ଭୁବନେଶ୍ବର : ରାଜଧାନୀରେ ପ୍ରତିବର୍ଷ ଦେଖାଯାଉଥିବା ସହରାଞ୍ଚଳ କୃତ୍ରିମ ବନ୍ୟା ବିଏମ୍ସି ଓ ବିଡିଏର ନିଦ ହଜାଇ ଦେଲାଣି। ସ୍ମାର୍ଟ ସିଟିର ଆଖ୍ୟା ପାଇଥିବା ଭୁବନେଶ୍ବରର ଭିତ୍ତିଭୂମି ଯେତେ ବଢ଼ିଲେ ବି ଅସରାଏ ବଡ଼ ବର୍ଷା ସବୁକୁ ଉଜାଡ଼ି ଦେଉଛି। ଲୋକମାନେ ଘଣ୍ଟାଘଣ୍ଟା ଧରି ଜଳବନ୍ଦୀ ହୋଇଯାଉଛନ୍ତି। ବହୁ ପରିଶ୍ରମ କରି ବିଏମ୍ସି ଓ ବିଡିଏ ଯେତେ କାମ କଲେ ବି ବର୍ଷା ବିତ୍ପାତ ସବୁ ଉପରେ କଳାଦାଗ ଲଗାଇ ଦେଉଛି।
ରାଜଧାନୀର ଜଳବନ୍ଦୀ ସମସ୍ୟାର ମୁକାବିଲା ପାଇଁ ବିଏମ୍ସି ଓ ବିଡିଏ ପକ୍ଷରୁ କଠୋର ପଦକ୍ଷେପ ନିଆଯାଇଛି। ପ୍ରତ୍ୟେକ ସରକାରୀ ଓ ବେସରକାରୀ କୋଠାରେ ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା କରିବାକୁ କୁହାଯାଇଛି। ଏଥିପାଇଁ ୬ମାସର ମହଲତ ଦିଆଯାଇଛି। ଜୁନ୍ ୧୨, ୨୦୨୦ ମଧ୍ୟରେ ରାଜଧାନୀର ସମସ୍ତ ସରକାରୀ କୋଠା, ବେସରକାରୀ ଘର, ଆପାର୍ଟମେଣ୍ଟ, ପାର୍କ, ଖେଳ ପଡ଼ିଆ, ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟରେ ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି। କାହା ଘରର କି କୌଣସି ଅନୁଷ୍ଠାନର ବର୍ଷା ପାଣି ରାସ୍ତାକୁ ଆସିବନି। ସେମାନେ ସେମାନଙ୍କ କ୍ୟାମ୍ପସରେ ବର୍ଷା ଜଳକୁ ମାଟି ତଳକୁ ଛାଡ଼ିବେ। କେବଳ ରାସ୍ତା ପାଣି ରାସ୍ତାରେ ଥିବା ଡ୍ରେନ୍ରେ ଯିବ।
ବିଡିଏ (ପ୍ଲାନିଂ ଏବଂ ବିଲଡିଂ ଷ୍ଟାଣ୍ଡାର୍ଡସ) ନିୟମ ଏବଂ ଓଡ଼ିଶା ମହାନିଗର ନିଗମ ଆଇନ୍, ୨୦୦୩ର ଧାରା ୩୦୨ ଅନୁଯାୟୀ ବିଡିଏ ଓ ବିଏମ୍ସି ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି। ଡିସେମ୍ବର ୧୩ରେ ବିଡିଏ ଉପାଧ୍ୟକ୍ଷ ତଥା ବିଏମ୍ସି କମିସନର ପ୍ରେମଚନ୍ଦ୍ର ଚୌଧରୀ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଥିରେ ବର୍ଷା ଜଳ ପୁନଃ ବ୍ୟବହାର, ବର୍ଷା