ବମିଖାଲରେ ବନ୍ୟା

ଦୋଷ ଲଦିବାକୁ ମୁଣ୍ଡ ଖୋଜା, ବିଏମ୍‌ସି ଓ ପୂର୍ତ୍ତ ବିଭାଗ ଚୁପ୍‌, ୨ ଘଣ୍ଟା ରାସ୍ତା ଜାମ୍‌, ଭୋଗୁଛନ୍ତି ଲୋକ

ଭୁବନେଶ୍ବର : ଆଜି ଅପରାହ୍ନରେ ରାଜଧାନୀରେ ହୋଇଥିବା ୨୩ମିମି ବର୍ଷା ବମିଖାଲ ଛକରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଦେଇଛି। ବର୍ଷା ହେଲେ ବମିଖାଲ ଓଭରବ୍ରିଜ୍ ନିକଟରେ ରାସ୍ତାରେ ଆଣ୍ଠୁଏ ଉଚ୍ଚରେ ପାଣି ଜମିବା କିଛି ନୂଆ କଥା ନୁହେଁ। କିନ୍ତୁ ବ୍ରିଜ୍ ଉପରେ ଓ ବ୍ରିଜ୍ ତଳେ ଆଣ୍ଠୁଏ ଉଚ୍ଚରେ ପାଣି ଜମିବା ପୂର୍ତ୍ତ ବିଭାଗର ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଛି। ରାଜଧାନୀର ଏହି ପ୍ରମୁଖ ରାସ୍ତାରେ ଘଣ୍ଟା ଘଣ୍ଟା ଧରି ପାଣି ଜମି ରହିଥିଲେ ହେଁ ନା ପୂର୍ତ୍ତ ବିଭାଗ ନା ବିଏମ୍‌ସି; କାହାର ବି ଦେଖା ମିଳିନଥିଲା। ସରକାରଙ୍କର ଏହି ଦୁଇଟି ବିଭାଗର ଅପାରଗତା ପାଇଁ ଆଜି ରାଜଧାନୀବାସୀ ପ୍ରାୟ ୨ଘଣ୍ଟା ଧରି ଦହଗଞ୍ଜ ହୋଇଛନ୍ତି।

ସବୁଠୁ ଆଶ୍ଚର୍ଯ୍ୟର ବିଷୟ, ପୂର୍ବରୁ ଏହି ଅଞ୍ଚଳରେ ପାଣି ଜମିଲେ ବିଏମ୍‌ସି ପୂର୍ତ୍ତ ବିଭାଗକୁ ଦାୟୀ କରୁଥିଲା। କିନ୍ତୁ ଏବେ ପାଣି ଜମିବାର କାରଣ କ’ଣ ବିଏମ୍‌ସିକୁ ପଚାରିଲେ ବାବୁଙ୍କର ମୁହଁ ଫିଟୁନି। ଏ ସବୁର କାରଣ ହେଲା ବର୍ତ୍ତମାନର ପୂର୍ତ୍ତ ସଚିବ କ୍ରିଷନ କୁମାର ବିଏମ୍‌ସି କମିସନର୍‌ ଥିବା ବେଳେ ସେ ଏହି ଅଞ୍ଚଳ ପରିଦର୍ଶନ କରି ପୂର୍ତ୍ତ ବିଭାଗକୁ ଡ୍ରେନ୍ ମରାମତି କରିବାକୁ କହୁଥିଲେ। କିନ୍ତୁ ବାବୁ ଏବେ ପୂର୍ତ୍ତ ସଚିବ ଥିଲେ ହେଁ ଏହି ଡ୍ରେନ୍ କିପରି ନିର୍ମାଣ ହେବ, ଏଠାରୁ ଜଳବନ୍ଦୀ ସମସ୍ୟା କିପରି ହଟିବ, ସେନେଇ କିଛି ପଦକ୍ଷେପ ନେଇପାରୁନାହାନ୍ତି। କେଉଁ କାରଣ ପାଇଁ ପୂର୍ତ୍ତ ଓ ବିଏମ୍‌ସିର ଅଧିକାରୀମାନେ ହାତରେ ହାତ ବାନ୍ଧି ବସି ପଡ଼ୁଛନ୍ତି, ଲୋକଙ୍କୁ ବର୍ଷା ପାଣିରେ ଦହଗଞ୍ଜ ହେବାକୁ ଛାଡ଼ି ଦେଉଛନ୍ତି ତା’ର କାରଣ ଜଣାପଡ଼ୁନି।

ବମିଖାଲ ଓଭରବ୍ରିଜ୍ ନିର୍ମାଣ ହେବା ଦିନରୁ ବିବାଦ ଘେରରେ ରହିଛି। ଏହାର ନିର୍ମାଣ ଡିଜାଇନ୍‌ରେ ତ୍ରୁଟି ଯୋଗୁଁ ପ୍ରତ୍ୟେକ ଦିନ କଟକ ରୋଡ୍‌ରେ ଅସମ୍ଭାଳ ଭିଡ଼ ହେଉଥିବା ବେଳେ ଏବେ ଅଧିକାଂଶ ସମୟରେ ଲୋକ ଜଳବନ୍ଦୀ ହେବା ନୂଆ ସମସ୍ୟା ରୂପେ ମୁଣ୍ଡ ଟେକିଛି।

