ସିଆର୍‌ପିରେ ବର୍ଷାଜଳ ସଂରକ୍ଷଣ ପ୍ରକଳ୍ପ

ଚନ୍ଦ୍ରଶେଖରପୁର : ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି)ର ୨୫ ନମ୍ବର ୱାର୍ଡରେ ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ ଆରମ୍ଭ ହୋଇଛି। ଏହି ପ୍ରକଳ୍ପଗୁଡ଼ିକ ସିଆର୍‌ପି ଛକ, ଗ୍ୟାଷ୍ଟ୍ରୋ କିଡ୍‌ନି କେୟାର୍‌ ହସ୍ପିଟାଲ୍‌ ନିକଟ ଓ ନୂଆପଲ୍ଲୀ ଥାନା ଛକର ଦକ୍ଷିଣପାର୍ଶ୍ବ ଅଞ୍ଚଳରେ କାର୍ଯ୍ୟକ୍ଷମ ହେବ। ଆଗାମୀ ଦିନରେ ସମ୍ପୂର୍ଣ୍ଣ ୱାର୍ଡରେ ଏହାକୁ ସ୍ଥାପିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ଦ୍ବାରା ବୋହି ଯାଉଥିବା ବର୍ଷାଜଳକୁ ରୋକି ଭୂତଳଗାମୀ କରାଯିବା ସହ ଭୂତଳ ଜଳ ପୁନର୍ଭରଣ ହୋଇପାରିବ। ଏଥିସହ ଏହି ଅଞ୍ଚଳକୁ ସଂଲଗ୍ନ କରୁଥିବା ଇସ୍କନ ଅଞ୍ଚଳରେ ବହୁଦିନରୁ ଲାଗି ରହିଥିବା ବର୍ଷାଜଳ ନିଷ୍କାସନ ସମସ୍ୟା ମଧ୍ୟ ଦୂରୀଭୂତ ହେବ।

ଉକ୍ତ ପ୍ରକଳ୍ପ ସମେତ ୱାର୍ଡରେ ୨ଟି ଡ୍ରେନ୍‌, କଲ୍‌ଭର୍ଟ ଓ ୨ଟି ରାସ୍ତାର ପ୍ରଶସ୍ତିକରଣ ନିମନ୍ତେ ମଧ୍ୟ ଆଜି ଶିଳାନ୍ୟାସ ହୋଇଛି। ଉକ୍ତ ପ୍ରକଳ୍ପଗୁଡ଼ିକ ଲାଗି ପ୍ରାୟ ୮୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପକୁ ଉଦ୍‌ଘାଟନ କରି ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ କହିଛନ୍ତି ଯେ ରାଜ୍ୟ ସରକାର ବରିଷ୍ଠ ନାଗରିକଙ୍କ ସ୍ବାର୍ଥକୁ ଗୁରୁତ୍ବ ଦେଇଆସିଛନ୍ତି। ଆଗାମୀ ଦିନରେ ତ୍ୱରାନ୍ୱିତ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକ ୱାର୍ଡବାସୀଙ୍କ ବହୁ ହିତରେ ଆସିବ ବୋଲି ବିଧାୟକ ଶ୍ରୀ ରାଉତ କହିଥିଲେ। ଏହାବ୍ୟତୀତ ସହରାଞ୍ଚଳ ଜୀବିକା ମିସନରେ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକରେ କେବଳ ଯେ ଆଞ୍ଚଳିକ ସମସ୍ୟାର ସମାଧାନ ହେବ, ତାହା ନୁହେଁ, ବରଂ କରୋନା ଯୋଗୁଁ ଜୀବିକାଠାରୁ ବିଚ୍ଛେଦ ହୋଇଥିବା ଅନେକ ଶ୍ରମିକ ଶ୍ରମ ନିଯୁକ୍ତି ଫେରିପାଇବେ। ୱାର୍ଡର ଅନେକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମଧ୍ୟ ଆତ୍ମନିର୍ଭରଶୀଳ ହୋଇପାରିବେ।

ପୂର୍ବତନ କର୍ପୋରେଟର ମାନସୀ ସୁନ୍ଦରରାୟଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନୂଆପଲ୍ଲୀ କମ୍ୟୁନିଟି କେୟାର୍‌ ଆସୋସିଏସନ୍‌ ସଭାପତି ଶରତ ଚନ୍ଦ୍ର ଭଦ୍ର, ସମ୍ପାଦକ ସଞ୍ଜୀବ ପତି, ଉପସଭାପତି ଦେବାଶିଷ ମିଶ୍ର, ଦେବାଶିଷ ପଟ୍ଟନାୟକ, ଅଶୋକ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶା ଟେନିସ୍‌ ବଲ୍‌ କ୍ରିକେଟ୍‌ ଆସୋସିଏସନ୍‌ର ସଦସ୍ୟ ସନାତନ ସାହୁ, ପ୍ରକାଶ ସାହୁ, ପଙ୍କଜ ଦାସ, ଅଜୟ ସାହୁ, ତ୍ରିନାଥ ମହାନ୍ତି, ସୂର୍ଯ୍ୟକାନ୍ତ ଦାସ, ଚନ୍ଦନ ପଲେଇ, ସଞ୍ଜୀବ ସାହୁ, ଆୟୁଷ୍ମାନ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର