ମୌସୁମୀର ପ୍ରଥମ ଛୁଆଁ : ଉନ୍ମାଦନା, ଯାତନା ବି…

ବିଏମ୍‌ସିର ମୌସୁମୀ ପ୍ରସ୍ତୁତି, ୩୭ଟି ସମ୍ବେଦନଶୀଳ ସ୍ଥାନରେ ପମ୍ପ୍ ଲଗାଇବାକୁ ଯୋଜନା

ଭୁବନେଶ୍ବର : ସାଧାରଣତଃ ଜୁନ୍‌ ୧୦ରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଥାଏ। ତେବେ ଏଥର ୧୧ ଦିନ ବିଳମ୍ବ ଅର୍ଥାତ୍‌ ଶୁକ୍ରବାର ମୌସୁମୀ ଓଡ଼ିଶାରେ ପହଞ୍ଚିବ ବୋଲି ଆକଳନ କରିଛି ଭା‌ରତୀୟ ପାଣିପାଗ ବିଭାଗ। ମୌସୁମୀ ସ୍ପର୍ଶ କରିବା ପୂର୍ବରୁ ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାରେ ଆରମ୍ଭ ହୋଇଛି ପ୍ରାକ୍‌ ମୌସୁମୀ ବର୍ଷା। ଆଜି ସକାଳେ ପାଗ କୋହଲା ରହିଥିଲା। ସନ୍ଧ୍ୟାରୁ ତୁହାକୁ ତୁହା ବର୍ଷା ହୋଇଥିଲା। ଦିନରେ ଦୁଇ ମିମି ବର୍ଷା ହୋଇଥିବା ବେଳେ ସନ୍ଧ୍ୟା ୭ଟାରୁ ରାତି ୧୨ଟା ମଧ୍ୟରେ ୨୫ ମିମିରୁ ଅଧିକ ବର୍ଷା ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି ଯେ ଆସନ୍ତା ୨୪ ଘଣ୍ଟା ଯାଏ କୋହଲା ପାଗ ଲାଗି ରହିବ। ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ତେବେ ପ୍ରାକ୍‌ ମୌସୁମୀ ବର୍ଷା ଯୋଗୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଆଉଟୁପାଉଟୁ ହେଉଥିବା ସହରବାସୀଙ୍କୁ ତାତିରୁ ନିସ୍ତାର ମିଳିଛି। ଲୋକେ ବର୍ଷାର ଭରପୂର ମଜା ଉଠାଇଛନ୍ତି। ହେଲେ ଏହା କିଛି ଲୋକଙ୍କ ପାଇଁ ଯନ୍ତ୍ରଣା ଆଣିଛି। ଲୋକଙ୍କୁ ଜଳବନ୍ଦୀର ଭୟ ଘାରିଛି। ବାତ୍ୟା ପରେ ଯେଉଁମାନଙ୍କ ଘର ଅସଜଡ଼ା ଥିଲା ସେମାନେ ଚିନ୍ତିତ ହୋଇ ପଡ଼ିଛନ୍ତି।

ଏଥର ଯେପରି କୌଣସି ସ୍ଥାନରେ ଜଳବନ୍ଦୀ ସମସ୍ୟା ନଉପୁଜେ ସେଥିପାଇଁ ବିଏମ୍‌ସି ପକ୍ଷରୁ ଜୋରଦାର୍‌ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜଧାନୀରେ ୬୭ଟି ୱାର୍ଡରେ ଥିବା ୩୭ଟି ସମ୍ବେଦନଶୀଳ ସ୍ଥାନ ଚିହ୍ନଟ କରିବା ସହ ସେଠାରେ ଜଳନିଷ୍କାସନ ପମ୍ପ୍ ମୁତୟନ କରାଯାଇଛି। ଏହାସହ ୧୦ଟି ଯାକ ମୁଖ୍ୟ ଡ୍ରେନ୍‌ ସଫେଇ କରାଯାଇଛି।

ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ଗତବର୍ଷ ଗୁଡ଼ିକର ଅଭିଜ୍ଞତାକୁ ଦେଖି ଏଥରର ମୌସୁମୀ ପ୍ରସ୍ତୁତି ହୋଇଛି। ବର୍ଷା ଜଳ ନିଷ୍କାସନ ପାଇଁ ଥିବା ୧୦ଟି ଯାକ ମୁଖ୍ୟ ଡ୍ରେନ୍‌ ସଫେଇ, ମରାମତି ଓ ନିର୍ମାଣ କାର୍ଯ୍ୟ ସରିଛି। ସହରର ବିଭିନ୍ନ ସଂଯୁକ୍ତ ଡ୍ରେନ୍‌ର ସଫେଇ ଓ ମରାମତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଖୁବ୍‌ ଶୀଘ୍ର ଏହା ଶେଷ ହେବ ବୋଲି ବିଏମ୍‌ସିର ଡ୍ରେନେଜ୍ ଡିଭିଜନ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ ଦୁରିଆ କହିଛନ୍ତି। ୩୭ଟି ଯାକ ସମ୍ବେଦନଶୀଳ ଅଞ୍ଚଳରେ ଯେପରି ତୁରନ୍ତ ପାଣି ନିଷ୍କାସନ ହୋଇପାରିବ ସେଥିପାଇଁ ୧୨ଟି ୫ଏଚ୍‌ପି ପମ୍ପ, ୬ଟି ୧୦ଏଚ୍‌ପି ପମ୍ପ୍ ବିଏମ୍‌ସିରୁ ନିୟୋଜିତ ହେବାକୁ ଥିବାବେଳେ ଅଗ୍ନିଶମ ବିଭାଗରୁ ୧୯ଟି ପମ୍ପ ଆଣିବାକୁ ବିଏମ୍‌ସି ଯୋଜନା କରିଛି।

ଏହିସବୁ ଅଞ୍ଚଳ ହେବ ଜଳବନ୍ଦୀ

ବିଏମ୍‌ସି ର ୬୭ଟି ୱାର୍ଡ ମଧ୍ୟରୁ ସମ୍ବେଦନଶୀଳ ଅଞ୍ଚଳ ଥିବା ଶିଖରଚଣ୍ଡୀ (ତ୍ରିନାଥ ନଗର), ରୁଦ୍ରପୁର (ଭୋଇସାହି), ମଙ୍ଗଳାମନ୍ଦିର, ଶାଶ୍ବତ ବିହାର/ଅମରାପଲ୍ଲୀ ଅଞ୍ଚଳ/ପଦ୍ମାବତୀ ବିହାର, ମହାବୀର ବସ୍ତି, ମେ’ ଫେୟାର (ଜ୍ୟୋତ୍ସା‌ ଆପାର୍ଟମେଣ୍ଟ/ ଘନଶ୍ୟାମ ଆପାର୍ଟମେଣ୍ଟ), ପବିତ୍ର ଗେଷ୍ଟ ହାଉସ୍, ଶ୍ରୀରାମ ସିଟି, ଖଣ୍ଡଗିରି ବାରି, ଇସ୍କନ ମନ୍ଦିର, ନୂଆପଲ୍ଲୀ ବେହେରା ସାହି (ତାରିଣୀ ମନ୍ଦିର), ରାଧାକୃଷ୍ଣ ନଗର, ନୂଆପଲ୍ଲୀ ଭୋଇ ସାହି, କ୍ରିଷ୍ଣା ଟାୱାର ପଛ (ଖିମ୍‌ଜି ଗଳି), ଜୟଦେବ ବିହାର (ଲେନ୍-୩), ବୈରାଗୀ ନଗର, ଝାରପଡ଼ା (ଶାନ୍ତି ନଗର), ଗାୟତ୍ରୀ ନଗର, ମାଳି ସାହି ଲେପ୍ରୋସି କଲୋନି, ଲକ୍ଷ୍ମୀ ସାଗର (ମଳିଅନ୍ତା ଟ୍ୟାଭ୍କ ପାଖ/ଚମ୍ପା ପୋଖରୀ), ପାଇକ ନଗର (ମୁଣ୍ଡା ସାହି), ପାଇକ ନଗର, ଶତାବ୍ଦୀ ନଗର, ରବୀନ୍ଦ୍ର ଗାର୍ଡେନ୍, ଗଡ଼ିଆ ଖାଲ/ଅଢେଇ ଖାଲ/ପାଣ୍ଡବ ନଗର, ସ୍ଲାବ୍ ଇଣ୍ଡଷ୍ଟ୍ରି (ଡ୍ରେନ୍ ପଛ), ଗୌରୀ ନଗର (ଲେନ୍-୧), ଗୌରୀ ଗାର୍ଡେନ୍, ଗ୍ୟାରେଜ୍ ଛକ (ଦୟା ୱେଷ୍ଟ କେନାଲ), ଶାରଦା ମଠ ଲେନ୍, କେଳୁ ଚରଣ ମହାପାତ୍ର ପାର୍କ (ଆଗ ଲେନ୍), ଚାରିଛକ ଭୀମଟାଙ୍ଗି (ଲେନ୍-୭), ଗୌରୀ ଶଙ୍କର ଇଂରାଜୀ ମାଧ୍ୟମିକ ସ୍କୁଲ, ମଲ୍ଲିକ କମ୍ପ୍ଲେକ୍ସ, ପଞ୍ଚଶଖା ନଗର, ଜଗମୋହନ ନଗର (ଗ୍ରିନ୍ ପାର୍କ ଅଞ୍ଚଳ) ଏବଂ ନରେନ୍ଦ୍ର ଗାର୍ଡେନ- ସିଦ୍ଧେଶ୍ବର ଗାର୍ଡେନ।

ସମ୍ବନ୍ଧିତ ଖବର