ମଧ୍ୟାହ୍ନରେ ସିଝିଲେ, ସନ୍ଧ୍ୟା‌ରେ ଭିଜିଲେ

ଭୁବନେଶ୍ବର: କିଛି ଦିନ ହେବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଛଟପଟ ହେବା ପରେ ଆଜି ଭିଜିଛି ରାଜଧାନୀ। ମଧ୍ୟାହ୍ନରେ ଅସମ୍ଭାଳ ଖରା ବାହାରକୁ ବାହାର କରେଇ ଦେଇନଥିବା ବେଳେ ସନ୍ଧ୍ୟାରେ ଧୂଳି ଝଡ଼ ସହ ବର୍ଷା କିଛି ଘଣ୍ଟା ପାଇଁ ଯା’ଆସ ଠପ୍‌ କରି ଦେଇଥିଲା। ସନ୍ଧ୍ୟା ୬ଟା ପରେ ଧୀରେଧୀରେ ପବନ ବହିବା ସହ ଧୂଳ ଝଡ଼ ଆରମ୍ଭ ହୋଇଯାଇଥିଲା। ଏହା ପ୍ରଭାବରେ ବାଇକ୍‌ରେ ଯା’ଆସ କରୁଥିବା ଜନସାଧାରଣ ଘୋର ସମସ୍ୟା ଭୋଗିଥିଲେ। କିଛି ସମୟ ପରେ କାଳବୈଶାଖୀ ପ୍ରଭାବରେ ପବନ ସହ ବର୍ଷା ଅଜାଡ଼ିଥିଲା। ଆଭ୍ୟନ୍ତରୀଣ ରାଜଧାନୀ ଅପେକ୍ଷା ସହର ଉପକଣ୍ଠରେ ଘଣ୍ଟାଏରୁ ଅଧିକ ସମୟ ଧରି ବର୍ଷା କାଚିଥିଲା। ଏହା ପ୍ରଭାବରେ ରାଜଧାନୀରେ ୨ରୁ ୩ଘଣ୍ଟା କାଳ ବିଦ୍ୟୁତ୍‌ ସରବରାହ ବନ୍ଦ ହୋଇଯାଇଥିଲା। କିଛି ସ୍ଥାନରେ ବିଳମ୍ବିତ ରାତି ଯାଏଁ ଲାଇନ୍‌ ଆସିନଥିଲା। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ୱରରେ ଏହି ସମୟରେ ୨୦ ମିମି ବର୍ଷା ହୋଇଛି। ଚନ୍ଦକା, ମେଣ୍ଢାଶାଳ, ଯାଁଳା, ଛତାବର, ବାଳକାଟି, ପୂରଣ ପ୍ରଧାନ, ଝିଣ୍ଟିଶାସନ, ସରକଣା, ଉମାଦେଇ ବ୍ରହ୍ମପୁର, ସତ୍ୟଭାମାପୁର, ଶିଳ୍ପାଞ୍ଚଳ, ଭୋଟପଡ଼ା, ରଙ୍ଗମାଟିଆ, ଗାଡ଼କଣ, ରେଲୱେ କଲୋନିରେ ଜୋର୍‌ ବର୍ଷା ହେବା ସହ ବିଳମ୍ବିତ ରାତି ଯାଏଁ ଲାଇନ୍‌ ଆସିନଥିଲା। କିଛି ସ୍ଥାନରେ ଗଛ ଡାଳ ଭାଙ୍ଗି ଯାଇଥିବା ବେଳେ ଆଉ କିଛି ସ୍ଥାନରେ ବିଦ୍ୟୁତ ତାର ଛିଣ୍ଡି ପଡ଼ିଥିଲା। ମିଳିଥିବା ସୂଚନା ମୁତାବକ, ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ କୁଆପଥର ବର୍ଷା ହୋଇଥିଲା। ଏହା ପ୍ରଭାବରେ କିଛି କାର କାଚ ଚଡ଼କି ଯାଇଥିଲା। ଧୂଳି ଝଡ଼ ବେଳେ ଭିଏସ୍‌ଏସ୍‌ ନଗରରେ ଦୁଇ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପାଖାପାଖି ସାଢ଼େ ୯ଟା ବେଳକୁ ବର୍ଷା ଥମିଯାଇଥିଲେ ହେଁ ବିଦ୍ୟୁତ୍ ସରବରାହ ସ୍ୱାଭାବିକ ହୋଇ ପାରି ନଥିଲା।

ମାନ୍ଦା ପଡ଼ିଲା ଶେଷ ପ୍ରଚାର, ଉଡ଼ିଗଲା ଦଳୀୟ ପତାକା
ରାତି ୮ଟା ସୁଦ୍ଧା ପ୍ରଚାର ବନ୍ଦ କରିବାକୁ ଯଦିଓ ନିର୍ବାଚନ କମିସନ ନିର୍ଦେଶ ଦେଇଥିଲା କିନ୍ତୁ ଆଜି ସନ୍ଧ୍ୟାରେ ବର୍ଷା ନିର୍ଧାରିତ ସମୟ ଆଗରୁ ନିର୍ବାଚନ ପ୍ରଚାର ବନ୍ଦ ରଖିବାକୁ ବାଧ୍ୟ କରିଥିଲା। ଆଜି ବିଳମ୍ବିତ ରାତି ଯାଏଁ ଗାଡ଼ିରେ ପ୍ରଚାର କରିବାକୁ ଯୋଜନା ହୋଇଥିଲା, ମାତ୍ର ସବୁ ଫସର ଫାଟିଗଲା। ଶେଷ ପ୍ରଚାର ଥିଲେ ହେଁ ମାନ୍ଦା ପଡ଼ି ଯାଇଥିଲା। ଖାଲି ସେତିକି ନୁହେଁ, ଯେଉଁଠି ଦଳୀୟ ପତାକା ଝୁଲୁଥିଲା ଆଜି ତାକୁ ବି ବର୍ଷା ଧୋଇ ଚିରିଦେଲା। ନିର୍ବାଚନ କମିସନଙ୍କ କଟକଣା ଯୋଗୁଁ ଏଥର ଦଳୀୟ ଚିହ୍ନର ପତାକା ପ୍ଲାଷ୍ଟିକ୍‌ ପରିବ‌ର୍ତ୍ତେ କାଗଜରେ ହୋଇଥିଲା। ତେଣୁ ଘଣ୍ଟାଏ କାଳ ବର୍ଷା ଅଜାଡ଼ିବାରୁ ସେସବୁ ଧୋଇ ଯାଇଥିଲା।

ସମ୍ବନ୍ଧିତ ଖବର