ଭୁବନେଶ୍ବର ରେଳ ଷ୍ଟେସନ ପ୍ରବେଶ ପଥରେ ଆଣ୍ଠୁଏ ପାଣି

ଭୁବନେଶ୍ବର : ପ୍ରବଳ ବର୍ଷା ଯୋଗୁଁ ରବିବାର ମାଷ୍ଟରକ୍ୟାଣ୍ଟିନ ରେଳ ଷ୍ଟେସନ ଅଞ୍ଚଳ ଜଳମଗ୍ନ ହୋଇଯାଇଥିଲା। ଷ୍ଟେସନର ପ୍ରବେଶ ଓ ପ୍ରସ୍ଥାନ ପଥରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଥିଲା। ସୋମବାର ମଧ୍ୟ ସେଭଳି ସ୍ଥିତି ଲାଗି ରହିଛି। ଯାତ୍ରୀମାନେ ହାତରେ ଜୋତା ଧରି ପାଣିରେ ପଶି ଯିବାଆସିବା କରିଥିଲେ। ଏହା ସହ ଷ୍ଟେସନ ଭିତରେ ରେଳଧାରଣା ବୁଡ଼ି ପାଣି ପ୍ଲାଟଫର୍ମ ଉପରକୁ ଉଠି ଆସିଥିଲା। ଏହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ରେଳଯାତ୍ରୀ ପବିତ୍ର ସ୍ୱାଇଁ କହିଥିଲେ ଯେ ଭୁବନେଶ୍ବର ରେଳ ଷ୍ଟେସନ ଏତେ ଅବ୍ୟବସ୍ଥାରେ ରହିଛି ବୋଲି ଜାଣି ନଥିଲି। ଯାତ୍ରୀମାନେ ପ୍ରବେଶ କରିବା ପୂର୍ବରୁ ପ୍ରଥମେ ଜୋତା ଖୋଲି ହାତରେ ଧରିବାକୁ ପଡୁଛି ଏବଂ ଲଗେଜ୍ ଗୁଡ଼ିକ କାନ୍ଧରେ ବୋହିବାକୁ ପଡୁଛି। ଏତେ କଷ୍ଟ କରି ଯିବା ବେଳକୁ ଟ୍ରେନ୍ ଆଉ ନ ଥିବ। ଯାତ୍ରୀ ମମତା ଦାସ କହିଛନ୍ତି, ଗୁଜରାଟ ଯିବା ପାଇଁ ଆସିଛି। ସାଙ୍ଗରେ ଛୋଟ ଛୁଆ ସହ ୩ ରୁ ୪ଟା ବଡ଼ ବଡ଼ ଲଗେଜ୍। ଷ୍ଟେସନରେ ଏମିତି ଅବସ୍ଥା ଜାଣିଥିଲେ ଆସିନଥାନ୍ତି। ବସିବା ପାଇଁ ମଧ୍ୟ କେଉଁଠି ସ୍ଥାନ ନାହିଁ। ଯୁଆଡ଼େ ଗଲେ ଖାଲି ପାଣି। ଛୋଟ ଛୁଆ ଅଛି; ଏମିତି ଅବସ୍ଥାରେ ଗଲେ ଜ୍ବର ହୋଇଯିବ।

