ଭୁବନେଶ୍ୱର: ଆସନ୍ତା ମୌସୁମୀ ବର୍ଷାରେ ସହରକୁ ଜଳବନ୍ଦୀ ମୁକ୍ତ କରିବା ପାଇଁ ୭ ଦିନ ମଧ୍ୟରେ ଥିବା ସମସ୍ତ ମୁଖ୍ୟ ଡ୍ରେନ ସହ ଶାଖା ଡ୍ରେନ୍ଗୁଡିକ ସଫା କରିବାକୁ ଏଜେନ୍ସିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମେୟର ସୁଲୋଚନା ଦାସ। ଆଜି ବିଏମ୍ସିରେ ଡ୍ରେନେଜ୍ ବ୍ୟବସ୍ଥାର ସମୀକ୍ଷା କରିବା ଅବସରରେ ସେ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏଜେନ୍ସିମାନେ ସଫା କରୁଛନ୍ତି ନା ମିଛ କହୁଛନ୍ତି ଜଗିବା ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି। ଆସନ୍ତାକାଲି ଠାରୁ କେଉଁ ୱାର୍ଡରେ କେତେ କିଲୋମିଟର ଡ୍ରେନ ସଫା ହୋଇଛି, କେତେ ବାକି ଅଛି ତାହା ମାପଚୁପ ହେବ। କର୍ପୋରେଟର, ସଂପୃକ୍ତ ସଫେଇ ଏଜେନ୍ସି ଓ ସାନିଟାରି ଇନ୍ସପେକ୍ଟର ମିଳିତ ଭାବେ ଏହି ମାପ କରିବେ। ଯଦି ସଫା ନ ହୋଇ ଏଜେନ୍ସି ମିଛ କହୁଥିବେ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ।
ପୂର୍ବରୁ ଏହି ବ୍ୟବସ୍ଥାର ସମୀକ୍ଷା କଲା ବେଳେ କମିସନର ବିଜୟ ଅମୃତା କୁଲାଙ୍ଗେ ଏହି ଡ୍ରେନ୍ ସଫା ଅନୁଧ୍ୟାନ କରିବାକୁ ଡ୍ରୋନ୍ ବ୍ୟବହାର ଘୋଷଣା କରିଥିଲେ। ସେ ବୈଠକରେ ମେୟର ନଥିଲେ। ଆଜି କର୍ପୋରେଟର, ଏଜେନ୍ସି ଓ ପରିମଳ କର୍ମଚାରୀଙ୍କୁ ଧରି ଏହି ମାପ କରିବାକୁ ମେୟର ନିଷ୍ପତ୍ତି ନେଇଛନ୍ତି। ଏହି ବୈଠକକୁ କମିସନର ଆସିନାହାନ୍ତି।
ମୁକୁଳା ଡ୍ରେନ୍ରେ ହେବ ବ୍ୟାରିକେଡ୍
କେତେ ସଫା ହେଲା ମପା ହେବ, କୁଆଡ଼େ ଗଲା ଡ୍ରୋନ୍?
ଏଜେନ୍ସିଙ୍କ କହିବା ଅନୁସାରେ କେତେକ ୱାର୍ଡରେ ଶତପ୍ରତିଶତ ଡ୍ରେନ ସଫା ହୋଇସାରିଥିବା ବେଳେ କେତେକ ୱାର୍ଡରେ ୯୦ ଓ ଆଉ କେତେକ ୱାର୍ଡରେ ୬୦ରୁ ୮୦ ପ୍ରତିଶତ ଡ୍ରେନ ସଫା ହୋଇଛି। ମେୟରଙ୍କ ନିର୍ଦ୍ଦେଶ ମୁତାବକ ୭ ଦିନ ମଧ୍ୟରେ ଏଜେନ୍ସିଗୁଡିକ ଡ୍ରେନ୍ ସଫା କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ବିଏମ୍ସି ଅଂଚଳରେ ୭୭ କିଲୋମିଟର ଲମ୍ବାର ୧୦ଟି ମୁଖ୍ୟ ଡ୍ରେନ୍ ଓ ବିଭିନ୍ନ ୱାର୍ଡରେ ପ୍ରାୟ ୯୨୫ କିଲୋମିଟର ଲମ୍ବାର ଶାଖା ଡ୍ରେନ ରହିଛି। ୭ ଦିନ ମଧ୍ୟରେ ଏ ସବୁ ଶତପ୍ରତିଶତ ସଫା ନ ହେଲେ ସଂପୃକ୍ତ ଏଜେନ୍ସି ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ସେହିଭଳି ମୁକୁଳା ଡ୍ରେନ୍ ପାର୍ଶ୍ବରେ ବ୍ୟାରିକେଡ୍ ନିର୍ମାଣ କରିବାକୁ କୁହାଯାଇଛି। ରଥଯାତ୍ରା ସମୟରେ ପରିମଳ ବ୍ୟବସ୍ଥା ସୁଧାରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏନ୍ଏଚ୍ଏଆଇ ଓ ବିଏମ୍ସି ଡ୍ରେନ୍ ସଫା ପାଇଁ ତତ୍ପର ଥିବା ବେଳ ପୁର୍ତ୍ତ ବିଭାଗ ବିଳମ୍ବ କରୁଛି। ବିଏମ୍ସି ଡ୍ରେନ ସଫେଇ କାର୍ଯ୍ୟରେ ପୁର୍ତ୍ତ ବିଭାଗକୁ ସହଯୋଗେ କରିବ ବୋଲି ନିଷ୍ପତ୍ତି ହୋଇଛି। ବୈଠକରେ ଡେପୁଟି ମେୟର ମଞ୍ଜୁଲତା କହଁର, ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ ଓ ଶୁଭେନ୍ଦୁ କୁମାର ସାହୁଙ୍କ ସମେତ ସମସ୍ତ କର୍ପୋରେଟର ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା।