ପ୍ରିୟଙ୍କା ରାୟ
ଭୁବନେଶ୍ୱର: ସବୁ ପର୍ବପର୍ବାଣୀରେ ଓଡ଼ିଆ ଘରେ ମିଠାକୁ ପ୍ରାଧାନ୍ୟ ଦିଆହୁଏ। ଆମର ଲୋକପ୍ରିୟ ମିଠାଗୁଡ଼ିକ ଭିତରୁ ମାଲପୁଆ ନିଶ୍ଚିତ ଭାବେ ଅନ୍ୟତମ। ଖୁବ୍ ମିଠା, ପୁଣି ମିଠାରସରେ ଲତପତ ମାଲପୁଆର ରୂପ ହିଁ ମିଠାପ୍ରିୟ ଲୋକଙ୍କର ପାଟିରୁ ଲାଳ ବାହାର କରିବାଲାଗି ଯଥେଷ୍ଟ। ତେବେ ଭୁବନେଶ୍ବରର ମାର୍କେଟ ବିଲ୍ଡିଂରେ ମିଳୁଥିବା ଭାଇନାଙ୍କର ସ୍ବତନ୍ତ୍ର ମାଲପୁଆର ଅନେକ ଦିୱାନା ଅଛନ୍ତି। ସେ ମାଲପୁଆର ନିଆରାପଣଟି ହେଉଛି ୟା’କୁ ଖିଆଯାଏ ଆଳୁକଷା ସହିତ। ଏମିତି ଦେଖିଲେ ମିଠାରସରେ ଜୁଡୁବୁଡୁ ମାଲପୁଆ ସହିତ ମସଲାଦାର ଆଳୁକଷା ଗୋଟେ ବିଚିତ୍ର ଓ ଅଦ୍ଭୁତ ସଂଯୋଗ ଭଳି ମନେହୁଏ। କିନ୍ତୁ ଏଇ ମାଲପୁଆ-ଆଳୁକଷା ଖାଇବାଲାଗି ସେଠାରେ ପ୍ରତିଦିନ ବେଶ୍‌ ଭିଡ଼ ଜମେ। ଯଦିଓ ମାର୍କେଟ ବିଲଡିଂରେ ଗୁପଚୁପ, ଚାଓମିନ, ଚାଟ୍‌, ଫ୍ରୁଟ୍‌ ସାଲାଡ଼ ଆଦି ବହୁଳ ଭାବରେ ବିକ୍ରିହୁଏ, କିନ୍ତୁ ଭାଇନାଙ୍କ ମାଲପୁଆ-ଆଳୁକଷାର ମଜା ଅଲଗା ବୋଲି ଚିହ୍ନରା ଗ୍ରାହକଙ୍କ ସମେତ ଆଖପାଖର ବ୍ୟବସାୟୀମାନେ ମଧ୍ୟ ମତ ଦିଅନ୍ତି।

Advertisment

ପଠନେ ଅର୍ଦ୍ଧଭୋଜନ

ଭାଇନାଙ୍କର ପୂରା ନାଁ ରାଜକିଶୋର ଚୌଧୁରୀ (୪୦)। ଘର ଟଙ୍କପାଣି ରୋଡ୍‌ରେ। ତାଙ୍କୁ ଅଧିକାଂଶ ‘ଭାଇନା’ ଭାବେ ଜାଣିଥିବାବେଳେ କେହିକେହି ‘ରାଜକିଶୋର’ ତ କେହି ‘ରାଜୁ’ ଓ ପୁଣି କେହି ‘କିଶୋର ଭାଇନା’ ସମ୍ବୋଧନ କରନ୍ତି। ଭାଇନାଙ୍କ ଦୋକାନରେ ମାତ୍ର ୩୦ ଟଙ୍କାରେ ଗୋଟିଏ ପ୍ଲେଟ୍‌ରେ ୨ଟି ମାଲପୁଆ ସହିତ ଆଳୁକଷା ମିଳେ। ୟା’କୁ ଥରେ ଖାଇଲେ, ସବୁବେଳେ ସେଠାକୁ ଯିବାଲାଗି ମନ ଡାକେ। ତାଙ୍କର ନିୟମିତ ଗ୍ରାହକମାନଙ୍କ ମତରେ, ତେଲ, ମଇଦା, ଆଳୁ, ପିଆଜର ଦର ଯେତେ ବଢ଼ିଲେ ବି ଭାଇଙ୍କ ଖାଇବାର ସ୍ୱାଦ କମେନି। ୨୦ ବର୍ଷ ହେଲାଣି ସେ ଏହି ବେପାର କରି ଆସିଲେଣି। ସେ ବରା, ପିଆଜି, ଆଳୁଚପ୍‌ ଆଦି ମଧ୍ୟ ବିକ୍ରି କରନ୍ତି, କିନ୍ତୁ ତାଙ୍କର ବଡ଼ ପରିଚୟ ଏଇ ମାଲପୁଆ-ଆଳୁକ‌ଷା ପାଇଁ।
କଥା‌ ଭିତରେ ଭାଇନା କହି‌ଲେ, ‘‘ଅନ୍ୟଆଡ଼େ ବେପାର କରିବାଲାଗି ଅନେକ ଲୋକ ପ୍ରସ୍ତାବ ଦେଉଛନ୍ତି। କିନ୍ତୁ ଏଠି ଏତେ ଭଲ ବେପାର ହେଉଛି ଓ ଲୋକ ଏତେ ଭଲ ପାଉଛନ୍ତି ଯେ ଏ ଜାଗା ଛାଡ଼ି ଯାଇପାରୁନି...।’’

ଭାଇନାଙ୍କ ବିଷୟରେ ମାର୍କେଟ ବିଲ୍ଡିଂର ଜଣେ ବ୍ୟବସାୟୀ ହରି ସାହୁ ମତ ଦିଅନ୍ତି, ଭାଇନାଙ୍କ ଖାଇବା ଯେମିତି ସ୍ୱାଦିଷ୍ଟ, ତାଙ୍କ ବ୍ୟବହାର ମଧ୍ୟ ସେତିକି ମିଠା। ଭିଡ଼ ଯେତେ ବି ହୋଇଥାଉ, ଭାଇନା ମନଖୋଲା ହସିହସି ଖାଇବା ପରିବେଷଣ କରନ୍ତି। ତେଣୁ ତାଙ୍କ ପାଖରେ ଭିଡ଼ ଜମେ।’’