ରାଜଧାନୀରୁ ବର୍ଷା ଗାଏବ, ୪ ମାସ ହେଲା ଅସରାଏ ବି ବର୍ଷିନି

ପାଣି ପାଇଁ ଜୀବଜନ୍ତୁ ଡହଳବିକଳ, ନଦୀ, ନାଳ, କୂଅ, ପୋଖରୀ ସବୁ ଶୁଖିଲା

ଭୁବନେଶ୍ବର : ଦିନେ କି ମାସେ ନୁହେଁ; ଦୀର୍ଘ ଚାରି ମାସ ହେଲା ରାଜଧାନୀରେ ଅସରାଏ ବି ବର୍ଷା ହୋଇନି। ପୋଖରୀ ନାଳ ସବୁ ଶୁଖିଲାଣି। ସହରରେ ଭୂତଳ ଜଳସ୍ତର ଧୀରେଧୀରେ ହ୍ରାସ ପାଇବାରେ ଲାଗିଛି। ସ୍ବଚ୍ଛ ପାଣି ପାଇବା ଜାଗାରେ ଲୋକଙ୍କ ପମ୍ପ୍‌ରୁ ପଙ୍କୁଆ ପାଣି ବାହାରୁଛି। ଜୀବଜନ୍ତୁ, ପଶୁପକ୍ଷୀ ବି ପାଣି ପାଇଁ ଡହଳବିକଳ ହେଲେଣି। ସହରକୁ ଲାଗି ରହିଥିବା ଚନ୍ଦକା-ଡମପଡ଼ା ଅଭୟାରଣ୍ୟର କେତେକ ସ୍ଥାନରେ ପାଣି ନ ପାଇ ଜୀବଜନ୍ତୁ ଗାଁ ମୁହାଁ ହେଉଥିବା ନଜରକୁ ଆସିଛି। ଏଭଳି ସ୍ଥିତିକୁ ନେଇ ପରିବେଶବିତ୍‌ମାନେ ଚିନ୍ତା ପ୍ରକଟ କରିଥିବା ବେଳେ ଆସନ୍ତା ୧୫ ଦିନ ଯାଏ ଭୁବନେଶ୍ବରରେ ବର୍ଷାର ସମ୍ଭାବନା ନ ଥିବା ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ମାର୍ଚ୍ଚ ମାସ ଅଧା ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ଦିନ ଗୋଟିଏ ମିଲିମିଟର ବର୍ଷା ବି ରେକର୍ଡ କରାଯାଇ ନାହିଁ। ଫେବ୍ରୁଆରି ମାସରେ ବି ସମାନ ସ୍ଥିତି ଥିଲା। ଶେଷଥର ଲାଗି ଜାନୁଆରି ୩୦ ଓ ୩୧ ତାରିଖରେ ହାଲୁକା ବର୍ଷା ହୋଇଥିଲା। ଗତ ୧୦ ବର୍ଷର ତଥ୍ୟକୁ ଦେଖିଲେ ୨୦୧୪ ମାର୍ଚ୍ଚ ମାସରେ ସର୍ବାଧିକ ୬୬.୮ ମିମି ବର୍ଷା ହୋଇଥିଲା। ୨୦୨୦ରେ ୫୮.୯ ମିମି, ୨୦୧୯ରେ ୩.୬ ମିମି, ୨୦୧୮ରେ ୦.୨ମିମି, ୨୦୧୭ରେ ୧୭.୬ମିମି, ୨୦୧୬ରେ ୧.୫ମିମି, ୨୦୧୫ରେ ୨୫.୧ ମିମି, ୨୦୧୧ରେ ୨.୪ମିମି ଏବଂ ୨୦୧୨ ଓ ୨୦୧୩ରେ ମାର୍ଚ୍ଚ ମାସରେ ହାଲୁକା ବର୍ଷା ରେକର୍ଡ କରାଯାଇଥିଲା। ସାଧାରଣତଃ ମାର୍ଚ୍ଚ ମାସରେ କାଳବୈଶାଖୀ ବର୍ଷା ଆରମ୍ଭ ହୋଇଯାଏ। ମାତ୍ର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଏପ୍ରିଲ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଭୁବନେଶ୍ବରରେ ସେଭଳି ବର୍ଷା ହେବାର ସମ୍ଭାବନା ନାହିଁ। ୨୦ରୁ ୨୨ ତାରିଖ ମଧ୍ୟରେ ସହରରେ କୋହଲା ପାଗ ସାଙ୍ଗକୁ ହାଲୁକା ବର୍ଷା ହୋଇପାରେ। ତେବେ ସମ୍ଭାବନା କମ୍‌।

The Indian Express

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ସହରୀକରଣ ଲାଗି ଏଭଳି ସମସ୍ୟା ସୃଷ୍ଟି ହୋଇଛି। ଡିସେମ୍ବରରୁ ମାର୍ଚ୍ଚ ମାସ ମଧ୍ୟରେ ସାଧାରଣତଃ ଦୁଇ ପ୍ରକାର ଯଥା ଶୀତ ଦିନିଆ ଓ ଖରା ଦିନିଆ ବର୍ଷା ହୋଇଥାଏ। ଡିସେମ୍ବର ଶେଷ ସପ୍ତାହରୁ ଜାନୁଆରି ୧୦ ମଧ୍ୟରେ ବର୍ଷା ପରିମାଣ ଅଧିକ ରହିଥାଏ ଏବଂ ମାର୍ଚ୍ଚ ମାସଠାରୁ କାଳବୈଶାଖୀ ଜନିତ ବର୍ଷା ହୁଏ। ତାପମାତ୍ରା ବଢ଼ିବା ସହ ସାମୁଦ୍ରିକ ପବନ ଆସିଲେ ବର୍ଷା ହେବାର ସମ୍ଭାବନା ଅଧିକ ରହେ। ଏଥର ସେମିତି ଦେଖିବାକୁ ମିଳୁନି। ମାଟି ଏବେ ଶୁଖିଲା ପଡ଼ିଛି। ସ୍ଥାନୀୟ ଆର୍ଦ୍ରତା‌ ଉପରକୁ ଯାଇପାରୁ ନାହିଁ। ପ୍ରାକୃତିକ ଜଳାଶୟ ବି କମିଗଲାଣି। ଆଗକୁ ସହରର ତାପମାତ୍ରା ଆହୁରି ବଢ଼ିବ। ୨୧ ଓ ୨୨ ତାରିଖ ବେଳକୁ ୪୦ ଡିଗ୍ରି ଓ ୨୫ ତାରିଖରେ ୪୧ ଡିଗ୍ରି ଟପିଯିବାର ସମ୍ଭାବନା ରହିଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସଙ୍କ କହିବାନୁଯାୟୀ ନଭେମ୍ବରରୁ ଏ ପର୍ଯ୍ୟନ୍ତ ‌ରାଜଧାନୀରେ ସେଭଳି ବର୍ଷା ହୋଇନାହିଁ। ବର୍ତମାନ ମାର୍ଚ୍ଚ ମାସ ଚାଲିଥିବାରୁ ଦିନରେ ଗୁଳୁଗୁଳି ସହ ଅପରାହ୍‌ଣରେ କାଳବୈଶାଖୀ ବର୍ଷା ହେବା କଥା। ‌ତେବେ ରାଜଧାନୀରେ ସେଭଳି କିଛି ହୋଇନି। ଆସନ୍ତା କିଛି ଦିନ ମଧ୍ୟ‌ରେ ବଡ଼ ଧରଣରର ବର୍ଷା ହେବାର ସମ୍ଭାବନା ନାହିଁ। କାଁ ଭାଁ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।

ପରିବେଶବିତ୍‌ଙ୍କ ମତରେ ଏଥର ଭୁବନେଶ୍ବର ଜଳବାୟୁରେ ବ୍ୟାପକ ପରିବର୍ତନ ଦେଖିବାକୁ ମିଳିଛି। ଖରା ଆରମ୍ଭରୁ ଜଳାଶୟରେ ପାଣି ନ ଥିବା ବେଳେ ନଦୀ ବି ଶୁଖିଲା ପଡ଼ିଛି। ଯୁଆଡ଼େ ଚାହିଁଲେ କେବଳ କଂ‌କ୍ରିଟ୍‌। ତେଣୁ ଜଳକଣା ଉପରକୁ ଯାଇପାରୁ ନାହିଁ କି ବର୍ଷା ହେଉନି। ଜଙ୍ଗଲରେ ଥିବା ଜଳାଶୟଗୁଡ଼ିକ ଶୁଖିଲା ପଡ଼ିଥିବାରୁ ଜୀବଜନ୍ତୁ ପାଣି ପାଇଁ ଡହଳବିକଳ ହେଉଥିବା ନଜରକୁ ଆସିଲାଣି। ବର୍ଷା ନ ଥିବାରୁ ଜଙ୍ଗଲରେ ନିଆଁ ଲାଗିବା ଘଟଣା ବି ବଢ଼ିଚାଲିଛି। ଯଦି ଆସନ୍ତା ମାସକ ଭିତରେ ବର୍ଷା ନ ହୁଏ ତେବେ ଆଗକୁ ସ୍ଥିତି ଭୟଙ୍କର ହେବ। ତାତି ଅସହ୍ୟ ହେବା ସାଙ୍ଗକୁ ଜଳ ସଂକଟ ଉତ୍କଟ ରୂପ ଧାରଣ କରିବ।

ସମ୍ବନ୍ଧିତ ଖବର