ଶାନ୍ତିପଲ୍ଲୀ ନଗର ବେହାଲ: ଘରେ ଘରେ ବର୍ଷା ପାଣି
ଭୁବନେଶ୍ବର : ମହାନଗର ନିଗମର ୩୪ ନମ୍ବର ୱାର୍ଡ ଅନ୍ତର୍ଗତ ଶାନ୍ତିପଲ୍ଲୀ ନଗରରେ ଘରେ ଘରେ ପାଣି ପଶିଛି। ୨ଦିନ ହେବ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି। ଘରେ ପାଣି ପଶିଯିବାରୁ ଅନେକଙ୍କ ଘରେ ରୋଷେଇ ମଧ୍ୟ ହୋଇନାହିଁ। ଏମିତିକି କିଛି ଲୋକଙ୍କ ଘର କାନ୍ଥ ଭୁଶୁଡ଼ିବାର ଆଶଙ୍କା ରହିଛି। ଡ୍ରେନ୍ ଜାମ୍‌ ହୋଇଯିବାରୁ ବର୍ଷା ଜଳ କଲୋନି ଭିତରକୁ ପଶିଯାଇଛି। ଜଳ ନିଷ୍କାସନ ହେବାକୁ କୌଣସି ବାଟ ନଥିବାରୁ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି। ଘରେ ଆଲମାରି, ଟ୍ରଙ୍କ, ଫ୍ରିଜ୍ ଭାସୁଛି। ଛୋଟ ଛୋଟ ପିଲାମାନେ ଖଟ ଉପରେ ବସି ରହିଛନ୍ତି। ବସ୍ତିର ବିଦ୍ୟାଧର ମହାରଣାଙ୍କ କହିବା କଥା, ବର୍ଷା ହେଲେ ଘରେ ପାଣି ଜମି ରହୁଛି। ନିଜେ ଟଙ୍କା ଖର୍ଚ୍ଚ କରି ପାଣି ପମ୍ପ ଲଗାଇ ପାଣି ଖାଲି କଲେ ମଧ୍ୟ ପୁଣି ପାଣି ହେଉଛି। ସେହିପରି ସହିଦନଗରରେ ଟିଫିନ୍ ଷ୍ଟଲ୍‌ କରିଥିବା ସୁରେନ୍ଦ୍ର ବେହେରାଙ୍କ କହିଛନ୍ତି ଯେ ବେପାର କରିବା ପାଇଁ ସବୁବେଳେ ଘରେ ରୋଷେଇ କରି ନେଇଥାନ୍ତି। ମାତ୍ର ଆଜି ବର୍ଷାରେ ତାଙ୍କ ଜଳଖିଆ ତିଆରି ସମସ୍ତ ଉପକରଣ ପାଣିରେ ବୁଡିଯାଇଛି। କଲୋନି ‌ଲୋକ ହୀନସ୍ତା ହେଉଥିବା ବେଳେ ଏପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ଦେଖିବା ପାଇଁ ଆସିନଥିବାରୁ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି।

ଠେଲା ହେଲା ଆମ୍ବୁଲାନ୍ସ
ପୁରୁଣା ଭୁବନେଶ୍ବର : ରବିବାର ରାତିରେ ପ୍ରବଳ ବର୍ଷା ପ‌ରେ ଗୋସାଗରେଶ୍ବର ଛକ ନିକଟରେ ପ୍ରାୟ ସାଢ଼େ ୩ଫୁଟ୍‌ର ବର୍ଷା ପାଣି ରାସ୍ତାରେ ଜମି ରହିଥିଲା। ଏତିକିବେଳେ ଏହି ରାସ୍ତାରେ ଯାଉଥିବା ଏକ ଆମ୍ବୁଲାନ୍ସର ଷ୍ଟାର୍ଟ ବନ୍ଦ ହୋଇଯାଇଥିଲା। ସ୍ଥାନୀୟ ଲୋକ ଏହାକୁ ଠେଲି ଠେଲି ବାହାରକୁ ବାହାର କରିଥିଲେ।

ବିଏମ୍‌ସି ନୟାନ୍ତ, ୩୩ ସ୍ଥାନରେ ପମ୍ପ୍ ଲଗାଇ ପାଣି କାଢ଼ିଲେ
ରାଜଧାନୀର ବିଭିନ୍ନ ଜମି ରହିଥିବା ବର୍ଷା ପାଣି ନିଷ୍କାସନ କରିବାକୁ ଯାଇ ନୟାନ୍ତ ହୋଇଛି ବିଏମ୍‌ସି। ପୂର୍ବ ବର୍ଷାରୁ ମାତ୍ର ୧୫ଟି ସମ୍ବେଦନଶୀଳ ଜାଗା ଚିହ୍ନଟ କରିଥିବା ବେ‌ଳେ ଦୁଇଦିନ ଧରି ଲଗାଣ ବର୍ଷାରେ ପରିସ୍ଥିତି ଉତ୍କଟ ହୋଇଛି। ଆଜି ୩୩ ଭିନ୍ନ ଭିନ୍ନ ଜାଗାରେ ପମ୍ପ ଲଗାଇ ପାଣି କାଢ଼ିବାକୁ ଉଦ୍ୟମ କରିଛି ବିଏମ୍‌ସି। ହେଲେ ବର୍ଷା ଛାଡ଼ିବାର ନାଁ ନ ଧରିବାରୁ ପାଣି ଯେତିକି ଖାଲି ହେଉଛି ସେତିକି ଭର୍ତ୍ତି ହୋଇଛି। ଆଜି ପରିସ୍ଥିତି ଏଭଳି ହୋଇଛି ଘଣ୍ଟା ଘଣ୍ଟା ଧରି ପମ୍ପ ଚାଲୁଥିଲେ ମଧ୍ୟ ପାଣି ଖାଲି ହୋଇ ପାରି ନାହିଁ।

