/* */

ରାଜଧାନୀରେ ଅଜାଡ଼ିଲା: ପ୍ରଥମ ବର୍ଷାରେ ଜଳାର୍ଣ୍ଣବ

ରାସ୍ତାଘାଟରେ ବନ୍ୟାର ଭ୍ରମ, ବିଦ୍ୟୁତ କାଟ ଯୋଗୁଁ ଦୁର୍ଦ୍ଦଶା ବଢ଼ିଲା, ଷ୍ଟ୍ରିଟ ଲାଇଟ୍ ଜଳୁନି, ଅନ୍ଧାରରେ‌ ସହର

ଭୁବନେଶ୍ବର : ତିନିଦିନ ହେଲା ରାଜଧାନୀ ଆକାଶ ମେଘାଚ୍ଛନ୍ନ ହୋଇ ରହିଥିଲା। ମୌସୁମୀ ଆଗମନର ସ‌ଂ‌କେତ ଦେଉଥିଲା ପାଗ। ଶୁକ୍ରବାର ବିଳମ୍ବିତ ରାତିରେ ମୌସୁମୀ ରାଜଧାନୀ ଛୁଇଁବା ପରେ ଆରମ୍ଭ ହୋଇଥିଲା ବର୍ଷା। ହେଲେ ଶନିବାର ଅପରାହ୍ନରୁ ରାତି ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାରୁ ରାଜଧାନୀ ଜଳାର୍ଣ୍ଣବ ହୋଇଯାଇଛି। ରାସ୍ତାଘାଟରେ ପାଣିର ସୁ୍ଅ ଛୁଟିଥିବାବେଳେ କେତେକ ଅଞ୍ଚଳରେ ବନ୍ୟାର ଭ୍ରମ ସୃଷ୍ଟି କରିଛି। ତା’ ସାଙ୍ଗକୁ ଦୀର୍ଘ ସମୟ ଧରି ବିଦ୍ୟୁତ କାଟ ଲୋକଙ୍କ ଦୁର୍ଦ୍ଦଶା ବଢ଼ାଇଛି। ଷ୍ଟ୍ରିଟ ଲାଇଟ୍ ଜଳୁ ନ ଥିବାରୁ ପୂରା ସହରରେ ଅନ୍ଧାରର ରାଜୁତି ଚାଲିଛି। ତେବେ ପୂର୍ବବର୍ଷଗୁଡ଼ିକ ତୁଳନାରେ ମୌସୁମୀ ଏଥର ଜଲ୍‌ଦି ଭୁବନେଶ୍ବର ଛୁଇଁଥିବାବେଳେ ଆଜିର ବର୍ଷା ଉତ୍ତପ୍ତ ରାଜଧାନୀକୁ ଥଣ୍ଡା କରିଦେଇଛି। ଶୁକ୍ରବାର ରାତିରୁ ସଂଧ୍ୟା ସାଢେ ୬ଟା ସୁଦ୍ଧା ଭୁବନେଶ୍ବରରେ ୬୦ମିମି ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ସୂଚନା‌ ଦେଇଥିଲେ ହେଁ ଏହାପରେ ପ୍ରବଳ ବର୍ଷା ହୋଇଥିବାରୁ ଗତ ୨୪ଘଣ୍ଟା ମଧ୍ୟରେ ୧୦୦ମିମିରୁ ଅଧିକ ବର୍ଷା ହୋଇଥିବା ଅନୁମାନ କରାଯାଉଛି।

ମୌସୁମୀର ପ୍ରଥମ ବର୍ଷାରେ ଆଜି ରାଜଧାନୀ ଉବୁଟୁବୁ ହୋଇ ଯାଇଥିଲା। ଡ୍ରେନ୍‌ ଉଛୁଳି ସବୁ ପ୍ରମୁଖ ରାସ୍ତାରେ ପାଣିର ସୁଅ ଛୁଟିଥିଲା। ସ୍ଥାନେ ସ୍ଥାନେ ଆଣ୍ଠୁଏ ପାଣି ଜମିଯିବାରୁ ଗାଡ଼ିମଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଅଳ୍ପ ସମୟ ଭିତରେ ଅଧିକ ବର୍ଷା ସାଙ୍ଗକୁ ଡ୍ରେନଗୁଡ଼ିକ ଠିକ୍ ଭାବେ ସଫା ହୋଇ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ମୌସୁମୀ ବର୍ଷାର ମୁକାବିଲା ପାଇଁ ବିଏମ୍‌ସି, ପୂର୍ତ୍ତ ବିଭାଗ ପୂର୍ବରୁ ଡ୍ରେନ୍‌ଗୁଡ଼ିକ ସଫା କରିଥିଲେ ହେଁ ଏହା ଜଳ ନିଷ୍କାସନରେ ବିଶେଷ ସହାୟକ ହୋଇନଥିବା ଭଳି ଲାଗୁଥିଲା। ଏନେଇ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ପଚାରିବାରୁ କହିଛନ୍ତି ଯେ, ଯେତେ ସଫା କଲେ ବି ପ୍ରଥମ ବର୍ଷାରେ ନିଶ୍ଚିତ ପାଣି ଜମିବ। ହେଲେ ଏହି ବର୍ଷାରେ ଡ୍ରେନ୍‌ରେ ଥିବା ଅଳିଆ ଓ ଜାମ୍ ଧୋଇଯାଇଛି। ଆଗକୁ ଆଉ ପାଣି ଜମିବନି। ଯେଉଁଠି ପାଣି ଜମିବାର ଆଶଙ୍କା ଥିଲା ସେଠାରେ ଆମେ ପାଣି ପମ୍ପ ଲଗାଇଥିଲୁ। ଜଳ ନିଷ୍କାସନ କରାଯାଇଛି। ଆଜିର ବର୍ଷ‌ାରେ କାହାର କିଛି ସମସ୍ୟା ହୋଇନି କି କେହି ଜଳବନ୍ଦୀ ହୋଇନାହାନ୍ତି।

ଶନିବାର ସଂଧ୍ୟାରେ ପ୍ରବଳ ବର୍ଷା ଲାଗି ରହିଥିବାବେଳେ ଅଧିକାଂଶ ଅଞ୍ଚଳରେ ଷ୍ଟ୍ରିଟଲାଇଟ୍ ଜଳୁନଥିଲା। ବହୁ ଅଞ୍ଚଳ ଅନ୍ଧକାର ଥିବାରୁ ଲୋକମାନେ ଡ୍ରେନ୍ ଓ ରାସ୍ତା କେଉଁଟା ଜାଣି ନପାରି ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଗତ କିଛି ଦିନ ହେଲା ରାଜଧାନୀରେ ପ୍ରାୟ ସମସ୍ତ ଛକରେ ଷ୍ଟ୍ରିଟଲାଇଟ୍ ଜଳୁନଥିଲେ ହେଁ ବିଏମ୍‌ସି କର୍ତ୍ତୃପକ୍ଷ କିଛି ପଦକ୍ଷେପ ନନେବାରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲା ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର