ରାଜଧାନୀରେ ୩୬ ଘଣ୍ଟାରେ ୧୪୧.୬ ମିମି ବର୍ଷା

ଭୁବନେଶ୍ବର : ମଙ୍ଗଳବାର ସକାଳୁ ବୁଧବାର ସଂଧ୍ୟା ୩୬ ଘଣ୍ଟା ମଧ୍ୟରେ ରାଜଧାନୀରେ ୧୪୧.୬ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଲଗାଣ ବର୍ଷା ହେବାରୁ ରାଜଧାନୀର ଅଧିକାଂଶ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି। ଏପରିକି ବର୍ଷା ଛାଡ଼ିବା ପରେ ବହୁ ଅଞ୍ଚଳରେ ଜଳ ନିଷ୍କାସନ ନ ହେବାରୁ ସ୍ଥିତି ସାଂଘାତିକ ହୋଇଥିଲ‌‌। ଆଜି ବମିଖା‌ଲ, ଚିନ୍ତାମଣିଶ୍ବର, ଜିଜିପି କଲୋନି, ଆ‌ଚାର୍ଯ୍ୟବିହାର, ଗୌରୀ ଗାର୍ଡେନ୍ ସମେତ ରାଜଧାନୀର ବହୁ ତଳିଆ ଅଞ୍ଚଳରେ ପାଣି ଜମି ରହିଥିଲା। ୧୦ଟି ସ୍ଥାନରେ ବିଏମ୍‌ସି ପକ୍ଷରୁ ପାଣି ପମ୍ପ ସହାୟତାରେ ବର୍ଷା ଜଳ ନିଷ୍କାସନ କରାଯିବା ପରେ ପରିସ୍ଥିତି କିଛିଟା ସ୍ବାଭାବିକ ହୋଇଥିଲା।

ବମିଖାଲରେ ଡ୍ରେନ୍ କରିବ ବିଏମ୍‌ସି
ଟିକିଏ ବଡ଼ ବର୍ଷା ହେଲେ ବମିଖାଲରୁ ଏସ୍‌ପ୍ଲାନେଡ୍‌ ମଲ୍‌ ମଧ୍ୟରେ (ବମିଖାଲ ଓଭରବ୍ରିଜ୍ ନିକଟରେ) ପାଣି ଜମି ଅବସ୍ଥା ଅସମ୍ଭାଳ ହୋଇପଡ଼ୁଛି। ପୂର୍ତ୍ତ ବିଭାଗ ଏହାର ସମାଧାନ କରିପାରିଲାନି। ଫଳରେ ଏଠାରେ ବିଏମ୍‌ସି ଡ୍ରେନ୍ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛି। ଏନେଇ ଖୁବ୍‌ ଶୀଘ୍ର କାମ ଆରମ୍ଭ କରିବାକୁ ବିଏମ୍‌ସି କମିସନର ଆଜି ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ରାଜଧାନୀର ଅନ୍ୟ ୩୭ଟି ସମ୍ବେଦନଶୀଳ ଅଞ୍ଚଳରେ ବିଏମ୍‌ସି ପକ୍ଷରୁ ଡ୍ରେନ୍ ନିର୍ମାଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର