ଭୁବନେଶ୍ୱର: ଭୂତଳ ଜଳ ଯେଉଁଭଳି ଦ୍ରୁତଗତିରେ ହ୍ରାସ ପାଉଛି, ଭବିଷ୍ୟତ ପିଢ଼ିଙ୍କ ପାଇଁ ପାଣିମୁନ୍ଦିଏ ମିଳିବ କି ନାହିଁ ସେ ପ୍ରକାର ଚିନ୍ତାହେଲାଣି। ଭୁବନେଶ୍ବର ମହାନଗର ନିଗମ କଥା ହେଉ କି ଅନ୍ୟ ମହାନଗର ନିଗମ ଅବା ଜିଲ୍ଲା, ସବୁଠି ସ୍ଥିତି ଉଦ୍ବେଗଜନକ। ୨୦୧୯ ମସିହାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବର୍ଷାଜଳ ଅମଳ ପ୍ରକଳ୍ପ ଜରିଆରେ ଭୂତଳ ଜଳରେ ସ୍ଥିରତା ଆଣିବାକୁ ବାରମ୍ବାର ମାର୍ଗଦର୍ଶିକା ଓ ଚିଠି କରି ଆସୁଛନ୍ତି। କିନ୍ତୁ ସବୁକିଛି ବିଫଳ ହୋଇଛି। ଅଧିକାରୀମାନେ ଏ ଦିଗରେ ଆନ୍ତରିକତା ଦେଖାଉନାହାନ୍ତି। ଫଳସ୍ବରୂପ ବର୍ଷାଜଳ ଅମଳ ପ୍ରକଳ୍ପ ଲକ୍ଷ୍ୟଚ୍ୟୁତ ହେବାରେ ଲାଗିଛି।
୨୦୧୯ ମସିହାରୁ ୨୦୨୫ ଏପ୍ରିଲ ସୁଦ୍ଧା ଉଭୟ ମହାନଗର ନିଗମ ଓ ରାଜ୍ୟର ୩୦ଟି ଜିଲ୍ଲାରେ ଧାର୍ଯ୍ୟ ଲକ୍ଷ୍ୟର ୧ ପ୍ରତିଶତ ପୂରଣ ହୋଇପାରିନି। ଏହାକୁ ନେଇ ଜଳସଂପଦ ବିଭାଗ ସଚିବ ଅନୁ ଗର୍ଗ ଉଦ୍ବେଗ ପ୍ରକାଶ କରିଛନ୍ତି। ଭୁବନେଶ୍ବର ମହାନଗର ନିଗମ ସମେତ ରାଜ୍ୟର ସବୁ ମହାନଗର ନିଗମ ଓ ୩୦ ଜିଲ୍ଲାକୁ ଚିଠି କରିଛନ୍ତି। ବର୍ଷାଜଳ ଅମଳ ପ୍ରକଳ୍ପକୁ ସଫଳ କରିବା ନେଇ ନୂଆ ମାର୍ଗଦର୍ଶିକା ଜାରି କରିବା ସହ ଚଳିତବର୍ଷ ସବୁ ସହରାଞ୍ଚଳ ୧୦ହଜାର ଓ ପ୍ରତି ଗାଁରେ ୫ଟି ବର୍ଷାଜଳ ଅମଳ ପ୍ରକଳ୍ପ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ବର୍ଷାଜଳକୁ ଅମଳ କରି ଭୂତଳ ଜଳସ୍ତରରେ ସ୍ଥିରତା ଆଣିବା ଲକ୍ଷ୍ୟରେ ୨୦୧୯ ମସିହାରେ ଆରମ୍ଭ ହୋଇଥିଲା ଜଳସଂପଦ ବିଭାଗ ଜରିଆରେ ଜଳଶକ୍ତି ଅଭିଯାନ। ଉଭୟ ସରକାରୀ ଓ ବେସରକାରୀ କୋଠା ଛାତରେ ବର୍ଷା ଅମଳ ପ୍ରକଳ୍ପ, ପୋଖରୀ ପୁନରୁଦ୍ଧାର ଆଦି ଜରିଆରେ ଏହି ଲକ୍ଷ୍ୟ ପୂରଣର ସ୍ବପ୍ନ ଦେଖାଯାଇଥିଲା। ବିଶେଷ କରି ମହାନଗର ନିଗମ ଓ ଅନ୍ୟ ସହରାଞ୍ଚଳରେ ଯେଉଁମାନେ ନୂଆକୋଠା ନିର୍ମାଣ କରୁଛନ୍ତି, ସେମାନଙ୍କ କ୍ଷେତ୍ରରେ ବର୍ଷାଜଳ ଅମଳ ପ୍ରକଳ୍ପ ବାଧ୍ୟତାମୂଳକ କରାଯାଇଥିଲା। ସରକାର ଏଥିରେ ରିହାତି ବ୍ୟବସ୍ଥା ବି କଲେ। କିନ୍ତୁ ସହରାଞ୍ଚଳ ହେଉ କି ଗ୍ରାମାଞ୍ଚଳ, କେହି ଏହି ପ୍ରକଳ୍ପ କରିବାରେ ସେତେଟା ଆଗ୍ରହ ଦେଖାଉନାହାନ୍ତି। ପରିଣାମ ସ୍ବରୂପ, ୨୦୧୯ ମସିହାରୁ ୨୦୨୫ ଏପ୍ରିଲ ଭିତରେ ୨ଲକ୍ଷ ୬୦ହଜାର ୭୦୫ଟି ପ୍ରକଳ୍ପ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲେ ବି ମାତ୍ର ୮ହଜାର ୨୮୭ଟି ପ୍ରକଳ୍ପ ହୋଇଛି।
୨.୬୦ ଲକ୍ଷରୁ ହୋଇଛି ୮୨୮୭
୫ ବର୍ଷିଆ ଛାତ ବର୍ଷା ଜଳ ଅମଳ ପ୍ରକଳ୍ପ ବି ଫେଲ୍
ପୁଣି ଟାର୍ଗେଟ୍ ଦେଲା ଜଳସଂପଦ ବିଭାଗ
ସହରାଞ୍ଚଳରେ ୧୦ହଜାର ଓ ଗାଁରେ ୫ ପ୍ରକଳ୍ପ କରିବାକୁ ନିର୍ଦ୍ଦେଶ
ସେହିଭଳି ଜଳସଂପଦ ବିଭାଗ କୋଭିଡ୍ ପରେ ଛାତ ବର୍ଷାଜଳ ଅମଳ ପ୍ରକଳ୍ପକୁ ତ୍ବରାନ୍ବିତ କରିବାକୁ ଏକ ୫ ବର୍ଷିଆ ଖସଡ଼ା ପ୍ରସ୍ତୁତ କରିଥିଲା। ୨୦୨୨-୨୩ରୁ ୨୦୨୬-୨୭ ବର୍ଷ ଭିତରେ ୧୯୨୫ ସରକାରୀ କୋଠା ଓ ୨୯,୫୦୦ ବେସରକାରୀ କୋଠାର ଛାତରେ ବର୍ଷାଜଳ ଅମଳ ପ୍ରକଳ୍ପ କରିବାକୁ ଯୋଜନା ଥିଲା। ୧୯୨୫ ସରକାରୀ କୋଠାରୁ ସହରାଞ୍ଚଳରେ ୭୬୫ କୋଠା ଓ ଗ୍ରାମାଞ୍ଚଳରେ ୧୧୬୦ କୋଠାରେ ପ୍ରକଳ୍ପ ହେବାର ଥିଲା। କେବଳ ୨୦୨୨-୨୩ରେ ସରକାରୀ କୋଠାରୁ ଗ୍ରାମାଞ୍ଚଳରେ ୩୬୦ଟି, ସହରାଞ୍ଚଳରେ ୬୫ଟି ଓ ୫୫୦୦ ବେସରକାରୀ କୋଠାରେ ଏହି ପ୍ରକଳ୍ପ କରିବାକୁ ଲକ୍ଷ୍ୟ ଥିଲା। ବାକି ୨୦୨୩-୨୪ରୁ ୨୦୨୬-୨୭ ପର୍ଯ୍ୟନ୍ତ ପ୍ରତିବର୍ଷ ଗ୍ରାମାଞ୍ଚଳରେ ୨୦୦ ଓ ସହରାଞ୍ଚଳରେ ୧୭୫ ସରକାରୀ କୋଠା ଏବଂ ୬ହଜାର ବେସରକାରୀ କୋଠାରେ ଏହି ପ୍ରକଳ୍ପ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଏ ବାବଦରେ ୨୦୨୨-୨୩ରେ ୫୧.୭୫ କୋଟି ଓ ଏହା ପରଠାରୁ ପ୍ରତିବର୍ଷ ୫୪.୫୬ କୋଟି, ଏଭଳି ମୋଟ ୨୭୦ କୋଟି ଟଙ୍କାର ବ୍ୟୟ ଅଟକଳ କରିଥିଲା।
ଭୂତଳ ଜଳକୁ ନେଇ ଉଦ୍ବେଗଜନକ ସ୍ଥିତିରେ ଥିବା ରାଜ୍ୟର ୨୭ଟି ସହରାଞ୍ଚଳ ଓ ୫୨ଟି ବ୍ଲକ୍କୁ ଏଥିରେ ପ୍ରାଧାନ୍ୟ ଦିଆଯାଇଥିଲା। ୩୭୩.୫୨ ଲିଟର ବର୍ଷା ଜଳ ଅମଳ କରିବାର ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ବେସରକାରୀ କୋଠା ତ ଦୂରର କଥା ସରକାରୀ କୋଠା ବି ଏହି ପ୍ରକଳ୍ପ କରିବାକୁ ମଙ୍ଗୁନାହାନ୍ତି। ଜଳସଂପଦ ବିଭାଗ ସଚିବ ଶ୍ରୀମତୀ ଗର୍ଗ କହିଛନ୍ତି, ନିକଟରେ କେନ୍ଦ୍ର ଜଳସଂପଦ ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ଯେଉଁଥିରେ ଜଳଶକ୍ତି ଅଭିଯାନ ନାରା ‘କ୍ୟାଚ୍ ଦ ରେନ୍-୨୦୨୫’ର ଶୁଭାରମ୍ଭ କରାଯାଇଛି। ଜନଭାଗିଦାରୀଙ୍କୁ ଏଥିରେ ଗୁରୁତ୍ବ ଦିଆଯାଇଛି। ସାମୂହିକ ଉଦ୍ୟମରେ ବର୍ଷାଜଳ ଅମଳ ପ୍ରକଳ୍ପ ଲକ୍ଷ୍ୟ ପୂରଣ କରିବାକୁ ସେ ସବୁ ଜିଲ୍ଲାର ଜିଲ୍ଲାପାଳ, ମହାନଗର ନିଗମ କମିସନରଙ୍କୁ କହିଛନ୍ତି। ଏଥିପାଇଁ ପ୍ରତି ଜିଲ୍ଲାର ଜିଲ୍ଲାପାଳଙ୍କୁ ନୋଡାଲ୍ ଅଧିକାରୀ କରାଯାଇଛି। ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସମନ୍ବୟ ରଖି ପ୍ରକଳ୍ପ ଲକ୍ଷ୍ୟ ପୂରଣ କରିବାକୁ କୁହାଯାଇଛି। ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ, ଛାତ୍ରାବାସ ସହ ଅଙ୍ଗନବାଡ଼ି ଆଦିରେ ବି ପ୍ରକଳ୍ପ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।