ଭିଜିଲା ଶେଷ ରଜ

ଭୁବନେଶ୍ବର: ପହିଲି ରଜରେ ସହର ତତେଇଲା। ରଜ ସଂକ୍ରାନ୍ତି କିନ୍ତୁ ଭଲରେ ବିତିଥିଲା। ମାତ୍ର ଶେଷ ରଜ ଝିପିଝିପି ବର୍ଷାରେ ଭିଜିଥିଲା। ଝିପିଝିପି ବର୍ଷା ଲାଗି ରହିଥିବା ବେଳେ ଅପରାହ୍‌ଣରେ ବର୍ଷା ଛାଡ଼ିଥିଲା। ଏମିତି ବି ଭାରତ-ପାକିସ୍ତାନ ମ୍ୟାଚ୍‌ ଯୋଗୁ ଆଜି ଅନେକ ଘରୁ ବାହାରିବାର ନଥିଲା। ମାତ୍ର ଶେଷ ରଜରେ ବୁଲିବାକୁ ମନସ୍ଥ କରିଥିବା ଅନେକ ଝିଅମାନଙ୍କ ଯୋଜନା ଫସର ଫାଟିଯାଇଥିଲା।

ରାଜଧାନୀରେ ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ୫.୮ ମିଲିମିଟର ବର୍ଷା ହୋଇଥିବା ବେଳେ ସକାଳ ସାଢ଼େ ୮ରୁ ସନ୍ଧ୍ୟା ସାଢ଼େ ୫ଟା ମଧ୍ୟରେ ୧.୧ ମିଲିମିଟର ବର୍ଷା ହୋଇଥିଲା। ବର୍ଷା ବେଳେବେଳେ ଛାଡ଼ି ଯାଉଥିଲେ ହେଁ ଆକାଶ ମେଘାଛନ୍ନ ‌ଥିବାରୁ ଭରସି ଘରୁ ବାହାରି ହେଉନଥିଲା। ଏନେଇ ସହରରେ ଆୟୋଜିତ ଆଜିର ରଜ ଉତ୍ସବ ଫିକା ପଡ଼ିଥିଲା। ବିଶେଷକରି ପାତ୍ରପଡ଼ାସ୍ଥିତ ମହାରାଜା କ୍ରିକେଟ୍‌ ଆସୋସିଏସନ୍‌ ପଡ଼ିଆରେ ଦୋଳି ଖେଳ ପାଇଁ ବ୍ୟାପକ ବ୍ୟବସ୍ଥା ଥିଲେ ହେଁ ବର୍ଷା ଯୋଗୁ ଏଠାରେ ସମାଗମ ହୋଇନଥିଲା। ସେଇଭଳି ପାନ୍ଥ ନିବାସରେ ମଧ୍ୟ ଦୋଳି ଖେଳ ଜମିପାରିନଥିଲା।

ଖାଲି ସେତିକି ନୁହେଁ ରଜ ପାନ ଓ ପିଠା ବିକ୍ରି ପାଇଁ ଅଦିନିଆ ପସରା ମେଲାଇଥିବା ବ୍ୟବସାୟୀମାନଙ୍କୁ ମଧ୍ୟ ଆଜି ନିରାଶ ହେବାକୁ ପଡ଼ିଥିଲା। ଖାସ୍‌ ଏଇଥିପାଇଁ ପାନ୍ଥ ନିବାସରେ ପିଠା ବିକ୍ରିର ଅବଧିକୁ ଆଉ ଗୋଟେ ଦିନକୁ ସୋମବାର ପର୍ଯ୍ୟନ୍ତ ବଢ଼ାଯାଇଥିବା ପାନ୍ଥ ନିବାସ ପକ୍ଷରୁ ସୂଚନା ମିଳିଛି। ପର୍ଯ୍ୟଟନସ୍ଥଳୀରେ ଆଜି ବୁଲାବୁଲି କରିବା ସମ୍ଭବ ହୋଇନଥିଲା। ଶେଷ ରଜ ଥିବାରୁ ଛୁଟିଦିନରେ ବୁଲାବୁଲି ପାଇଁ ନନ୍ଦନକାନନଠୁ ନେଇ ଧଉଳି, ଖଣ୍ଡଗିରି, ଉଦୟଗିରିରେ ଆଜି ବ୍ୟାପକ ଭିଡ଼ ହେବ ବୋଲି ଆଶା କରାଯାଉଥିଲା। ମାତ୍ର ଆଶାନୁରୂପ ଭିଡ଼ ଦେଖିବାକୁ ମିଳିନଥିଲା। ତେବେ ଫିଲ୍ମ ହଲ୍‌ରେ ଭିଡ଼ କମ୍‌ ନଥିଲା। ସକାଳୁ ବିଳମ୍ବିତ ରାତିଯାଏଁ ମଲ୍‌ଟିପ୍ଲେକ୍ସ ଓ ସିନେମା ହଲ୍‌ରେ ସିନେମା ଦେଖିବା ପାଇଁ ଭିଡ଼ ଜମିଥିଲା।

ସମ୍ବନ୍ଧିତ ଖବର