ଖୋଲିଲା ରାଜଭବନ ଉଦ୍ୟାନ : ପ୍ରଥମ ଦିନରେ ୪ହଜାର ପର୍ଯ୍ୟଟକ

ନନ୍ଦନକାନନରୁ ଆସିଛନ୍ତି ୩ ମୟୂର, ମନ ଟାଣୁଛି ୩୯ କିସମର ଫୁଲ

ଭୁବନେଶ୍ୱର : ପେନ୍ଥାପେନ୍ଥା ରଙ୍ଗିନ ଫୁଲର ସମ୍ଭାର ଭିତରେ ନିଜକୁ ପାଇ କିଏ ଉଚ୍ଛ୍ୱସିତ ହୋଇପଡ଼ୁଥିଲା ତ କିଏ ପଲପଲ ହରିଣ ହରିଣୀଙ୍କ ଡିଆଁ ଦେଖି ଚମତ୍କତ ହେଉଥିଲା। ଫଟୋ ଉଠା ବାରଣ ଥିଲେ ହେଁ ଫଟୋଟିଏ ଉଠାଇବାର ଲୋଭ ସମ୍ଭରଣ କରିପାରୁନଥିଲେ ଅନେକ। ଏମିତି ଏକ ଅବକାଶ ଆଜି ଭେଟି ଦେଇଛି ରାଜଭବନ ଉଦ୍ୟାନ। ପ୍ରଥମ ଦିନରେ ରାଜଭବନ ଉଦ୍ୟାନ ବୁଲି ଉପଭୋଗ କରିଛନ୍ତି ୪ହଜାର ପର୍ଯ୍ୟଟକ।

ପୂର୍ବ ନିର୍ଧାରିତ କାର୍ଯ୍ୟସୂଚୀ ମୁତାବକ ଆଜି ଦିନ ୨ଟାରେ ରାଜଭବନ ଫାଟକ ଖୋଲିବା ପୂର୍ବରୁ ବାହାରେ ଭିଡ଼ ଜମିବା ଆରମ୍ଭ ହୋଇଯାଇଥିଲା। ଫାଟକ ଖୋଲିବା କ୍ଷଣି ପର୍ଯ୍ୟଟକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଯାଇଥିଲା। ଏଥର ନୂଆ କରି ନନ୍ଦନକାନନରୁ ଆସିଥିବା ୩ଟି ମୟୂର ଉଦ୍ୟାନ ମଧ୍ୟରେ ଆକର୍ଷଣ ସାଜିଥିଲେ। ଖାଲି ସେତିକି ନୁହେଁ, ଏଥର ଏକ ଛୋଟ ପୋଖରୀରେ ମାଛମାନଙ୍କୁ ଦେଖି ପିଲାଏ ପୁଲକିତ ହୋଇଥିଲେ।

ଉଦ୍ୟାନର ମୁଖ୍ୟ ଆକର୍ଷଣ ସାଜିଥିବା ଫୁଲ ଉଦ୍ୟାନରେ ଦେଖିବାକୁ ମିଳିଥିଲା ୩୯ କିସମର ଫୁଲ। ବେଙ୍ଗାଲୁରୁରୁ ଅନେକ ଫୁଲର ଚାରା ମଗା ଯାଇଥିବା ବେଳେ କିଛି ଚାରା ସ୍ଥାନୀୟ ନର୍ସରି ଏବଂ ଆଉ କିଛି ମାଳିମାନେ ଉଦ୍ୟାନ ମଧ୍ୟରେ ପ୍ରସ୍ତୁତ କରିଥିଲେ। ୧୨ଜଣ ମାଳି ଏହି ଫୁଲ ବଗିଚାକୁ ବେଶ୍‌ ଆକର୍ଷଣୀୟ ଢଙ୍ଗରେ ସଜେଇ ରଖିଥିଲେ। ଅଗଷ୍ଟରୁ ଏଥିପାଇଁ ମାଳିମାନେ କାମ ଆରମ୍ଭ କରିଦେଇଥିଲେ। କିସମ କିସମର ଗୋଲାପ ସାଙ୍ଗକୁ ପିଟୁନିଆ, ଗ୍ଲାଡିଓଲି, ଏଜେଲିଆ, କେଲେଣ୍ଡୁଲା, ଡାଲିଆ ଓ ସେବତୀ ସାଙ୍ଗକୁ ଅର୍କିଡ୍‌ ହାଉସ୍‌ ଓ କାକ୍‌ଟସ ହାଉସ୍‌ ଆକର୍ଷଣ ସାଜିଥିଲା। ଏଥିସହ ରଙ୍ଗିନ ଆଲୋକମାଳା ମଧ୍ୟରେ ଜଳଫୁଆରାର ନୃତ୍ୟ ବି ଦର୍ଶକଙ୍କୁ ଆମୋଦିତ କରୁଥିଲା।

ରାଜଭବନ ଉଦ୍ୟାନର ଲୋଭନୀୟ ପରିବେଶକୁ ନିକଟରୁ ଦେଖିବାର ପ୍ରବଳ ଅଭୀପ୍ସାକୁ ସାକାର କରିବା ପାଇଁ ଆଜି ପ୍ରବଳ ଭିଡ଼ ଭିତରେ ସେଲ୍‌ଫି ଖୁବ୍‌ ଜମିଥିଲା। ଏହି ଉଦ୍ୟାନ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ। ଅପରାହ୍‌ଣ ୨ଟାରୁ ସାଢ଼େ ୪ଟା ପର୍ଯ୍ୟନ୍ତ ଲୋକେ ଏହାକୁ ବୁଲି ଦେଖି ପାରିବେ। ତେବେ ଏଥର ଫେବ୍ରୁଆରିରେ ଦ୍ୱିତୀୟ ପର୍ଯ୍ୟାୟରେ ଏହି ଉଦ୍ୟାନ ଉପଭୋଗର ସୁଯୋଗ ମିଳିବନି ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର