ଖଣ୍ଡଗିରି: ବର୍ଷା ଋତୁ ସରିଗଲା। ଏଥିସହିତ ବିଡିଏ ଓ ବିଏମ୍ସି ପକ୍ଷରୁ ଚାଲିଥିବା ଚଳିତ ବର୍ଷର ଡ୍ରେନ୍ରୁ ଜବରଦଖଲ ଉଚ୍ଛେଦ ଅଭିଯାନ ବି ସରିଗଲା। ମାତ୍ର କେତୋଟି ହାତଗଣତି ଡ୍ରେନ୍କୁ ଜବରଦଖଲମୁକ୍ତ କରିବା ପରେ ବିଡିଏ ଓ ବିଏମ୍ସି ହାତବାନ୍ଧି ବସିଗଲେ। ଫଳରେ ଆସନ୍ତା ବର୍ଷକୁ ପୁଣି ରାଜଧାନୀର ବହୁ ଅଞ୍ଚଳ କୃତ୍ରିମ ବନ୍ୟାରେ ଉବୁଟୁବୁ ହେବ ବୋଲି ସମ୍ପୃକ୍ତ ଅଞ୍ଚଳର ଲୋକେ ଅଭିଯୋଗ କରିଛନ୍ତି। ଏମିତି ଅଭିଯୋଗ ଆସିଛି ବରମୁଣ୍ଡା ଅଞ୍ଚଳରୁ। ୮ ନମ୍ବର ଡ୍ରେନ୍ରୁ ଜବରଦଖଲ ଉଚ୍ଛେଦ ହୋଇ ନଥିବାରୁ ସ୍ଥାନୀୟ ଲୋକେ ଏଭଳି ଅଭିଯୋଗ କରୁଛନ୍ତି। ବରମୁଣ୍ଡା ଅଞ୍ଚଳର ଦୁଃଖଭାବେ ପରିଚିତି ଲାଭ କରିଥିବା ୮ ନମ୍ବର ଡ୍ରେନ୍କୁ ଜବରଦଖଲମୁକ୍ତ କରିବା ପାଇଁ ଦୀର୍ଘ ବର୍ଷ ହେଲା ଦାବି ହୋଇ ଆସୁଛି। ସିଆର୍ପିଫ୍ ଅଞ୍ଚଳରୁ ପାଇକନଗର ଓ ବରମୁଣ୍ଡା ଦେଇ ଯାଇଥିବା ଏହି ଡ୍ରେନ୍ର ଓସାର ୫ ମିଟର। ମାତ୍ର ବରମୁଣ୍ଡାଠାରେ କିଛି ପ୍ରଭାବଶାଳୀ ବ୍ୟକ୍ତି ଏହାକୁ ଜବରଦଖଲ କରିବା ଫଳରେ ଏହା ସଂକୁଚିତ ହୋଇଯାଇଛି। କିଛି ସ୍ଥାନରେ ଏହାର ଓସାର ମାତ୍ର ଦୁଇ କିମ୍ବା ଅଢ଼େଇ ଫୁଟ୍ ହୋଇଯାଇଛି। ତେଣୁ ଅଧିକ ବର୍ଷା ହେଲେ ବର୍ଷାଜଳ ନିଷ୍କାସନ ହୋଇପାରୁନାହିଁ ଓ ଏଥିପାଇଁ ବରମୁଣ୍ଡା, ମଲ୍ଲିକ କମ୍ପ୍ଲେକ୍ସ, ସୌଭାଗ୍ୟନଗର ଆଦି ଅଞ୍ଚଳରେ ସୃଷ୍ଟି ହେଉଛି କୃତ୍ରିମ ବନ୍ୟା। ମଲ୍ଲିକ କମ୍ପ୍ଲେକ୍ସର ଘରେ ଘରେ ପାଣି ପଶି ଯାଉଛି। ଲୋକେ ଜଳବନ୍ଦୀ ହୋଇ ରହୁଛନ୍ତି। ପୁଣି ପରିସ୍ଥିତି ଏମିତି ହେଉଛି ଯେ ଜାଗମରା-ବରମୁଣ୍ଡା ନୂଆ ସଡ଼କ ଉପରେ ଆଣ୍ଠୁଏ ଉଚ୍ଚରେ ପାଣି ବହୁଛି। ରାସ୍ତା ବୁଡ଼ି ରହୁଥିବାରୁ ଯାତାୟାତ ଠପ୍ ହୋଇ ଯାଉଛି। ତେଣୁ ବରମୁଣ୍ଡାର ଏହି ୮ ନମ୍ବର ଡ୍ରେନ୍କୁ ଜବରଦଖଲରୁ ମୁକୁଳାଇବା ପାଇଁ ସ୍ଥାନୀୟ ଲୋକେ ଦାବି କରି ଆସୁଥିଲେ। ଚଳିତ ବର୍ଷ ମଧ୍ୟ ବିଏମ୍ସି ଓ ବିଡିଏ ପକ୍ଷରୁ ନୂଆପଲ୍ଲୀ ଅଞ୍ଚଳରେ ଡ୍ରେନ୍ ମୁକ୍ତି ଅଭିଯାନ ଜୋର୍ ଧରିଥିଲା ଓ ବ୍ୟାପକଭାବେ ବିଡିଏ ବିଏମ୍ସି ଡ୍ରେନ୍ ଉପରୁ ଜବରଦଖଲ ଉଚ୍ଛେଦ କରିଥିଲେ। ଏହା ପରେ ବରମୁଣ୍ଡା ୮ ନମ୍ବର ଡ୍ରେନ୍ରୁ ଜବରଦଖଲ ହଟିବାକୁ ପଦକ୍ଷେପ ନିଆଯିବ ବୋଲି ବିଡିଏ ଓ ବିଏମ୍ସି ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ପ୍ରତଶ୍ରୁତି ଦିଆଯାଇଥିଲା। ମାତ୍ର ଏବେ ଏହି ଅଭିଯାନରେ ପୂର୍ଣଚ୍ଛେଦ ପଡ଼ି ଯାଇଛି ବୋଲି ଅଭିଯୋଗ ହେଉଛି। ବର୍ଷା ସରିବା ସହ ବିଏମ୍ସି ଓ ବିଡିଏ ମୁଣ୍ଡରୁ ବୋଝ ଓହ୍ଲାଇ ଯାଇଛି ବୋଲି ଲୋକେ କଟାକ୍ଷ କରିଛନ୍ତି। ମାତ୍ର ବିଡିଏର ଅଧିକାରୀମାନଙ୍କ ସୂଚନାନୁସାରେ ଡ୍ରେନ୍ରୁ ଜବରଦଖଲ ଉଚ୍ଛେଦ ଏକ ଲମ୍ବା ଓ ନିରବଚ୍ଛିନ୍ନ ପ୍ରକ୍ରିୟା। ଆସନ୍ତା ବର୍ଷ ବର୍ଷା ଋତୁ ପୂର୍ବରୁ ଏହି କାମ ଶେଷ କରିବାକୁ ପ୍ରସ୍ତୁତି ଚାଲିଛି। ମୁଖ୍ୟତଃ ସର୍ଭେ କାମ ସରି ନଥିବାରୁ ଏହି ପ୍ରକ୍ରିୟାକୁ ସାମୟିକଭାବେ ସ୍ଥଗିତ ରଖାଯାଇଛି। ପ୍ରାୟ ୮୦ ଶତକଡ଼ା ସର୍ଭେ କାମ ସରିଗଲାଣି। ଏଥିସହିତ କିଛି କୋର୍ଟ ଓ ମାନବାଧିକାର ମାମଲା ମଧ୍ୟ ଏହି ପ୍ରକ୍ରିୟାରେ ବାଧକ ସାଜିଛି। ତେଣୁ ଏଣିକି ପୂରା ସର୍ଭେ ସରିବା ପରେ ଡ୍ରେନ୍ଗୁଡ଼ିକ ଉପରୁ ଜବରଦଖଲ ହଟାଯିବ।
ବର୍ଷା ସରିଲା, ଡ୍ରେନ୍ରୁ ହଟିଲାନି ଜରବଦଖଲ
/sambad/media/post_attachments/wp-content/uploads/2018/11/m15.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)