ଭୁବନେଶ୍ୱର : ଅସରାଏ ବଡ଼ ବର୍ଷା ହେଲେ ଜାତୀୟ ରାଜପଥ-୧୬ ବୁଡ଼ିବ ବୋଲି ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିବାବେଳେ ଆଜି ଏହା ପ୍ରମାଣିତ ହୋଇଛି। ପ୍ରାୟ ୪୫ମିନିଟ୍ ଧରି ରାଜଧାନୀରେ ବର୍ଷା ହୋଇଥିବାବେଳେ ଏଥିରେ ୩୧.୩ ମିମି ବର୍ଷା ହୋଇଥିଲା। ଏତିକି ବର୍ଷାରେ ଆଜି ପାତ୍ରପଡ଼ାରୁ ପାହାଳ ପର୍ଯ୍ୟନ୍ତ ଜାତୀୟ ରାଜପଥ ସ୍ଥିତି ପୂରା ସଙ୍ଗିନ ହୋଇ ଯାଇଥିଲା। ଏନ୍ଏଚ୍-୧୬ର ଅଧିକାଂଶ ସ୍ଥାନରେ ଆଣ୍ଠୁଏ ଉଚ୍ଚରେ ପାଣି ଜମିଥିବାବେଳେ ଇସ୍କନ୍ ମନ୍ଦିର ସମ୍ମୁଖରେ ଅଣ୍ଟାଏ ଉଚ୍ଚରେ ପାଣି ଜମିଥିଲା। ଏହି ରାସ୍ତାରେ ପ୍ରାୟ ଅଧ ଘଣ୍ଟା କାଳ ପାଣି ଜମି ରହିବାରୁ ଯାତାୟାତ ଏକରକମ ଠପ୍ ହୋଇ ଯାଇଥିଲା। ଯିଏ ଏହି ରାସ୍ତାରେ ଯାଇଥିଲେ ସେମାନେ ଭାସି ଯାଇଥିଲେ। କେତେକ ବସ୍ ଓ କାର୍ରେ ପାଣି ପଶି ଯାଇଥିବା ଦେଖିବାକୁ ମିଳିଥିଲା। ସେହିପରି ବରମୁଣ୍ଡା, ଜୟଦେବ ବିହାର, ବାଣୀବିହାର, ରସୁଲଗଡ଼, ପାହାଳ ଛକରେ ଆଜି ଆଣ୍ଠୁଏ ଉଚ୍ଚରେ ପାଣି ଜମା ହୋଇଥିଲା।
ବର୍ଷା ସମୟରେ ଜାତୀୟ ରାଜପଥ ସ୍ଥିତି ସଙ୍ଗିନ ହେଉଥିବାରୁ ପ୍ରତିବର୍ଷ ଏନେଇ ହୋହଲ୍ଲା ହେଉଛି। ବିଏମ୍ସି, ଜାତୀୟ ରାଜପଥ କର୍ତୃପକ୍ଷ ପରସ୍ପରକୁ ଦୋଷ ଲଦାଲଦି ହେଉଛନ୍ତି। କିନ୍ତୁ ଏହାର ସମାଧାନ ହେଉନି। ଜାତୀୟ ରାଜପଥରେ ଯେପରି ପାଣି ନଜମିବ ସେଥିପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିବାକୁ ଗତବର୍ଷ ଜୁଲାଇରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଏଥିରେ ଜାତୀୟ ରାଜପଥ କର୍ତୃପକ୍ଷଙ୍କୁ ଏହାର ସମାଧାନ ପାଇଁ ଡିଜାଇନ୍ ପ୍ରସ୍ତୁତ କରିବାକୁ କୁହାଯାଇଥିଲା। କିନ୍ତୁ ବୈଠକର ୯ ମାସ ପରେ ଜାତୀୟ ରାଜପଥ କର୍ତୃପକ୍ଷ ପୂର୍ତ ବିଭାଗକୁ ସାହାଯ୍ୟ ମାଗିଥିଲେ। ଜାତୀୟ ରାଜପଥରେ ପାଣି ନ ଜମିବା ପାଇଁ କ’ଣ ଆବଶ୍ୟକ, ବର୍ଷା ପାଣି କିପରି ନିଷ୍କାସନ ହେବ, କେଉଁଠି ଡ୍ରେନ୍ ହେବା ଦରକାର ସେନେଇ ଡିପିଆର୍ ପ୍ରସ୍ତୁତ କରି ଦେବାକୁ କହିଥିଲେ। ପୂର୍ତ ବିଭାଗ ଚିଠି ପାଇବାର ଏକ ମାସରୁ ଅଧିକ ସମୟ ବିତିଗଲାଣି। କିନ୍ତୁ ଆଜି ପର୍ଯ୍ୟନ୍ତ ଡିପିଆର୍ ପ୍ରସ୍ତୁତ ହୋଇପାରିଲାନି। ଫଳରେ ଚଳିତ ବର୍ଷ ବି ରାଜଧାନୀରେ ଜାତୀୟ ରାଜପଥ ବୁଡ଼ିବା ଏକପ୍ରକାରର ନିଶ୍ଚିତ ହୋଇଗଲାଣି।
ଏନେଇ ପୂର୍ତ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଆମେ ଏକ କନସଲଟାଣ୍ଟ ସହାୟତାରେ ଏହାର ଡିଜାଇନ୍ ପ୍ରସ୍ତୁତ କରୁଛୁ। ଆସନ୍ତା ୧୫ ଦିନ ମଧ୍ୟରେ ଏହା ସରିବ। ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଏହାକୁ ଉପସ୍ଥାପନ କରାଯିବା ପରେ ଏହାକୁ ଜାତୀୟ ରାଜପଥ କର୍ତୃପକ୍ଷଙ୍କୁ ଦିଆଯିବ।
ପୂର୍ତ ବିଭାଗର ଭୁବନେଶ୍ୱର ଅଧୀକ୍ଷଣ ଯନ୍ତ୍ରୀ ରଞ୍ଜିତ ସାହୁ କହିଛନ୍ତି ଯେ, ଆମେ ଜାତୀୟ ରାଜପଥ କର୍ତୃପକ୍ଷଙ୍କୁ କେବଳ ପରାମର୍ଶ ଦେବୁ। ଜାତୀୟ ରାଜପଥ କଡ଼ରେ ଥିବା ସର୍ଭିସ୍ ରୋଡ୍ରେ ସବୁଠି ଡ୍ରେନ୍ ନିର୍ମାଣ କରିବା ସମ୍ଭବ ନଥିବାରୁ ଏନେଇ ଅଲଗା ଯୋଜନା ପ୍ରସ୍ତୁତ ହେଉଛି।
ସୂଚନାଯୋଗ୍ୟ ଯେ, ଇସ୍କନ ସମ୍ମୁଖରେ ପାଣି ଜମୁଥିବାରୁ ଗତ ବର୍ଷ ବିଏମ୍ସି ପକ୍ଷରୁ ଜାତୀୟ ରାଜପଥ କର୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଥିଲା ଯେ, ଇନ୍ଦ୍ରଧନୁ ମାର୍କେଟ ପାର୍ଶ୍ୱରୁ ଆସୁଥିବା ପାଣିକୁ ଜୟଦେବ ବିହାର ଛକ ଦିଗରେ ଡାଇଭର୍ଟ କରି ମୁଖ୍ୟ ଡ୍ରେନ୍ ୪ରେ ମିଶାଇବା ଏବଂ ସିଆର୍ପି, ନୂଆପଲ୍ଲୀ ଓ ଓଭରବ୍ରିଜ୍ ଉପରୁ ଆସୁଥିବା ପାଣିକୁ ନୂଆପଲ୍ଲୀ ବେହେରା ସାହି ପଛପାର୍ଶ୍ୱରେ ଥିବା ମୁଖ୍ୟ ଡ୍ରେନ୍ ୧୦ ରେ ମିଶାଇବାକୁ ପରାମର୍ଶ ଦିଆଯାଇଥିଲା। କିନ୍ତୁ ଏନେଇ ଜାତୀୟ ରାଜପଥ କର୍ତୃପକ୍ଷ କିଛି ପଦକ୍ଷେପ ନେଲେନି।
ଭାସିଲା ଶାଶ୍ୱତ ବିହାର
ଚନ୍ଦ୍ରଶେଖରପୁର : ମୌସୁମୀ ଆସିନି କି ବର୍ଷା ଋତୁ ଆରମ୍ଭ ହୋଇନି। ତଥାପି ଅଦିନିଆ ବର୍ଷା ପାଣି ଶାଶ୍ୱତ ବିହାର ବାସିନ୍ଦାଙ୍କ ପାଇଁ ଦାଉ ସାଜିଛି। ୱାର୍ଡ ନଂ-୬ ଅନ୍ତର୍ଗତ ଶାଶ୍ୱତ ବିହାର, ଆମ୍ରପଲ୍ଲୀ, ସାଇବିହାର, ବିଷ୍ଣୁପ୍ରିୟା କଲୋନି, ଶ୍ରୀହରି ବିହାର, ଇନ୍ଦ୍ରପୁରୀ କଲୋନିର ପ୍ରାୟ ୧୦୦୦ରୁ ଊର୍ଧ୍ୱ ପରିବାର ଆଜି କାଳବୈଶାଖୀ ବର୍ଷାରେ ହଇରାଣ ହୋଇଛନ୍ତି। ଏହି ଅଞ୍ଚଳ ଦେଇ ଯାଇଥିବା ଡ୍ରେନ୍ର ତ୍ରୁଟିପୂର୍ଣ୍ଣ ଡିଜାଇନ୍ ଫଳରେ ସାମାନ୍ୟ ବର୍ଷାରେ ମଧ୍ୟ ଶାଶ୍ୱତ ବିହାର ଜଳାର୍ଣ୍ଣବ ହୋଇଛି। ଏଥିସହ ଏହି ଡ୍ରେନ୍ ଉପରମୁଣ୍ଡରେ କରାଯାଇଥିବା ଦୁଇଟି ବନ୍ଧ ବେଡ଼ି ଉପରେ କୋରଡ଼ା ମାଡ଼ ଭଳି ହୋଇଛି। ଅପରିଷ୍କାର ଡ୍ରେନ୍ ପାଣି ଜମା ହୋଇ ରହିବା ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ବିପଦର କାରଣ ହୋଇଛି। ଝଡ଼ବର୍ଷା ଯୋଗୁଁ ନାଲ୍କୋ ଛକ ନିକଟରେ ଫୁଲଭର୍ତି ଏକ କୃଷ୍ଣଚୁଡ଼ା ଗଛ ଉପୁଡ଼ି ପଡ଼ିଥିଲା। କିଛି ଗଛର ଡାଳ ମଧ୍ୟ ଭାଙ୍ଗି ପଡ଼ିଥିଲା। ସେହିପରି ହାଉସିଂବୋର୍ଡ ଅଞ୍ଚଳ, ଶ୍ରୀବିହାର, କାନନବିହାର, ଫର୍ଚ୍ୟୁନ୍ ଟାୱାର, ପଟିଆ, ଡମଣା, ଗାଡ଼କଣ ଭଳି ସ୍ଥାନରେ ଅଦିନିଆ ବର୍ଷା ଲୋକଙ୍କୁ ନାକେଦମ୍ କରିଛି। ଏଥିସହ ରାସ୍ତା କଡ଼ରେ କେବୁଲ୍ ଯିବାକୁ ଖୋଳାଯାଇଥିବା ଗାତ ମଧ୍ୟ ସମସ୍ୟାକୁ ବଢ଼ାଇଛି। ସାମାନ୍ୟ ଅସାବଧାନତା ଲୋକଙ୍କ ଜୀବନ ନେଇଯିବା ଭଳି ପରିସ୍ଥିତି ସୃଷ୍ଟି କରିଛି।
ଦେଢ଼ ଘଣ୍ଟାରେ ୩୧.୩ ମିମି
ଭୁବନେଶ୍ୱର : ମଧ୍ୟାହ୍ନ ୧୨ଟାରେ ରାଜଧାନୀ ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ବାଦଲ। ତା’ ସାଙ୍ଗକୁ ତୁହାକୁ ତୁହା ପବନ। ଧୂଳି ଝଡ଼ରେ ଅସ୍ତବ୍ୟସ୍ତ ହୋଇଉଠିଥିଲା ସମ୍ପୂର୍ଣ୍ଣ ଭୁବନେଶ୍ୱର। କିଛି କ୍ଷଣ ମଧ୍ୟରେ ବର୍ଷା ଆରମ୍ଭ ହୋଇଥିଲା। ମାତ୍ର କିଛି ସମୟ ମଧ୍ୟରେ ସହରର ବିଭିନ୍ନ ସ୍ଥାନରେ ପାଣି ଜମିଥିଲା। କଟକ ରୋଡ ସମେତ ୟୁନିଟ୍-୨, ୟୁନିଟ୍-୮ ଅଞ୍ଚଳ, ପୋଖରୀପୁଟରୁ ଖଣ୍ଡଗିରି ରାସ୍ତା, ବାଣୀବିହାର ପ୍ରଭୃତି ଅଞ୍ଚଳରେ ଜଳ ନିଷ୍କାସନ ଠିକ୍ ଭାବେ ନ ହେବା ଦ୍ୱାରା ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ମାତ୍ର ଦେଢ଼ ଘଣ୍ଟା ମଧ୍ୟରେ ସାରା ଭୁବନେଶ୍ୱରରେ ୩୧.୩ ମିମି ବର୍ଷା ହୋଇଥିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ବର୍ଷା ସାଙ୍ଗକୁ ପବନ ଯୋଗୁଁ ସହରର ଅଧିକାଂଶ ସ୍ଥାନରେ ଗଛ ଭାଙ୍ଗିପଡ଼ିଛି। ୟୁନିଟ୍-୨ ମାର୍କେଟ୍ ବିଲଡିଂ ପଛପର୍ଶ୍ୱରେ ଦୁଇଟି ଗଛ ଉପୁଡି ପଡ଼ିଥିଲା। ଏଥିରେ ଗୋଟିଏ ବିଶାଳ ନଡ଼ିଆ ଗଛ ରହିଥିଲା। ସେହିପରି କମିସନରେଟ୍ ପୁଲିସ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଗଛରୁ ଡାଳ ଭାଙ୍ଗି ରାସ୍ତା ଉପରେ ପଡ଼ିଥିଲେ ମଧ୍ୟ ପଥଚାରୀଙ୍କର କୌଣସି କ୍ଷତି ହୋଇ ନ ଥିଲା। ବର୍ଷା, ପବନ ସାଙ୍ଗକୁ ଘନ ଘନ ବିଜୁଳି ମାରୁଥିବାରୁ ଲୋକେ ଭୟଭୀତ ହୋଇ ବିଭିନ୍ନ ସ୍ଥାନରେ ଆଶ୍ରୟ ନେଇଥିଲେ।
ବିଦ୍ୟୁତ ସରବରାହ ବ୍ୟାହତ
ଝଡ଼ବର୍ଷା ଯୋଗୁଁ ଆଜି ସହରର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ସରବରାହ ବ୍ୟାହତ ହୋଇଥିଲା। ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ ଆସି ନ ଥିଲା। ଝଡ଼ବର୍ଷା ଆରମ୍ଭ ହେବା କ୍ଷଣି କେତେକ ସ୍ଥାନରେ ବିଦ୍ୟୁତ୍ ସଂଯୋଗ କାଟି ଦିଆଯାଇଥିଲା। ସହରର ମୁଖ୍ୟ ସ୍ଥାନରେ ବିଦ୍ୟୁତ୍ ଦିଆଯାଇଥିଲେ ମଧ୍ୟ ପ୍ରବଳ ବର୍ଷା ହେବା ପରେ ବିଦ୍ୟୁତ୍ ସଂଯୋଗକୁ ବିଚ୍ଛିନ୍ନ କରାଯାଇ ଥିଲା। ୟୁନିଟ୍-୨ ଅଞ୍ଚଳରେ ଗଛ ଭାଙ୍ଗିବା ଦ୍ୱାରା ବିଦ୍ୟୁତ୍ ତାର ଛିଣ୍ଡିଯାଇଥିଲା। ପରେ ବିଦ୍ୟୁତ୍ ବିଭାଗର ଅଧିକାରୀ ପହଞ୍ଚି ସଜାଡ଼ିବା ପରେ ସ୍ଥିତିରେ ସୁଧାର ଆସିଥିଲା। ଉପକଣ୍ଠର କେତେକ ସ୍ଥାନରେ ସନ୍ଧ୍ୟା ସୁଦ୍ଧା ବିଦ୍ୟୁତ୍ ଆସି ନ ଥିଲା।
ଆଜି ବି ହୋଇପାରେ ଝଡ଼ବର୍ଷା
ମଙ୍ଗଳବାର ମଧ୍ୟ ଭୁବନେଶ୍ୱରରେ କାଳବୈଶାଖୀର ଆଶଙ୍କା ରହିଛି। ବର୍ଷା ସାଙ୍ଗକୁ ୩୦ରୁ ୪୦ କି.ମି. ବେଗରେ ପବନ ହୋଇପାରେ। ଏହି ସମୟରେ ସତର୍କତା ଅବଲମ୍ବନ କରିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଆଜି ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୩୨.୮ ଡିଗ୍ରି ରହିଥିବା ବେଳେ ସର୍ବନିମ୍ନ ୨୩ ଡିଗ୍ରି ରହିଥିଲା। ମଙ୍ଗଳବାର ଯଥାକ୍ରମେ ୩୫ ଡିଗ୍ରି ଓ ୨୪ ଡିଗ୍ରି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।