ଲଘୁଚାପ ପ୍ରଭାବରେ ରାଜଧାନୀରେ ଦିନ ସାରା ବର୍ଷା : ଜନଜୀବନ ଅସ୍ତବ୍ୟସ୍ତ

ଭୁବନେଶ୍ବର : ଲଘୁଚାପ ପ୍ରଭାବରେ ଆଜି ଦିନସାରା ରାଜଧାନୀରେ ବର୍ଷା ଲାଗି ରହିଛି। ସକାଳ ୭ଟାରୁ ଆରମ୍ଭ ହୋଇଥିବା ବର୍ଷା ରାତି ପର୍ଯ୍ୟନ୍ତ ବି ଲାଗି ରହିଥିଲା। ଯେଉଁଥିପାଇଁ ସହରବାସୀଙ୍କୁ ନାକେଦମ୍‌ ହେବାକୁ ପଡ଼ିଛି। ଝିପିଝିପି ବର୍ଷା ଲାଗି ରହିଥିବାରୁ ଲୋ‌କେ ପଦାକୁ ବାହାରି ପାରି ନଥି‌ଲେ। ତା’ ସାଙ୍ଗକୁ ରାଜଧାନୀର ଖଣ୍ଡିଆ ରାସ୍ତା ଯାତ୍ରୀଙ୍କ ଯାତ୍ରାକୁ ଅଧିକ ଯନ୍ତ୍ରଣାଦାୟକ କରିଦେଇଛି। ଏଭଳି ସ୍ଥିତି ଆହୁରି ୨୪ଘଣ୍ଟା ପର୍ଯ୍ୟନ୍ତ ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ବୁଧବାର ଦିନ ତମାମ ବର୍ଷା ଲାଗି ରହିଛି। ସକାଳ ୮ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ୩୦.୫ ମିମି ବର୍ଷା ହୋଇଛି। ରାତି‌ରେ ବି ପ୍ରାୟ ୧୦ ମିମି ବର୍ଷା ‌ହୋଇଥିବା ଜଣାପଡ଼ିଛି। ଏହାଦ୍ବାରା ସହରର କୌଣସି ସ୍ଥାନରେ ଜଳବନ୍ଦୀ ଭଳି ସମସ୍ୟା ସୃଷ୍ଟି ହୋଇନାହିଁ। ଆସନ୍ତା ୨୪ଘଣ୍ଟା ପର୍ଯ୍ୟନ୍ତ ଏଭଳି ବର୍ଷା ଲାଗି ରହିବ। ୨୫ ତାରିଖ ସକାଳୁ ପାଗରେ କିଛିଟା ପରିବର୍ତନ ଆସିବ। ତେବେ ୨୬ ତାରିଖ ବେଳକୁ ଭୁବନେଶ୍ବରରୁ ବର୍ଷା ସମ୍ପୂର୍ଣ୍ଣ ଭାବେ ଉଭେଇଯିବ।

ପୁରୀ, ଗୋପାଳପୁର ସହର ପରି ଅଧିକ ବର୍ଷା ହୋଇ ନଥିଲେ ମଧ୍ୟ ଯେଉଁ ଝିପିଝିପି ବର୍ଷା ହୋଇଛି, ତାହା ସହରବାସୀଙ୍କୁ ନାକେଦମ କରିଦେଇଛି। ଦିନତମାମ ବର୍ଷା ଲାଗି ରହିଥିବାରୁ ଉଠାଦୋକାନୀମାନେ ଦୋକାନ ଖୋଲି ପାରିନଥିଲେ। ଗ୍ରାହକଙ୍କ ସଂଖ୍ୟା ମଧ୍ୟ କମ୍‌ ଦେଖିବାକୁ ମିଳିଥିଲା। ଦୀପାବଳି ପାଇଁ ବଜାରରେ ଯେଉଁଭଳି ଭିଡ଼ ହେବା କଥା, ତାହା ଦେଖିବାକୁ ମିଳି ନଥିଲା। ସନ୍ଧ୍ୟା ସମୟରେ ଜୋର୍‌ରେ ବର୍ଷା ହେବାରୁ ପରିସ୍ଥିତି ଅଧିକ ଜଟିଳ ହୋଇଥିଲା। ସହରର ବିଭିନ୍ନ ସ୍ଥାନରେ ରାସ୍ତାରେ ଖାଲଖମା ସୃଷ୍ଟି ହୋଇଥିବାରୁ ଅନେକ ଲୋକ ଆହତ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର