ମଞ୍ଚେଶ୍ବର, ରସୁଲଗଡ଼, ବମିଖାଲ, ଲକ୍ଷ୍ମୀସାଗର ବେହାଲ୍‌

ଭୁବନେଶ୍ବର : ଲଗାଣ ବର୍ଷା ଯୋଗୁଁ ଆଜି ମଞ୍ଚେଶ୍ବର, ବମିଖାଲ, ରସୁଲଗଡ଼, ଲକ୍ଷ୍ମୀସାଗର ଆଦି ଅଞ୍ଚଳ ଜଳମଗ୍ନ ହୋଇ ପଡ଼ିଥିଲା। କେଉଁଠି ରାସ୍ତାରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଥିଲା ତ କେଉଁଠି ଘରେ ନର୍ଦ୍ଦମା ଜଳ ପଶିଯାଇଥିଲା। ସେହିଭଳି କିଛି ସ୍ଥାନରେ ନିର୍ମାଣାଧୀନ ଡ୍ରେନ୍‌ ଭୁଶୁଡ଼ି ପୋତି ହୋଇ ଯିବାରୁ ରାସ୍ତା ବନ୍ଦ ହୋଇଯାଇଥିଲା। ଫଳରେ ଏହି ଅଞ୍ଚଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା।

ମଞ୍ଚେଶ୍ବର ଶିଳ୍ପାଞ୍ଚଳ, ଚକେଇସିଆଣୀରୁ ଭିଏସ୍ଏସ୍ ନଗର ମୁଖ୍ୟ ରାସ୍ତା, ଝରଣାସାହି ବସ୍ତି, ତୁୟୁଘୁଟୁ ବସ୍ତିରେ ବର୍ଷା ଜଳ ଜମି ରହିଥିଲା। ସେହିଭଳି ଶ୍ରୀରାମ ସିଟି, ବାସୁଦେବନଗର, ଭାଗବତ ସନ୍ଧାନ, ଜିଜିପି କଲୋନି, ବିଜୁ ପଟ୍ଟନାୟକ କମ୍ପ୍ୟୁଟର ଏକାଡେମି ଗଳି, ନେତାଜୀ ବିହାର, ଝାରପଡ଼ା ଗ୍ରାମ ଆଦି ଅଞ୍ଚଳରେ କିଛି ପ୍ରମୁଖ ରାସ୍ତା ବୁଡ଼ିଯିବାରୁ ଲୋକେ ଯାତାୟାତ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ପରେ ବିଏମ୍‌ସି ପମ୍ପ ଲଗାଇ ଜଳ ନିଷ୍କାସନ କରିବାରୁ ସମସ୍ୟା କିଛିଟା ସୁଧୁରିଥିଲା।

ବମିଖାଲଠାରେ କଟକ ରୋଡ୍‌ରେ ଚାଲିଥିବା ଡ୍ରେନେଜ୍ କାମ ଅଧପନ୍ତରିଆ ହୋଇପଡ଼ିଛି। ବର୍ଷା ଜଳ ଜମି ରହିବା ଫଳରେ ମାଟି ଧସିଯିବାରୁ ଡ୍ରେନ୍ ପୋତି ହୋଇଗଲା ଓ ନର୍ଦ୍ଦମା ଜଳ ନିକଟସ୍ଥ ଲୋକଙ୍କ ଘର ଭିତରେ ପଶିଥିଲା। ଚିନ୍ତାମଣିଶ୍ବର ଅଞ୍ଚଳରେ ସ୍ବେରେଜ୍‌ କାମ ଅଧାରେ ପଡ଼ିଥିବାରୁ ରାସ୍ତାରେ ବର୍ଷା ଜଳ ଜମି ରହିଲା ଓ ପାଖାପାଖି ୫ହଜାର ଲୋକ ଜଳବନ୍ଦୀ ହୋଇ ଯାଇଥିଲେ। ଲକ୍ଷ୍ମୀସାଗର ଗାଁ ଭିତରେ କିଛି ସ୍ଥାନରେ ଜବରଦଖଲ ଓ ସଫେଇ ଅଭାବରୁ ଡ୍ରେନ୍ ଜାମ୍ ହୋଇ ନର୍ଦ୍ଦମା ପାଣି ଲୋକଙ୍କ ଘରେ ପଶିଥିଲା।

ସମ୍ବନ୍ଧିତ ଖବର