ରଜରେ ଭିଜିଲା ରାଜଧାନୀ

ଭୁବନେଶ୍ବର : ଆଜି ରଜ ସଂକ୍ରାନ୍ତିରେ ସକାଳୁ ପାଗ କୋହଲା ଥିଲା। ମାତ୍ର ଗୁଳୁଗୁଳି ଅସହ୍ୟ ହେଉଥିଲା। କୋହଲା ପାଗ ଯୋଗୁଁ ଲୋକମାନେ ରଜ ବୁଲାର ମଜା ଉଠାଇଥିଲେ। ହେଲେ ସନ୍ଧ୍ୟାରେ ମାଡ଼ି ଆସିଥିଲା କଳା ହାଣ୍ଡିଆ ମେଘ। ୪୦ରୁ ୫୦ କିଲୋମିଟର ବେଗରେ ପବନ ବୋହିଥିଲା। ବିଜୁଳି ଓ ଘଡ଼ଘଡ଼ି ସହିତ ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ଧରି ବର୍ଷିଥିଲା। ରଜ ସନ୍ଧ୍ୟାରେ ସହରରେ ବୁଲାବୁଲି କରୁଥିବା ରାଜଧାନୀବାସୀ ବର୍ଷା ଯୋଗୁଁ ଯିଏ ଯେଉଁଠି ପାରିଲା ଅଟକି ଯାଇଥିଲା। ବିଶେଷକରି ଲୋକମାନେ ବାଣୀବିହାର, ଆଚାର୍ଯ୍ୟବିହାର ଓ ରସୁଲଗଡ଼ ଓଭରବ୍ରିଜ୍‌ ତଳେ ଆଶ୍ରୟ ନେଇଥିବା ଦେଖାଯାଇଥିଲା। ତେବେ ପବନ ଓ ଘଡ଼ଘଡ଼ି ଡରେଇ ଦେଇଥିଲା। ବର୍ଷା ଯୋଗୁଁ ରାଜଧାନୀର ପ୍ରାୟ ସମସ୍ତ ଅଞ୍ଚଳରେ ପାଣି ଜମିଥିବା ଦେଖାଯାଇଥିଲା।

ବାଣୀବିହାର, ଜନପଥ, ମାଷ୍ଟରକ୍ୟାଣ୍ଟିନ୍‌ ପିଏମଜି, ଆଚାର୍ଯ୍ୟବିହାର, ଜୟଦେବବିହାର ଛକ, ଚନ୍ଦ୍ରଶେଖରପୁରର ତଳିଆ ଅଞ୍ଚଳ, ପୁରୁଣା ଭୁବନେଶ୍ବର, କଟକ୍‌ ରୋଡ୍‌, ରସୁଲଗଡ଼, ଜଗନ୍ନାଥନଗର, ବମିଖାଲ ଅଞ୍ଚଳରେ ବର୍ଷା ପାଣି ରାସ୍ତାରେ ଜମିଥିଲା। ତେବେ କେତେକ ସ୍ଥାନରେ ମାଟିତଳ କେବୁଲ୍‌ ପାଇଁ ରାସ୍ତା ଖୋଳା ଯାଇଥିବାରୁ ସେଠାରେ ପାଣି ଜମି ଯାତାୟାତରେ ସମସ୍ୟା ସୃଷ୍ଟି କରିଥିଲା। ପବନ ଯୋଗୁଁ ବିଦ୍ୟୁତ ସେବା ମଧ୍ୟ ବିଛିନ୍ନ ହୋଇଯାଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଦ୍ୟୁତ ଯୋଗାଣ ହୋଇ ପାରିନଥିଲା। ପୂରା ରାଜଧାନୀରେ ଅନ୍ଧାର ଛାଇ ଯାଇଥିଲା। ତେବେ ବର୍ଷା ଯୋଗୁଁ ଗରମରୁ ଆଶ୍ବସ୍ତି ମିଳିଥିଲା।

ସମ୍ବନ୍ଧିତ ଖବର