ଅସରାଏ ବର୍ଷାରେ ଗହୀର ବୁଡ଼ିଲା, ଚାଷୀ ଆଶ୍ବସ୍ତ

ବାଲିପାଟଣା: ଶ୍ରାବଣ ସରିଗଲା ସିନା ବେଉଷଣ ହୋଇପାରିନଥିଲା। ବିଲବାଡ଼ି ଶୁଖିଲା ପଡ଼ିଥିଲା। ତଳି କିଆରୀ ଫାଟି ଆଁ କରିଥିଲା। ଚାଷୀ ମୁଣ୍ଡରେ ହାତ ଦେଇ ବସିଥିଲା। କିନ୍ତୁ ଗୋଟିଏ ଅସରାରେ ଗହୀର ବୁଡ଼ିଗଲା। ସୋମବାର ସନ୍ଧ୍ୟାରେ ବାଦଲଫଟା ବର୍ଷା ସ୍ଥାନୀୟ ଅଞ୍ଚଳର ଗହୀରରେ ବନ୍ୟା ସୃଷ୍ଟି କରିଦେଲା। ଅବଶ୍ୟ ପରିବା ଚାଷ ପ୍ରଭାବିତ ହେଲା, କିନ୍ତୁ ଧାନ ବେଉଷଣ କରିବାକୁ ଚାହିଁ ବସିଥିବା ଚାଷୀ ମୁହଁରେ ହସ ଫୁଟିଲା।

ଗତକାଲି ଥିଲା ଗହ୍ମା ପୂର୍ଣମୀ। ଶ୍ରାବଣର ଶେଷ ଦିନ। ମାସ ସାରା ଛପି ଯାଇଥିବା ମୌସୁମୀ ବର୍ଷା ଗତକାଲି ସନ୍ଧ୍ୟାରେ ହଠାତ୍ ଦେଖା ଦେଇଥିଲା। ଲଘୁଚାପ ପୂର୍ବରୁ ହଠାତ୍ ବର୍ଷିଲା। ଛାତିଥରା ଘଡ଼ଘଡ଼ି ସହ ମୂଷଳଧାରାରେ ଗାଳିଲା। ୨/୩ ଘଣ୍ଟାରେ ହୋଇଗଲା ୧୧୪.୬ ମିଲିମିଟର ବର୍ଷା। ମାତ୍ର କେଇ ଘଣ୍ଟା ଭିତରେ ଶୁଖିଲା ପଡ଼ିଥିବା ଧାନ ଜମି ଜଳାର୍ଣବ ହୋଇଯାଇଥିଲା। ଧାନ ବିଲ ପାଇଁ ସିନା ଭଲ ହେଲା, ପରିବା କିଆରୀ ପ୍ରଭାବିତ ହେଲା। ପୋଟଳ, ଝୁଡୁଙ୍ଗ, କାକୁଡି, କଖାରୁ, ଜହ୍ନି ଓ ବାଇଗଣ ପ୍ରଭୃତି ପରିବା କିଆରୀ ସବୁ ବୁଡ଼ିଗଲା। ତେଣୁ ପାଣି ଜମି ରହିଲେ, ପରିବା ନଷ୍ଟ ହେବାର ଆଶଙ୍କା ରହିଛି। କିନ୍ତୁ ଏଥିପାଇଁ ଚାଷୀ ବେଶି ଚିନ୍ତିତ ନୁହେଁ। ବରଂ ଏହି ଅସରାକ ବର୍ଷା ଚାଷୀକୁ ବେଶ୍ ବଡ଼ ଆଶ୍ବସ୍ତି ଦେଇଛି ବୋଲି କୁହାଯାଉଛି। ତେବେ ଏହି ବର୍ଷା ନୂଆ ନୂଆ ରୁଆ ହୋଇଥିବା ଜମି ପାଇଁ କ୍ଷତିକାରକ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ସେହିଭଳି ପିଡ଼ିଆ ପଡ଼ିଥିବା ଜମି ମଧ୍ୟ ପ୍ରଭାବିତ ହେବ। ପିଡ଼ିଆ ଧୋଇ ହୋଇଯିବାରୁ ଚାଷୀମାନେ ହଜାର ହଜାର ଟଙ୍କା କ୍ଷତି ସହିଛନ୍ତି ବୋଲି ଜଣାପଡ଼ିଛି। ବାଲିପାଟଣା ବ୍ଲକ କୃଷି ଅଧିକାରୀ ତରୁଣ ଛୋଟରାୟଙ୍କ ସୂଚନାନୁସାରେ ଏହି ବର୍ଷା ଧାନ ଫସଲର ବିଶେଷ କ୍ଷତି କରିବ ନାହିଁ। ବରଂ ବେଉଷଣ କାମ ତ୍ବରାନ୍ବିତ ହେବ।

ସମ୍ବନ୍ଧିତ ଖବର