ସାମାନ୍ୟ ବର୍ଷାରେ ଉଛୁଳିଲା ଡ୍ରେନ ପାଣି, ‘ୟାସ୍‌’ ଖୋଲିଦେଲା ବିଏମ୍‌ସିର ମୁଖା

ଖଣ୍ଡଗିରି : ବାତ୍ୟା ‘ୟାସ୍‌’ ପୂର୍ବରୁ ରାଜଧାନୀର ବିଭିନ୍ନ ସ୍ଥାନରେ ବିଏମସି ପକ୍ଷରୁ ଡ୍ରେନ ସଫେଇ କରାଯାଇଥିବା କୁହାଯାଇଥିଲା। ମାତ୍ର ଆଶଙ୍କା ଅନୁସାରେ, ବର୍ଷା ନହୋଇ ମଧ୍ୟ ଖଣ୍ଡଗିରି ସମେତ ବିଭିନ୍ନ ସ୍ଥାନରେ ରାସ୍ତାରେ ଡ୍ରେନ ପାଣି ଉଛୁଳିଛି। ଏଥିଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏବେ ଯଦି ଏମିତି ତେବେ ବର୍ଷାରେ ସ୍ଥିତି କ’ଣ ହେବ ଏହାକୁ ନେଇ ଆଶଙ୍କାରେ ସ୍ଥାନୀୟ ଅଧିବାସୀ।

ଦୁଇ ଦିନର ସାମାନ୍ୟ ବର୍ଷାରେ ଖଣ୍ଡଗିରି ନୂଆ ଓଭର ବ୍ରିଜ ତଳ ସର୍ଭିସ୍ ରୋଡ ପାଖ ଡ୍ରେନ ଠାରୁ ଆଇଗିଣିଆ ପର୍ଯ୍ୟନ୍ତ ସବୁଠି ପାଣି ଭର୍ତ୍ତି ହୋଇ ରାସ୍ତାରେ ଭାସୁଛି। ଡୁମୁଡୁମା ଫେଜ୍ ୪, ଆଇଗିଣିଆ ରାସ୍ତା, କଳିଙ୍ଗ ବିହାର ରାସ୍ତା ଏବେ ମରଣଯନ୍ତା ହୋଇ ପଡ଼ିଛି। ଏ ନେଇ ଅସନ୍ତୋଷ ପ୍ରକାଶ କରି ଖଣ୍ଡଗିରି ଅଧିବାସୀ ପ୍ରତାପ ଜେନା କୁହନ୍ତି, ଡ୍ରେନ ସମସ୍ୟା ଅନେକ ଦିନର। ସବୁ ନେତା ମନ୍ତ୍ରୀଙ୍କୁ ଡ୍ରେନ ସଫା ନେଇ ଅନେକ ଥର ଆବେଦନ କରାଯାଇଛି। ଏଥିସଂକ୍ରାନ୍ତରେ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ସଫେଇ ପ୍ରତି ଦୃଷ୍ଟି ଦିଆଯାଇ ନାହିଁ। ଓଭର ବ୍ରିଜ କାମ ସରିବା ପରେ ବର୍ଷା ଟିକିଏରେ ଘର, ଦୋକାନରେ ପାଣି ପଶିବା ନିଶ୍ଚିତ।

ସମ୍ବନ୍ଧିତ ଖବର