ସନ୍ଧ୍ୟାରେ ଧୂଳିଝଡ଼ ଉଡ଼ାଇ ନେଲା ପଲିଥିନ୍‌, ଘରେ ପଶିଲା ପାଣି

ଭୁବନେଶ୍ବର : ଦିନରେ ଲାଗିରହିଥିଲା ଗୁଳୁଗୁଳି। ପ୍ରବଳ ଖରା ସହିତ ଆର୍ଦ୍ରତା ଅଧିକ ରହିବା ହେତୁ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ ଲୋକେ। ଘରୁ ବାହାରିପାରି ନଥିଲେ। ତେବେ ସନ୍ଧ୍ୟାରେ ରାଜଧାନୀ ଆକାଶରେ ମାଡ଼ିଆସିଥିଲା କଳା ହାଣ୍ଡିଆ ମେଘ। ସନ୍ଧ୍ୟା ୭ଟା ବେଳକୁ ଧୂଳି ଝଡ଼ ସହ ବର୍ଷା ଆରମ୍ଭ ହୋଇଥିଲା। ତୁହାକୁ ତୁହା ବର୍ଷା ପବନ ଜନଜୀବନକୁ ପ୍ରଭାବିତ କରିଥି‌ଲା। ‌ଯିଏ ଯେଉଁଠି ଥିଲେ ସେଇଠି ଅଟକି ରହିଥିଲେ। ଆଗକୁ ବଢ଼ିପାରି ନଥିଲେ। ଘଣ୍ଟାଏ ପର୍ଯ୍ୟନ୍ତ ଲାଗିରହିଥିଲା ଧୂଳିଝଡ଼। ମଧ୍ୟରାତ୍ରି ଯାଏ ଝିପିଝିପି ବର୍ଷା ଲାଗିରହିଥିଲା।

ତେବେ ବର୍ଷା ଯୋଗୁ ବାତ୍ୟା ‘ଫନି’ରେ ପ୍ରଭାବିତ ଲୋକଙ୍କୁ ନା‌କେଦମ ହେବାକୁ ପଡ଼ିଛି। ବାତ୍ୟା ସମୟରେ ଘର ଭାଙ୍ଗିଯିବା ହେତୁ କେତେକ ବସ୍ତିବାସିନ୍ଦା ପଲିଥିନ୍‌ ପକାଇ ତା’ ଭିତରେ ରାତି କାଟୁଥିଲେ। କେହି କେହି ବିନା ପଲିଥିନ୍‌ରେ ଖୋଲା ଆକାଶ ତଳେ ବି ରହୁଥିଲେ। ‌ତେବେ ଆଜି ସନ୍ଧ୍ୟାର ଝଡ଼ବର୍ଷା ସେମାନଙ୍କ ସଜଡ଼ା ଘରକୁ ପୁଣିଥରେ ଉଜାଡ଼ି ଦେଇଛି। ଘଣ୍ଟାପ୍ରତି ୪୦ କିମି ବେଗରେ ପବନ ହେବାରୁ କେତେକ ସ୍ଥାନରେ ଲୋକଙ୍କ ଘର ଭିଙ୍ଗିଯାଇଛି। ଘର ଉପରେ ପଡ଼ିରହିଥିବା ପଲିଥିନ୍‌ ପବନରେ ଉଡ଼ିଯାଇଛି। ଆଉ କେଉଁଠି ଲୋକଙ୍କ ଘରେ ପାଣି ପଶିଛି। ୟୁନିଟ୍‌-୮ ନାରାୟଣୀ ବସ୍ତିର ସୁଶାନ୍ତ ନାୟକଙ୍କ ଘର କ୍ଷତିଗ୍ରସ୍ତ ହୋଇଛି। ତାଙ୍କ କହିବାନୁଯାୟୀ ବାତ୍ୟା ପରେ ନୂଆ କରି ଛପର କରିଥିଲି। ଘର ଉପରେ ପଲିଥିନ୍‌ ପକାଇଥିଲି। କିନ୍ତୁ ଆଜିର ଝଡ଼ବର୍ଷା ସବୁ କିଛି ନଷ୍ଟ କରିଦେଇଛି। ଘର ଭିତରେ ପାଣି ପଶିଯିବାରୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି।

ଅନ୍ୟପକ୍ଷରେ ଭୁବନେଶ୍ବର ଉପକଣ୍ଠରେ ବ୍ୟାପକ କ୍ଷତି ହୋଇଥିବା ନଜରକୁ ଆସିଛି। ବାରଙ୍ଗ ଅଞ୍ଚଳରେ ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ିଛି। ନୂଆ କରି ଲାଗିଥିବା ବିଦ୍ୟୁତ୍‌ ଖୁଣ୍ଟଗୁଡ଼ିକ ନଇଁ ପଡ଼ିଥିବାରୁ ବିଦ୍ୟୁତ୍‌ ସରବରାହ ପ୍ରଭାବିତ ହୋଇଛି। ମଧ୍ୟରାତ୍ରି ପର୍ଯ୍ୟନ୍ତ ଲୋକେ ଅନ୍ଧାରରେ ରହିଥିବା ସୂଚନା ମିଳିଛି। ପ୍ରବଳ ବର୍ଷା ଯୋଗୁଁ ବାଣୀବିହାର, ଆଚାର୍ଯ୍ୟବିହାର, ନୟାପଲ୍ଲୀ ପ୍ରଭୃତି ରାସ୍ତାରେ ବର୍ଷା ପାଣି ଲହଡ଼ି ଭାଙ୍ଗୁଛି। ସନ୍ଧ୍ୟା ସମୟରେ ଝଡ଼ବର୍ଷା ହେବା ଦ୍ବାରା ଉଠାଦୋକାନୀମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି। ହଠାତ୍‌ ପବନ ସହ ଧୂଳି ଉଡ଼ିବାରୁ ଠେଲା ଗାଡ଼ିରେ ଥିବା ଖାଦ୍ୟ ପଦାର୍ଥ ନଷ୍ଟ ହୋଇଛି। ରାସ୍ତା କଡ଼ରେ ପାଲ ଉପରେ ରଖି ପନିପରିବା ବିକ୍ରି କରୁଥିବା ବ୍ୟବସାୟୀ ମଧ୍ୟ ପ୍ରଭାବିତ ହୋଇଛନ୍ତି। ପନିପରିବା ନଷ୍ଟ ହୋଇଛି।

ସମ୍ବନ୍ଧିତ ଖବର