ନଷ୍ଟ ହୋଇଗଲା ରାଜଭବନ ହରିଣ ଉଦ୍ୟାନ

ଷ୍ଟେସନରେ ସହାୟତା କେନ୍ଦ୍ର, ୮ଦିନ ଯାଏଁ ଖୋଲି ପାରିବନି ରାଜ୍ୟ ସଂଗ୍ରହାଳୟ

ବାତ୍ୟା ପ୍ରକୋପରୁ ବର୍ତ୍ତି ପାରିନି ରାଜଭବନ। ରାଜ୍ୟପାଳଙ୍କ ବାସଭବନ ଭାବେ ପରିଚିତ ରାଜଭବନ ପରିସରରେ ଥିବା ଉଦ୍ୟାନଗୁଡ଼ିକ ନଷ୍ଟ ହୋଇଛି। ଅନେକ ସ୍ଥାନରେ ପାଚେରି ଭାଙ୍ଗି ପଡ଼ିଛି। କେତେକ ସ୍ଥାନରେ ବିରଳ ତଥା ବହୁ ମୂଲ୍ୟବାନ ଗଛ ମଧ୍ୟ ବାତ୍ୟାର ପ୍ରକୋପରେ ଧରାଶାୟୀ ହୋଇଥିବା ଦେଖିବାକୁ ମିଳିଛି। ତେବେ ରାଜଭବନ ପରିସରରେ ଥିବା ହରିଣ ଉଦ୍ୟାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଉଦ୍ୟାନକୁ ଲାଗି ରହିଥିବା ପାଚେରି ୩ଟି ସ୍ଥାନରେ ଭାଙ୍ଗି ପଡ଼ିଛି। ସୌଭାଗ୍ୟବଶତଃ ପାଚେରିର କିଛି ଦୂରରେ ତାର ଜାଲି ଦିଆଯାଇଥିବାରୁ ବାତ୍ୟା ସମୟରେ ହରିଣ ବାହାରକୁ ଆସି ପାରିନାହାନ୍ତି। ନ ହେଲେ ଅଧିକାଂଶ ହରିଣ ପ୍ରଭାବିତ ହେବାର ଆଶଙ୍କା ରହିଥିଲା। ଉଦ୍ୟାନ ଭିତରେ ଥିବା ଅଧିକାଂଶ ଗଛ ଭାଙ୍ଗି ପଡ଼ିଥିଲେ ମଧ୍ୟ ହରିଣଙ୍କର ମୃତ୍ୟୁ ହୋଇ ନଥିବା ରାଜଭବନ ସୁରକ୍ଷା‌ରେ ଥିବା ଜଣେ ଅଧିକାରୀ କହିଛନ୍ତି।

ଷ୍ଟେସନରେ ସହାୟତା କେନ୍ଦ୍ର

‌ରେଳ ଯାତ୍ରୀଙ୍କୁ ଟ୍ରେନ୍‌ ସମ୍ପର୍କରେ ବିଭିନ୍ନ ସୂଚନା ଦେବା ପାଇଁ ମାଷ୍ଟରକ୍ୟାଣ୍ଟିନ୍‌ସ୍ଥିତ ରେଳ ଷ୍ଟେସନରେ ଏକ ସହାୟତା କେନ୍ଦ୍ର ଖୋଲା ଯାଇଛି। ଏଠାରେ ଯାତ୍ରୀଙ୍କୁ ‌ଟ୍ରେନ୍‌ ସମ୍ପର୍କିତ ବିଭିନ୍ନ ସୂଚନା ଦିଆଯାଉଛି। ଆଜି ସକାଳୁ ଏହି କେନ୍ଦ୍ରକୁ ଖୋଲାଯାଇ ଆଜି ବାତିଲ୍‌ ହୋଇଥିବା ସମସ୍ତ ଟ୍ରେନ୍‌ ସମ୍ପର୍କରେ ସୂଚନା ‌ଦିଆଯାଇଥିଲା। ଏପରିକି ସନ୍ଧ୍ୟାରେ ଚାଲିବାକୁ ଥିବା ଟ୍ରେନ୍‌ଗୁଡ଼ିକ କେଉଁ ସ୍ଥାନ ଦେଇ ଯିବ, କେଉଁ ଷ୍ଟେସନରେ ଅଟକିବ, ସେ ସମ୍ପର୍କରେ ବି ସୂଚନା ଦେଇଥିଲେ। ଦୁଇ ଜଣ ଅଧିକାରୀ ଉପସ୍ଥିତ ରହି ଯାତ୍ରୀଙ୍କୁ ଟିକିନିଖି ଖବର ଦେଉଥିଲେ। ନୋଟିସ୍‌ ମଧ୍ୟ ଲଗାଇଥିଲେ।

୮ଦିନ ଯାଏଁ ଖୋଲି ପାରିବନି ରାଜ୍ୟ ସଂଗ୍ରହାଳୟ

ଭୁବନେଶ୍ବର : ରାଜ୍ୟ ସଂଗ୍ରହାଳୟର ପ୍ରବେଶ ପଥରେ ୧୯୯୯ ମସିହା ମହାବାତ୍ୟାକୁ ସମ୍ଭାଳି‌ ନେଇଥିବା ବରଗଛଟି ବି ଏଥର ଭାଙ୍ଗି ପଡ଼ିଛି। ସଂଗ୍ରହାଳୟକୁ ସୂଚାଉଥିବା ନାମଫଳକ ମଧ୍ୟ ସମ୍ପୂର୍ଣ୍ଣ ଉଡ଼ି ଯାଇଛି। ଏହା ପରିସରରେ ଏଇ କିଛି ବର୍ଷ ତଳେ ନିର୍ମିତ ହୋଇଥିବା ସମ୍ମିଳନୀ କକ୍ଷର ଛାତ ଉଡ଼ି ଯାଇଛି। ପାଣି ସଂଯୋଗ ମଧ୍ୟ ନଷ୍ଟ ହୋଇଯାଇଛି। ପଛ କୋଠାର ଏସି-ସିଟ୍‌ ଛାତ ମଧ୍ୟ ଭାଙ୍ଗି ଉଡ଼ି ଯାଇଛି। ଭିତର ଗ୍ଲାସ୍‌ ଲନ୍‌ ସହ ବଡ଼ ବଗିଚାରେ ବ୍ୟାପକ କ୍ଷତି ହୋଇଛି। ସ୍ଥିତି ଯାହା ୮-୧୦ ଦିନ ଯାଏଁ ସଂଗ୍ରହାଳୟ ଚାଲୁ ହୋଇପାରିବ ନାହିଁ ବୋଲି ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଡ. ଜୟନ୍ତୀ ରଥ କହିଛନ୍ତି।

ଭାଙ୍ଗିଲା ମୋବାଇଲ୍‌ ଟାୱାର୍‌
ଭୁବନେଶ୍ବର : ବରମୁଣ୍ଡା ଗାଁ’ର ବାରିକଘର ଛକ ପାଖରେ ଏକ ନଡ଼ିଆ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି। ବରମୁଣ୍ଡା ଗ୍ରାମ ନୀଳକଣ୍ଠ ମନ୍ଦିର ନିକଟରେ ମଧ୍ୟ ଏକ ମୋବାଇଲ୍‌ ଟାୱାର୍‌ ଉପୁଡ଼ି ତଳେ ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ସମ୍ବନ୍ଧିତ ଖବର