ଓଡ଼ିଶୀ ଗବେଷଣା କେନ୍ଦ୍ରରେ ପଶିଲା ନର୍ଦ୍ଦମା ପାଣି
ଚନ୍ଦ୍ରଶେଖରପୁର : ଦୁଇ ଦିନ ହେଲା ଲଗାଣ ବର୍ଷାରେ ପୂରା ରାଜଧାନୀ ଅସ୍ତବ୍ୟସ୍ତ ହୋଇପଡ଼ିଛି। ରାସ୍ତାଘାଟରୁ ଆରମ୍ଭ କରି ଗଳିକନ୍ଦି ସବୁଠି ବର୍ଷା ଓ ନର୍ଦ୍ଦମା ପାଣି ଜମି ରହୁଛି। ଏଥିରୁ ବାଦ ପଡ଼ିନି ଚନ୍ଦ୍ରଶେଖରପୁର ଅଞ୍ଚଳର ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ର। ଲଗାତାର ବର୍ଷା କାରଣରୁ ଏକ୍ସଆଇଏମବି ପଟୁ ଡ୍ରେନ ପାଣି କେନ୍ଦ୍ର ପରିସରରେ ପଶୁଛି। ଫଳରେ ପୂରା ଅଞ୍ଚଳ ଦୁର୍ଗନ୍ଧରେ ଫାଟି ପଡୁଛି। କେନ୍ଦ୍ରରେ ରହୁଥିବା ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଡ୍ରେନ୍ ପାଣି ପଶୁଥିବା ନେଇ ବାରମ୍ବାର ଅଭିଯୋଗ ସତ୍ତ୍ବେ କୌଣସି ପଦକ୍ଷେପ ନିଆଯାଉନଥିବା ଓଡ଼ିଶୀ କେନ୍ଦ୍ର ପରିଚାଳକ ଅଭିଯୋଗ କରିଛନ୍ତି। ଏକ୍ସଆଇଏମବି କଲେଜ ପଟେ ଥିବା ଡ୍ରେନ୍ ସଫା କରାଯାଉ ନାହିଁ। ଅଳିଆରେ ଭର୍ତି ହୋଇ ରହିଛି। ଫଳରେ ଡ୍ରେନ୍ ପାଣି ଓଡ଼ିଶୀ କେନ୍ଦ୍ର ଭିତରକୁ ପଶୁଥିବା ଅଭିଯୋଗ ହୋଇଛି।

ବାଲିପାଟଣାରେ ୨୮୦.୫ ମିମି ବର୍ଷା
ବାଲିପାଟଣା : ଖୋର୍ଧା ଜିଲ୍ଲାର ସର୍ବାଧିକ ବର୍ଷା ବାଲିପାଟଣାରେ ହୋଇଥିବା ଜଣାପଡ଼ିଛି। ୨ ଦିନ ଧରି ଲଗାଣ ବର୍ଷାରେ ଏଠାରେ ୨୮୦.୫ ମିମି ବର୍ଷା ରେକର୍ଡ ହୋଇଛି। ଫଳରେ ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ବ୍ଲକର ସ୍ଥିତି ବେହାଲ ହୋଇପଡ଼ିଛି। ଚତୁର୍ଦ୍ଦିଗ ଜଳାର୍ଣ୍ଣବ ହୋଇଯାଇଥିବା ବେଳେ ଶହଶହ ଏକର ଚାଷଜମିରେ ବର୍ଷା ଜଳ ଲହଡ଼ି ମାରୁଛି। ଅନେକ ଗାଁ ରାସ୍ତା ବୁଡ଼ି ଯାଇଥିବାରୁ ହଜାର ହଜାର ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ସେହିପରି ବର୍ଷା ମାଡ଼ରେ ବହୁ ଲୋକଙ୍କ ମାଟିକାନ୍ଥ ଓ ପାଚେରି ଭୁଶୁଡ଼ି ପଡ଼ିଛି। ବଜାରଘାଟ ଶୂନ୍‌ଶାନ୍‌ ରହିଥିବାବେଳେ ଦୋକାନରେ ତାଲା ଝୁଲୁଛି।

ସମ୍ବନ୍ଧିତ ଖବର