ଭୁବନେଶ୍ୱର: ଆଜି ସକାଳ ପ୍ରାୟ ସାଢ଼େ ୮ଟାରୁ ରାଜଧାନୀରେ ଆରମ୍ଭ ହେଲା ବର୍ଷା। ଚାରିଦିଗ ଅନ୍ଧାର କରି ଢାଳିଲା ବର୍ଷା। କେତେବେଳେ କମ୍ ତ କେତେବେଳେ ବେଶି, ଏମିତି ପ୍ରାୟ ୧୧ଟା ପର୍ଯ୍ୟନ୍ତ ବର୍ଷିଲା। ରେକର୍ଡ ଅନୁସାରେ ପ୍ରାୟ ୩୬ ମିମି ବର୍ଷା ହେଲା। କିନ୍ତୁ ଏତିକି ବର୍ଷାରେ ରାଜଧାନୀର ବ୍ୟାପକ ଅଞ୍ଚଳ ଜଳାର୍ଣ୍ଣବ ହୋଇଗଲା। ବହୁ ରାସ୍ତା ନଦୀର ଭ୍ରମ ସୃଷ୍ଟି କଲା। କେତେକ ସ୍ଥାନରେ କାର୍, ବାଇକ୍ ଓ ସାଇକେଲ ଭାସିଲା। ପିଲାମାନେ ରାସ୍ତା ଉପରେ ଗାଡ଼ି ଟ୍ୟୁବ୍ ଧରି ପହଁରିଲେ ଓ ମଜା ଇଠାଇଲେ। ମାତ୍ର ୩୬ ମିମି ବର୍ଷାରେ ସ୍ମାର୍ଟ ସିଟିର ଅବସ୍ଥା ଥିଲା ଏମିତି। ପାଣିପାଗ ବିଭାଗ ସୂଚନାନୁସାରେ ରବିବାର ଓ ସୋମବାର ୭୦ ମିମିରୁ ୧୦୦ ମିମି ବର୍ଷା ହେବ। ତେଣୁ ରାଜଧାନୀ ଅବସ୍ଥା କିଭଳି ବେହାଲ୍ ହେବ, ତାହା ଆଜିର ଚିତ୍ରରୁ ଜଳଜଳ ହୋଇ ଦେଖାଯାଉଛି।
ଲଘୁଚାପ ପ୍ରଭାବରେ ୧୦ ତାରିଖ ଯାଏ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଜି ସନ୍ଧ୍ୟା ସୁଦ୍ଧା ଭୁବନେଶ୍ବରରେ ମୋଟ ୩୬.୬ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଆସନ୍ତାକାଲି ୭୦ ମିମିରୁ ୧୦୦ ମିମି ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି। ଆଜିର ପ୍ରବଳ ବର୍ଷାରେ ଇସ୍କନ ସମ୍ମୁଖ, ରସୁଲଗଡ଼, ବାଣୀବିହାର, ଜୟଦେବବିହାର, ବମିଖାଲ, ଚନ୍ଦ୍ରଶେଖରପୁର, ପୁରୁଣା ଭୁବନେଶ୍ବର, ବରମୁଣ୍ଡା ଆଦି ଅନେକ ଅଂଚଳରେ ବନ୍ୟା ପରିସ୍ଥିତି ଉପୁଜିଥିଲା। ପ୍ରତିଥର ଭଳି ନୂଆପଲ୍ଲୀ ଇସ୍କନ ମନ୍ଦିର ସମ୍ମୁଖ ରାସ୍ତା ବର୍ଷା ପାଣିରେ ବୁଡ଼ିଯାଇଥିଲା। ଦୁଇରୁ ତିନି ଫୁଟ ଉଚ୍ଚର ପାଣି ଲହଡ଼ି ଭାଙ୍ଗୁଥିଲା। ସେଠାରେ ଫସି ରହିଥିବା କାର୍, ବାଇକ୍ ବୁଡ଼ି ଯାଇଥିଲା। ଜଣେ ସାଇକେଲ୍ ଆରୋହୀ ପାଣିରେ ପଡ଼ି ଆହତ ହୋଇଥିବା ବେଳେ ଜଣେ ମହିଳା ଓ ଶିଶୁ ମଧ୍ୟ ପାଣିରେ ପଡ଼ି ଯାଇଥିଲେ। କିଛି ପିଲା ସେଠାରେ ଗାଡ଼ି ଟ୍ୟୁବ୍ ଧରି ପହଁରିଥିଲେ। ସେମାନେ ବର୍ଷା ବର୍ଷାରେ ଭିଜି ଭିଜି ଏହି ଖେଳରୁ ମଜା ଉଠାଇଥିଲେ।
ସେହିଭଳି ଘଣ୍ଟାଘଣ୍ଟା ଧରି ସିଆର୍ପି ଛକରେ ଟ୍ରାଫିକ୍ ସମସ୍ୟା ଦେଖିବାକୁ ମିଳିଥିଲା। ବମିଖାଲ ରାସ୍ତା ନଈ ପାଲଟି ଯାଇଥିଲା। ରାସ୍ତାର ଚିହ୍ନବର୍ଣ୍ଣ କିଛି ବି ଦେଖାଯାଉନଥିଲା। ଖାଲଖମା ଜାଣିବା ମୁସ୍କିଲ୍ ହୋଇଯାଇଥିଲା। ତେଣୁ ଲୋକେ ଯାତାୟାତ ବନ୍ଦ କରି ପାଣି ଛାଡ଼ିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ବାଧ୍ୟ ହୋଇଥିଲେ। ବରମୁଣ୍ଡା ବସ୍ଷ୍ଟାଣ୍ଡଠାରୁ ଆରମ୍ଭ କରି ଭରତପୁର, ପୋଖରୀପୁଟ, ଚନ୍ଦ୍ରଶେଖରପୁର, ଲକ୍ଷ୍ମୀସାଗର, ମହାଦେବନଗର ଭଳି ପ୍ରାୟ ସବୁ ଅଞ୍ଚଳ ବୁଡ଼ିଯାଇଥିଲା। ଭୁବନେଶ୍ବର-ପୁରୀ ଜାତୀୟ ରାଜପଥରେ ମଧ୍ୟ ପାଣି ଜମି ରହିଥିଲା। ତେବେ ବିଏମ୍ସି ପକ୍ଷରୁ ହାତ ଗଣତି କିଛି ସ୍ଥାନରେ ମଟର ଲଗାଇ ଜଳ ନିଷ୍କାସନ କରାଯାଇଥିଲେ ହେଁ ତାହା ବିଶେଷ ଫଳପ୍ରଦ ହୋଇନଥିଲା। ବର୍ଷା ଜଳ ନିଷ୍କାସନ ପ୍ରସଙ୍ଗରେ ବିଏମ୍ସି ବାହାସ୍ଫୋଟ୍ ମାରୁଥିବା ବେଳେ ବିପର୍ଯ୍ୟସ୍ତ ଡ୍ରେନେଜ୍ ବ୍ୟବସ୍ଥାର ବିକଳ ଚିତ୍ର ଆଜି ଦେଖିବାକୁ ମିଳିଥିଲା।