ଅସରାଏ ବର୍ଷା ହେଲେ ବମିଖାଲ ଓଭରବ୍ରିଜ୍‌ର ମଝି ସ୍ଥାନରୁ କୋଚିଲାଖାଇ ହାଟ ପର୍ଯ୍ୟନ୍ତ (କଳ୍ପନାରୁ-ରସୁଲଗଡ଼ ରାସ୍ତା ପାର୍ଶ୍ବରେ) ଆଣ୍ଠୁଏ ଉଚ୍ଚରେ ପାଣି ଜମି ରହୁଛି। କନ୍ତୁ କର୍ତ୍ତୃପକ୍ଷ ସମାଧାନର ବାଟ ବାହାର ନ କରିପାରିବା ଚିନ୍ତାର ବିଷୟ ପାଲଟିଛି। ଓଭରବ୍ରିଜ୍ ନିର୍ମାଣ ପରେ ଏହାର ଦୁଇ ପାର୍ଶ୍ବରେ ପ୍ରଶସ୍ତ ଡ୍ରେନ୍ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଥିଲା। ଗୋଟିଏ ପାର୍ଶ୍ବରେ ଡ୍ରେନ୍ ବି ନିର୍ମାଣ ହୋଇଥିଲା। କିନ୍ତୁ ଏସ୍‌ପ୍ଲାନେଡ୍ ସମ୍ମୁଖରୁ ଇମ୍ଫା ଅଫିସ୍ ପାର୍କିଂ ଦେଇ ସହିଦନଗର ଲେଭେଲ୍ କ୍ରସିଂ ରାସ୍ତା ପର୍ଯ୍ୟନ୍ତ ଡ୍ରେନ୍ ନିର୍ମାଣ ହେଲାନି। ଏଠାରେ ଡ୍ରେନ୍ କେଉଁଠି ଅଛି ତାହା ବି ଜଣାପଡ଼ୁନି। ଯେତିକି ସ୍ଥାନରେ ଡ୍ରେନ୍ ଅଛି, ତାହା ପୋତି ହୋଇଯାଇଛି। ହେଲେ ଡ୍ରେନ୍ ନିର୍ମାଣ କରିବା ପରିବର୍ତ୍ତେ ପୂର୍ତ୍ତ ବିଭାଗର ଯନ୍ତ୍ରୀମାନେ ଯେଉଁ ଅଞ୍ଚଳରେ ଭଲ ଡ୍ରେନ୍ ଅଛି, ତାକୁ ଭାଙ୍ଗି ମରାମତି କରିବାକୁ ଅଧିକ ଶ୍ରେୟ ମଣୁଥିବାରୁ ରାଜଧାନୀବାସୀଙ୍କର ଦୀର୍ଘ ଦିନର ଏହି ସମସ୍ୟା ଦୂର ହେଉନି।

ଆଜି ବମିଖାଲ ଓଭରବ୍ରିଜ୍ ଉପରେ ଆଣ୍ଠୁଏ ଉଚ୍ଚରେ ପାଣି ଜମିଥିଲେ ପୂର୍ତ୍ତ ବିଭାଗ ଡିଭିଜିନ୍‌-୪ ନିର୍ବାହୀ ଯନ୍ତ୍ରୀ ଏସ୍‌.କେ ନସରୁଲା କିନ୍ତୁ ଏହାକୁ ଫାଙ୍କି ଦେଇଛନ୍ତି। ସେ କହିଛନ୍ତି ଯେ ଓଭରବ୍ରିଜ୍ ଉପରେ ପୂର୍ବରୁ ପାଣି ଜମୁଥିଲା। କିନ୍ତୁ ଆଜି ଜମିନି। ପୂର୍ବରୁ ବ୍ରିଜ୍ ଉପର ପାଣି ନିଷ୍କାସନ ପାଇଁ ଯେଉଁ ପାଇପ୍ ପକା ଯାଇଥିଲା ସେଥିରେ ବାଲି ଭର୍ତ୍ତି ହୋଇଯାଇଥିବାରୁ ପାଣି ଜମୁଥିଲା। ଏବେ ବାଲି ସଫା କରାଯାଇଛି, ତେଣୁ ପାଣି ଜମୁନି। ବ୍ରିଜ୍‌ ତଳେ ଯେଉଁ ପାଣି ଜମୁଛି ତା’ର ସମାଧାନ ପାଇଁ ମୁଖ୍ୟଯନ୍ତ୍ରୀଙ୍କ ସହ ଆଲୋଚନା କରି ପଦକ୍ଷେପ ନେବୁ।

ସମ୍ବନ୍ଧିତ ଖବର