ଜଳ ସଂରକ୍ଷଣ, ଭୂତଳ ଜଳ ସଂରକ୍ଷଣ ବ୍ୟବସ୍ଥା କରିବାକୁ କୁହାଯାଇଛି। ବିଏମ୍ସି ଓ ବିଡିଏର ନିର୍ଦ୍ଦେଶନାମା ଅନୁଯାୟୀ, ୩୦୦ ବର୍ଗମିଟରରୁ ଅଧିକ ନିର୍ମାଣ ହୋଇଥିବା ଘର, ଖୋଲା ଅଞ୍ଚଳରେ ବର୍ଷା ଜଳ ସଂରକ୍ଷଣ, ଭୂତଳ ଜଳ ସଂରକ୍ଷଣ ବ୍ୟବସ୍ଥା କରିବା ବାଧ୍ୟତାମୂଳକ କରାଯାଇଛି। ଏହାଠାରୁ କମ୍ ଅଞ୍ଚଳର ଘର ପାଇଁ ବର୍ଷା ଜଳ ପୁନଃ ବ୍ୟବହାର କରିବାର ବ୍ୟବସ୍ଥା କରିବାକୁ କୁହାଯାଇଛି। ବିଏମ୍ସି ଓ ବିଡିଏ ଅଞ୍ଚଳରେ ଘର ନିର୍ମାଣ କଲେ ବର୍ଷା ଜଳ ସଂରକ୍ଷଣ ଓ ଭୂତଳ ସଂରକ୍ଷଣ ନେଇ ନିୟମ ଥିଲେ ହେଁ ଏହାକୁ କଡ଼ାକଡ଼ି ଲାଗୁ କରାଯାଇ ନ ଥିଲା। ତେଣୁ ଏବେ ଏହାକୁ କଡ଼ାକଡ଼ି ଲାଗୁ କରାଯାଇଛି। ଯେଉଁମାନେ କରିନାହାନ୍ତି ତାହାକୁ ଏବେ କରିବେ। ଆଗକୁ ଯିଏ ଘର ନିର୍ମାଣ କରିବେ ସେମାେନ ଘର ପ୍ଲାନ୍ରେ ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା ଦେଖାଇଲେ ହିଁ ପ୍ଲାନ୍ ଅନୁମୋଦନ ହେବ।
ବିଡିଏର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରାଜଧାନୀ ଭିତରେ ଯେତିକି ଡ୍ରେନ୍ ଅଛି ସେଥିରେ ଅସରାଏ ବଡ଼ ବର୍ଷା ହେଲେ କିମ୍ବା ଲଗାଣ ବର୍ଷା ହେଲେ ବର୍ଷା ଜଳ ପ୍ରବାହ ହୋଇପାରୁନି। ଫଳରେ ରାସ୍ତାରେ ଆଣ୍ଠୁଏ ଉଚ୍ଚରେ ପାଣି ଜମୁଛି କିମ୍ବା ଲୋକଙ୍କ ଘରେ ପାଣି ପଶୁଛି। ତେଣୁ ବଡ଼ ବର୍ଷା ହେଲେ କେବଳ ରାସ୍ତାର ପାଣି ଡ୍ରେନ୍ରେ ଯିବା ପାଇଁ ଏହି ନିୟମ ହୋଇଛି। ୩୦୦ବର୍ଗମିଟରରୁ କମ୍ ଅଞ୍ଚଳରେ ଘର କରିଥିବା ଲୋକମାନେ ସେମାନଙ୍କ ଛାତର ପାଣିକୁ ବର୍ଷା ବେଳେ ସଂରକ୍ଷଣ କରି ରଖିବେ। ବର୍ଷା ଛାଡ଼ିଲା ପରେ ଏହାକୁ ଡ୍ରେନ୍କୁ ଛାଡ଼ିବେ।
ଯେଉଁ ତଳିଆ ଅଞ୍ଚଳରେ ଏବେ ଆଉ ଡ୍ରେନ୍ ନିର୍ମାଣ କରିବା ସମ୍ଭବ ନାହିଁ ସେଠାରେ ବିଏମ୍ସି ପକ୍ଷରୁ ବର୍ଷା ଜଳ ସଂରକ୍ଷଣ ଓ ମାଟି ତଳକୁ ବର୍ଷା ପାଣି ଛାଡ଼ିବାର ବ୍ୟବସ୍ଥା କରାଯିବ।