploads/2020/09/Rain-4-300x200.jpg)
ଆଜି ଅପରାହ୍ଣ ୨ଟାରୁ ରାଜଧାନୀର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା। ୨ଘଣ୍ଟା ପର୍ଯ୍ୟନ୍ତ ବର୍ଷା କମିବାର ନାଁ ଧରି ନଥିଲା। ଏପରିକି ରାତି ୯ଟା ପର୍ଯ୍ୟନ୍ତ କେତେକ ସ୍ଥାନରେ ହଠାତ୍ ଅସରାଏ ବର୍ଷା ହେଉଥାଏ ତ କେଉଁଠି ଛାଡ଼ି ଯାଉଥାଏ। କିନ୍ତୁ ଅପରାହ୍ଣରେ ଯେଉଁ ୨ ଘଣ୍ଟା ମୂଷଳଧାରାରେ ବର୍ଷା ହୋଇଥିଲା, ତାହା ପୂରା ରାଜଧାନୀକୁ ଜଳମଗ୍ନ କରିଦେଇଥିଲା। ଭୁବନେଶ୍ବର ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଆଜି ଅପରାହ୍ଣ ସାଢ଼େ ୫ଟା ସୁଦ୍ଧା ୭୯.୭ମିମି ବର୍ଷା ହୋଇଥିଲା। କିନ୍ତୁ ଅଧିକ ବର୍ଷା ଅପରାହ୍ଣ ୨ଟାରୁ ୪ଟା ମଧ୍ୟରେ ହୋଇଥିଲା। ସେହିପରି ଓୟୁଏଟି ଅଞ୍ଚଳରେ ସର୍ବାଧିକ ୮୨ମିମି, ବିମାନବନ୍ଦର ଅଞ୍ଚଳରେ ୭୯.୬ମିମି, ରାଜୀବଭବନ ଅଞ୍ଚଳରେ ୭୮ମିମି, ବାଣୀବିହାର ଓ ଆଚାର୍ଯ୍ୟବିହାର ଆଦି ଅଞ୍ଚଳରେ ୬୯ମିମି, କିଟ୍ ବିଶ୍ବବିଦ୍ୟାଳୟ ଅଞ୍ଚଳରେ ୨୧ମିମି ବର୍ଷା ହୋଇଥିଲା।
/sambad/media/post_attachments/wp-content/uploads/2020/09/rain-Bamikhala-Rasulgada-Banya-300x165.jpg)
ଆଜି ଜନପଥରେ ଅଣ୍ଟେ ଉଚ୍ଚରେ ପାଣି ଜମିଥିଲା। ଶ୍ରୀୟା ଛକ ନିକଟରେ ସ୍ମାର୍ଟ ଜନପଥ କାମ ପାଇଁ ରାସ୍ତା ଖୋଳା ହୋଇଥିବା ବେଳେ ଏଠାରେ ପାଣି ସୁଅ ଛୁଟିଥିଲା। ଯାତାୟାତରେ ବହୁ ଅସୁବିଧା ହୋଇଥିଲା। ଏପରିକି ଇସ୍କନ ମନ୍ଦିର ସମ୍ମୁଖରୁ ଆରମ୍ଭ କରି ବମିଖାଲ ପର୍ଯ୍ୟନ୍ତ ସବୁଠି ମୁଖ୍ୟ ରାସ୍ତାରେ ପାଣି ଅଣ୍ଟେ ଉଚ୍ଚରେ ଜମିଥିଲା। ଗୌରୀ ଗାର୍ଡେନ୍, ମଲ୍ଲିକ କମ୍ପ୍ଲେକ୍ସ, ନୂଆପଲ୍ଲୀ, ଏଜି ଛକ, ଚିନ୍ତାମଣିଶ୍ବର, ଲକ୍ଷ୍ମୀସାଗର, ଗ୍ୟାରେଜ ଛକ ଆଦି ଅଞ୍ଚଳରେ ତ ସ୍ଥିତି ସାଂଘାତିକ ହୋଇଥିଲା। ପାଣି ଘରେ ଘରେ ପଶିଥିଲା। ବିଏମ୍ସି ପକ୍ଷରୁ ପମ୍ପ ଲଗାଇ ପାଣି ନିଷ୍କାସନ ବ୍ୟବସ୍ଥା କରାଯାଇ ନଥିବାରୁ ଲୋକେ ହଇରାଣ ହୋଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ବହୁ ଅଞ୍ଚଳ ଜଳମଗ୍ନ ହୋଇ ରହିଥିଲା।
/sambad/media/post_attachments/wp-content/uploads/2020/09/rain-cosmopolis-300x210.jpeg)
ବହୁ ଅଞ୍ଚଳରେ ପାଣି ପାଇପ୍ ବିଛାଇବା, କେବୁଲ୍ ବିଛାଇବା, ସ୍ବେରେଜ୍ ଲାଇନ୍ ନିର୍ମାଣ ପାଇଁ ରାସ୍ତା ଖୋଳା ଯାଇଥିବାରୁ ଗାତରେ ପାଣି ପଶି ରାସ୍ତା ଓ ଗାତ ଏକାକାର ହୋଇଯାଇଥିଲା। ଫଳରେ ଯେଉଁମାନେ ବର୍ଷାରେ ଯାଉଥିଲେ, ସେମାନେ ଜୀବନକୁ ବାଜି ଲଗାଇ ଯାତାୟାତ କରୁଥିଲେ। ସେହିପରି ସବୁ ଫ୍ଲାଏ ଓଭର ଓ ଓଭରବ୍ରିଜ୍ ଉପରେ ପାଣି ଜମି ଯାଇଥିଲା। ଜାତୀୟ ରାଜପଥ-୧୬ରେ ଥିବା ଫ୍ଲାଏଓଭର୍ ଉପରେ ବାଣୀବିହାରରୁ ଆଚାର୍ଯ୍ୟବିହାର ରାସ୍ତାରେ ପ୍ରାୟ ୪ ଫୁଟ ଉଚ୍ଚରେ ପାଣି ଜମିଥିଲା। ପାଣି ଭିତରେ ଗାଡ଼ି ଯାତାୟାତ କରି ନପାରିବାରୁ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ବମିଖାଲ ଓଭରବ୍ରିଜ୍ ଉପରେ ତ ବିଳମ୍ବିତ ରାତି ପର୍ଯ୍ୟନ୍ତ ପାଣି ଜମା ହୋଇରହିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/rain-bb4.jpg)